ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ସମୟରେ ନେତାଙ୍କର ସମ୍ପତ୍ତି ଜାଣିବାରେ ସାଧାରଣରେ ସମସ୍ତଙ୍କର ଆଗ୍ରହ ଥାଏ। ପୁଣି ସମ୍ପତ୍ତି ତାଲିକା ଯଦି ରାହୁଲ ଗାନ୍ଧିଙ୍କର ହୁଏ ତେବେ ସାଧାରଣରେ ଚର୍ଚ୍ଚା ହେବା ସ୍ଵାଭାବିକ।

ରାହୁଲ ଗାନ୍ଧି ଗୁରୁବାର କେରଳର ୱାୟନାଡ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ କରିବା ସହ ରାହୁଲ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ତାଙ୍କ ସମ୍ପତ୍ତି ୧୫କୋଟି ୮୮ ଲକ୍ଷ। ଏହା  ତାଙ୍କ ସତ୍ୟପାଠରୁ ଜଣାପଡ଼ିଛି। ୨୦୧୪ରେ ରାହୁଲଙ୍କ ସମ୍ପତ୍ତି ପାଖାପାଖି ୧୦କୋଟି ଥିଲାବେଳେ ୫ବର୍ଷରେ ୫କୋଟି ଟଙ୍କାର ବୃଦ୍ଧି ହୋଇଛି। ରାହୁଲଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ୫କୋଟି ୮୦ଲକ୍ଷ ୫୮ହଜାର ୭୯୯ ଟଙ୍କା ହୋଇଥିବାବେଳେ ଆସ୍ଥାବର ସମ୍ପତ୍ତିର ମୂଲ୍ୟ ୭କୋଟି ୯୩ଲକ୍ଷ ୯ହଜାର ୩୭୭ ଟଙ୍କା ରହିଛି।

ତାଙ୍କ ନିର୍ବାଚନ ସତ୍ୟପାଠରୁ ବିଭିନ୍ନ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନିଠାରୁ ୭୨ଲକ୍ଷ ଟଙ୍କା ଋଣ ନେଇଥିବା ଜଣାପଡ଼ିଛି। ତାଙ୍କ ପାଖରେ ନିଜର ଗୋଟିଏ ହେଲେ ବି କାର୍‌ ନଥିବା ମଧ୍ୟ ଦର୍ଶାଇଛନ୍ତି।  ମା’ ସୋନିଆ ଗାନ୍ଧିଙ୍କଠାରୁ ୫ଲକ୍ଷ ବ୍ୟକ୍ତିଗତ ଋଣ ନେଇଥିବାର ଜଣାପଡ଼ିଛି। ମାର୍ଚ୍ଚ ୩୧ ସୁଦ୍ଧା ତାଙ୍କ ପାଖରେ ମାତ୍ର ୪୦ ହଜାର ଟଙ୍କା ନଗଦ ଅଛି।

Comment