ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦୀର୍ଘ ଦିନର ନୀରବତା ପରେ କର୍ମକ୍ଷେତ୍ର ରାଉରକେଲାରେ ଆଜି ଦେଖିବାକୁ ମିଳିଥିଲା ଦିଲ୍ଲୀପ ରାୟଙ୍କୁ। ନିର୍ବାଚନ ସମୟରେ ଦିଲ୍ଲୀପ ହଠାତ୍ ରାଉରକେଲା ଯିବା ଏବଂ ସମର୍ଥକଙ୍କ ସହ ମିଶିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଯାଇଛି।

ଦିଲ୍ଲୀପ ରାୟ କ’ଣ କରିବେ ଏବଂ କୁଆଡ଼େ ଯିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଦିଲ୍ଲୀପ ରାଉରକେଲାରେ ବଡ଼ ବୟାନ ଦେଇଛନ୍ତି। କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ଦିଲ୍ଲୀପ କହିବା ପରେ ରାଜନୀତିରେ ଉଷ୍ମତା ଭରି ଯାଇଛି।

ଦିଲ୍ଲୀପଙ୍କର ଏହି ନିଷ୍ପତ୍ତି ସାମୟିକ ନା ଦୀର୍ଘ ସ୍ଥାୟୀ ତାକୁ ନେଇ ରାଜନୀତିକ ମହଲରେ କାରଣ ଖୋଜା ଚାଲିଛି। ଏହାସହ ଦିଲ୍ଲୀପ ଯଦି କୌଣସି ଦଳରେ ଯୋଗ ଦେବାର ନଥିଲା ତାହାଲେ ନବୀନ ନିବାସ କାହିଁକି ଯାଉଥିଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

‘‘ମୁଁ କୌଣସି ଦଳରେ ଯୋଗ ଦେବି ନାହିଁ। ବନ୍ଧୁ ବିଜୟ ମହାପାତ୍ର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ବନ୍ଧୁ ହିସାବରେ ବିଜୟଙ୍କୁ ଯାହା ସାହାଯ୍ୟ କରିବା କଥା କରିବି’’, ରାଉରକେଲାରେ ଗଣମାଧ୍ୟମକୁ ଏହି ବୟାନ ଦେଇଥିଲେ ଦିଲ୍ଲୀପ।

ଦିଲ୍ଲୀପ କରିବେ କ’ଣ?

ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା ହେଉଛନ୍ତି ଦିଲ୍ଲୀପ ରାୟ। ଯଦି ଓଡ଼ିଶା ରାଜନୀତିର ଇତିହାସ ଲେଖାଯାଏଁ ଦିଲ୍ଲୀପ ରାୟଙ୍କ ଭୂମିକାକୁ ଛାଡ଼ିଦେଲେ ତାହା ଅସମ୍ପୂର୍ଣ୍ଣ ହୋଇଯିବ। କାରଣ ଦିଲ୍ଲୀପ ଜନତା ଦଳ ଅମଳରୁ ରାଜ୍ୟ ରାଜନୀତିରେ ସକ୍ରିୟ ରହି ଆସିଛନ୍ତି। ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ତଥା ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦିଲ୍ଲୀପ ଏବେ କ’ଣ କରିବେ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଦିଲ୍ଲୀପ କହିଛନ୍ତି ଯେ ସେ କୌଣସି ଦଳରେ ଯୋଗ ଦେବେ ନାହିଁ। ନିର୍ବାଚନ ସମୟରେ ଦିଲ୍ଲୀପ କାହିଁକି ଏଭଳି ନିଷ୍ପତ୍ତି ନେଲେ? ଦିଲ୍ଲୀପ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। ବିଜେଡିରୁ କ’ଣ ଦିଲ୍ଲୀପଙ୍କ ପାଇଁ ସବୁଜ ସଙ୍କେତ ଆସିଲା ନାହିଁ କି?

ଦିଲ୍ଲୀପଙ୍କ ଯୋଡ଼ିଦାର ବିଜୟ ବିଜେପିକୁ ଫେରିଛନ୍ତି। ବିଜୟ ଫେରିବା ପରେ ଦିଲ୍ଲୀପ ବିଜେପି ଫେରିବା ନେଇ ଶୁଣା ଯାଉଥିଲା। ହେଲେ ତାହା ଏଯାଏଁ ସମ୍ଭବ ହୋଇନି। ବିଜେପିକୁ ଫେରିବା ପାଇଁ ବାଟ ଫିଟୁନି ନା ଦିଲ୍ଲୀପ କିଛି ସର୍ତ୍ତ ରଖିଛନ୍ତି?

ଦିଲ୍ଲୀପ ଆଜି କହିଛନ୍ତି ଯେ ଆଇଜିଏଚ ଏବଂ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ପାଇଁ ଯେଉଁ ଲଢ଼େଇ ଚାଲିଥିଲା ତାହା ଜାରି ରହିବ। ଦିଲ୍ଲୀପ ଏହି ଦୁଇଟି ପ୍ରସଙ୍ଗରୁ ଓହରୁ ନଥିବାରୁ ବୋଧ ହୁଏ ବିଜେପି ଶିବିରରୁ ଦିଲ୍ଲୀପଙ୍କ ପାଇଁ କିଛି ସଙ୍କେତ ଆସୁ ନଥିବ। କାରଣ ଆଇଜିଏଚର ଅତ୍ୟାଧୁନିକୀକରଣ ଏବଂ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ।

ଏହି ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଦିଲ୍ଲୀପ ବିଜେପିରେ ଥାଇ କେନ୍ଦ୍ରକୁ ସମାଲୋଚନା କରି ଆସୁଥିଲେ। ଏଣୁ ଏହି କାରଣ ପାଇଁ ଦିଲ୍ଲୀପଙ୍କ ପାଇଁ ବିଜେପି ଦୁଆର  ଖୋଲୁ ନଥାଇପାରେ ବୋଲି କୁହାଯାଉଛି।

କାହିଁକି ଯାଇଥିଲେ ନବୀନ ନିବାସ?

ଗତ ନଭେମ୍ବର ମାସରେ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କ ରାଜନୀତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଉଠିଥିଲା। କିଛିଦିନର ନୀରବତା ପରେ ଦିଲ୍ଲୀପ ପୁଣି ଚର୍ଚ୍ଚାକୁ ଆସିଥିଲେ।

ଗତ ମାର୍ଚ୍ଚ ମାସରେ ଦିଲ୍ଲୀପଙ୍କୁ ହଠାତ୍ ନବୀନ ନିବାସରେ ଦେଖିବାକୁ ମିଳିଥିଲା। ୧୭ ବର୍ଷ ପରେ ଦିଲ୍ଲୀପ ନବୀନ ନିବାସ ଆସିଥିବାରୁ ରାଜନୀତି ପଣ୍ଡିତ କାରଣ ଖୋଜିଥିଲେ। ଚର୍ଚ୍ଚା ହେଲା ଯେ ଦିଲ୍ଲୀପ ବିଜେଡିରେ ଯୋଗ ଦେବେ। କିନ୍ତୁ ତାହା ସଫଳ ହୋଇନି।

୧୭ ବର୍ଷ ପରେ ଦିଲ୍ଲୀପ କାହିଁକି ନବୀନ ନିବାସ ଯାଇଥିଲେ? ସେଠି କ’ଣ କଥାବାର୍ତ୍ତା ହେଲା? ଦିଲ୍ଲୀପ ନବୀନଙ୍କୁ କ’ଣ ପ୍ରସ୍ତାବ ଦେଇଥିଲେ? ନବୀନ ନିବାସରୁ ଦିଲ୍ଲୀପଙ୍କ ପାଇଁ କ’ଣ ପ୍ରସ୍ତାବ ଦିଆଯାଇଥିଲା? ଏସବୁ ପ୍ରଶ୍ନ ଆଜି ବି ଓଡ଼ିଶାର ସଚେତନ ନାଗରିକଙ୍କ ମନରେ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି। ହେଲେ ଦିଲ୍ଲୀପ ଏଯାଏଁ କୌଣସି ସ୍ପଷ୍ଟୀକରଣ ଦେଇ ନାହାନ୍ତି।

ଦିଲ୍ଲୀପ ନବୀନ ନିବାସ କାହିଁକି ଯାଇଥିଲେ ତାର କାରଣ ଖୋଜା ଚାଲିଥିବା ବେଳେ କୌଣସି ଦଳରେ ଯୋଗ ଦେବେ ନାହିଁ କହି ଦିଲ୍ଲୀପ ଘଟଣାକୁ ଆହୁରି ଜଟିଳ କରି ଦେଇଛନ୍ତି।

ବନ୍ଧୁଙ୍କ ପାଇଁ ବନ୍ଧୁ!

‘‘କୌଣସି ଦଳରେ ଯୋଗ ଦେବି ନାହିଁ। ବନ୍ଧୁ ଭାବେ ବିଜୟ ମହାପାତ୍ରଙ୍କ ପାଇଁ ଯାହା କରିବା କଥା କରିବି’’

ଦିଲ୍ଲୀପ ରାୟଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦିଲ୍ଲୀପ ପାଟକୁରାରେ ବିଜୟଙ୍କ ପାଇଁ ପ୍ରଚାର କରିପାରନ୍ତି ବୋଲି ତାଙ୍କ ବୟାନ ସ୍ପଷ୍ଟ କରୁଛି। ଦିଲ୍ଲୀପ ଯଦି ବିଜୟଙ୍କ ପାଇଁ ପ୍ରଚାର କରନ୍ତି ତାହାଲେ ବୁଝିବାକୁ ହେବ ଯେ ପରୋକ୍ଷରେ ସେ ବିଜେପି ପାଇଁ ପ୍ରଚାର କରୁଛନ୍ତି। କାରଣ ବିଜୟ ବିଜେପିକୁ ଫେରି ପାଟକୁରା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ବିଜୟ-ଦିଲ୍ଲୀପଙ୍କ ଯୋଡ଼ି। ଜନତା ଦଳ ଅମଳରୁ ଆଜି ଯାଏଁ ଉଭୟ ଯୋଡ଼ି ହୋଇ ରହିଛନ୍ତି। ନଭେମ୍ବର ମାସରେ ସାଙ୍ଗ ହୋଇ ଦିଲ୍ଲୀପ ଏବଂ ବିଜୟ ଇସ୍ତଫା ମଧ୍ୟ ଦେଇଥିଲେ।

ହେଲେ ବିଜୟ ବିଜେପିକୁ ଫେରି ଆସିଥିବା ବେଳେ ଦିଲ୍ଲୀପ କୌଣସି ଦଳରେ ଯୋଗ ଦେଇ ନାହାନ୍ତି। କୌଣସି ଦଳରେ ଯୋଗ ଦେବେନି ବୋଲି ଦିଲ୍ଲୀପ ଆଜି ସ୍ପଷ୍ଟ କରିଛନ୍ତି। ହେଲେ ଦିଲ୍ଲୀପଙ୍କର ଏହି ନିଷ୍ପତ୍ତି ସାମୟିକ ସମୟ ପାଇଁ ନା ଦୀର୍ଘ ସମୟ ପାଇଁ ତାହା ଦେଖିବାର କଥା।

Comment