ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ପ୍ରାର୍ଥିପତ୍ର ଦାଖଲ କଲେ ସୌମ୍ୟରଞ୍ଜନ
  • ପ୍ରସ୍ତାବକ ରହିଲେ ଅନୁଭବ ପଟ୍ଟନାୟକ
  • ଗୟାଧର ପରିଡ଼ା ବି ଥିଲେ ଉପସ୍ଥିତ
  • ଦୁଇ ଥର ପରାଜିତ ହୋଇଥିଲେ ସୌମ୍ୟ
  • ତୃତୀୟ ଥର ପାଇଁ ଖଣ୍ଡପଡ଼ାରେ ଭାଗ୍ୟ ପରୀକ୍ଷା କରିବେ ସୌମ୍ୟ

(ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି। ହେଲେ ଖଣ୍ଡପଡା ରେ ନିର୍ବାଚନୀ ତାତି ଏ ସବୁକୁ ବଳି ଯାଇଥିଲା। ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ପ୍ରାର୍ଥିପତ୍ର ଦାଖଲ କରିଥିଲେ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ।

ସାଙ୍ଗରେ ଥିଲେ ଦୁଇ ଟିକେଟ ଅଶାୟୀ ଅନୁଭବ ପଟ୍ଟନାୟକ ଏବଂ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡ଼ା। ଆଜି ଏଭଳି ରୋଚକ ସ୍ଥିତି ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସରେ।

ଅନୁଭବ ପଟ୍ଟନାୟକ ସୌମ୍ୟରଂଜନଙ୍କ ପାଇଁ  ପ୍ରସ୍ତାବକ ହୋଇଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଅନୁଭବ ପଟ୍ଟନାୟକ ଓ ସୌମ୍ୟରଂଜନ ପଟ୍ଟନାୟକ ଦୁହେଁ ପରସ୍ପର ବିରୋଧରେ ଲଢିଥିଲେ। ଖଣ୍ଡପଡ଼ା ପାଇଁ ବିଜେଡିରୁ ଅନୁଭବ ପଟ୍ଟନାୟକ ଲଢିଥିବା ବେଳେ ସୌମ୍ୟ ଆମ ଓଡ଼ିଶା ପାର୍ଟିରୁ ଲଢି ୬୦୧ ଭୋଟରେ ହାରିଥିଲେ।

ସୌମ୍ୟରଂଜନ ପଟ୍ଟନାୟକ ବିଜେଡିରେ ମିଶିବା ପରେ ତାଙ୍କୁ ରାଜ୍ୟସଭା ସାଂସଦ କରିଥିଲା ଦଳ। ଏବେ ସେ ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

ଦିନକ ତଳେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିଥିବା ଅନୁଭବ ଏବେ ନିଜ ନିଷ୍ପତ୍ତିରୁ ଓହରି ଆସିଛନ୍ତି। ସୌମ୍ୟଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି। ସେହିପରି ସମାନ କଥା ଦୋହରାଇଛନ୍ତି ଗୟାଧର ପରିଡ଼ା। ହେଲେ ଏ ସବୁକୁ ଗ୍ରହଣ କରିପାରୁ ନାହାନ୍ତି ଅନୁଭବ ଓ ଗୟାଧରଙ୍କ ସମର୍ଥକ।

ଖଣ୍ଡପଡ଼ାରୁ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା

ଦୁଇ ଦୁଇ ଥର ଖଣ୍ଡପଡାରୁ ପରାଜୟ ବରଣ କରିଥିବା ସୌମ୍ୟରଂଜନ ପଟ୍ଟନାୟକ ତୃତୀୟ ଥର ପାଇଁ ଭାଗ୍ୟ ପରୀକ୍ଷା କରିବାକୁ ମଇଦାନକୁ ଓହ୍ଲାଇଛନ୍ତି। ବିପକ୍ଷରେ ଅଛନ୍ତି ଭାରତୀୟ ଜନତା ପାର୍ଟିରୁ ସିଦ୍ଧାର ଶେଖର୍ଥ ସିଂ।  ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂ  ୧୬, ୮୧୪ ଖଣ୍ଡ ଭୋଟରେ ସୌମ୍ୟଙ୍କୁ ପରାସ୍ତ କରିଥିଲେ।

ନିର୍ବାଚନୀ ଗଣିତକୁ ନଜର ପକାଇଲେ ବିଜେଡି ଖଣ୍ଡପଡ଼ାରେ ସୁବିଧାଜନକ ସ୍ଥିତିରେ ରହିଛି ବୋଲି କହିବାକୁ ହେବ। କାରଣ ଗତ ନିର୍ବାଚନରେ ପରସ୍ପର ପ୍ରତିଦ୍ୱନ୍ଦୀ ଏବେ ଗୋଟିଏ କ୍ୟାମ୍ପରେ। ଏହି ନିର୍ବାଚନ ସୌମ୍ୟଙ୍କ ପାଇଁ ସମ୍ମାନର ପ୍ରଶ୍ନ। ତେବେ ଆଗକୁ ଫଳାଫଳ କ’ଣ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

ଶେଷ ଦିନରେ କଂଗ୍ରେସ ଦେଲା ପ୍ରାର୍ଥୀ

ଖଣ୍ତପଡ଼ା ନିର୍ବାଚନମଣ୍ତଳୀ ପାଇଁ ଆଜିଥିଲା ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। କିନ୍ତୁ ଦିନ ୧୨ ଟା ବେଳେ ଖଣ୍ତପଡା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ତେବେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ କାହିଁକି ବିଳମ୍ବ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୧୯୯୬ ରିଟର୍ଣ୍ଣସ୍

୧୯୯୬ ମସିହାରେ ପ୍ରଥମ ଥର ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ରାଜନୀତିରେ ପାଦ ଥାପିଥିଲେ ସୌମ୍ୟରଂଜନ। ଖଣ୍ଡପଡ଼ା ସେତେବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଭିତରେ ଆସୁଥିଲା। ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ସୌମ୍ୟ। ଖଣ୍ଡପଡାବାସୀ ବିପୁଳ ସମର୍ଥନ ଦେଇଥିଲେ ବୋଲି କୁହନ୍ତି ସୌମ୍ୟରଂଜନ। ସେବେଠାରୁ ଖଣ୍ଡପଡା ପ୍ରତି ଥିବା ତାଙ୍କ ଦୁର୍ବଳତା ତାଙ୍କୁ ବାରମ୍ବାର ଏଠାକୁ ଟାଣିଆଣିଛି। ଆଉ ଏଥର ନିଶ୍ଚିତ ଭାବେ ସେ ବିଧାନସଭାକୁ ନିର୍ବାଚିତ ହେବେ ବୋଲି କୁହନ୍ତି ସୌମ୍ୟଙ୍କ ସମର୍ଥକ।
ନିର୍ଣ୍ଣାୟକ ଭୂମିକା ନେବେ ଗୟାଧର!

ଏଥର ନିର୍ବାଚନରେ ଟିକେଟ ରେସରେ ପ୍ରମୁଖ ଦବିଦାର ଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ସଭାପତି ଗୟାଧର ପରିଡ଼ା ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଚର୍ଚ୍ଚା ହେଉଛି। ୧୯୯୭ ମସିହା ଠାରୁ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିଆସୁଥିବା ଗୟାଧର ଏଥର ମଧ୍ୟ ନିରାଶ ହୋଇଛନ୍ତି।

ପ୍ରତି ସାଧାରଣ ନିର୍ବାଚନରେ ବିଧାୟକ ଚୟନରେ ଭାପୁର ବ୍ଲକ ତଥା ଗୟାଧର କିଙ୍ଗମେକର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ଗତ ସାଧାରଣ ନିର୍ବାଚନରେ ସୌମ୍ୟରଂଜନଙ୍କୁ ହରେଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଗୟାଧର। ତେବେ ଏଥର ସେ କି ଭୂମିକା ନେଉଛନ୍ତି ତାହା ସମୟ କହିବ।

ତେବେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଖଣ୍ଡପଡ଼ାରେ ହେବ ଭୋଟ। ଏହି ଭୋଟରେ ସୌମ୍ୟ ଖାତା ଖୋଲିବାରେ ସମର୍ଥ ହେଉଛନ୍ତି ନା ନାହିଁ ଅପେକ୍ଷା କରି ଦେଖିବାର କଥା।

Comment