ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ମନ୍ତ୍ରିମଣ୍ଡଳରୁ ମୁଁ ବିଦା ହୋଇ ନଥିଲି। ଦଳର ସାଙ୍ଗଠନିକ କାମ ପାଇଁ ମନ୍ତ୍ରିମଣ୍ଡଳରୁ ମୁଁ ସ୍ୱ ଇଚ୍ଛାରେ ଇସ୍ତଫା ଦେଇଥିଲି’’, ଓଡ଼ିଶାଲାଇଭକୁ ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା ନୟାଗଡ଼ ବିଧାନସଭା ଆସନ ପ୍ରାର୍ଥୀ ଡକ୍ଟର ଅରୁଣ ସାହୁ।

୨୦୧୯ ନିର୍ବାଚନ ପାଇଁ ନୟାଗଡ଼ ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇଛନ୍ତି ଅରୁଣ ସାହୁ। ୨୦୦୪ରୁ ଲାଗତର ଅରୁଣ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୦୯ ଏବଂ ୨୦୧୪ ନିର୍ବାଚନ ପରେ ଅରୁଣଙ୍କୁ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ହେଲେ ଗତ ଦୁଇ ବର୍ଷ ତଳେ ମନ୍ତ୍ରିମଣ୍ଡଳରୁ ଅରୁଣଙ୍କ ସମେତ ଆଉ ତିନି ଯୁବ ନେତା ମନ୍ତ୍ରୀ ପଦ ହରାଇଥିଲେ।

ଏମାନଙ୍କୁ ୨୦୧୯ ନିର୍ବାଚନରେ ଟିକେଟ ମିଳି ନପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ନବୀନ ଏହି ଯୁବ ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

ନୟାଗଡ଼ ପାଇଁ ପୁଣି ବିଜେଡି ଟିକେଟ ମିଳିବା ପରେ ଅରୁଣଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍।

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ନେତାଙ୍କୁ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଥିଲା। ହେଲେ କେମିତି ମିଳିଲା ?

ଏହାର ଉତ୍ତରରେ ଅରୁଣ କହିଛନ୍ତି, ‘‘ମୁଁ ମନ୍ତ୍ରୀପଦରୁ ବିଦା ହୋଇନାହିଁ। ମୁଁ ସ୍ଵଇଚ୍ଛାରେ ସଙ୍ଗଠନ କାମ କରିବା ପାଇଁ ମନ୍ତ୍ରୀପଦରୁ ଅବ୍ୟାହତି ନେଇଥିଲି।’’

ଅରୁଣ ଆହୁରି କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋ ଉପରେ ଅଛି। ନୟାଗଡର ଜନ ସାଧାରଣଙ୍କର ଆଶୀର୍ବାଦ ଯୋଗୁଁ ଆମେ ତାଙ୍କ ସେବା କରିବାର ସୁଯୋଗ ପାଇଛୁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଓ ନୟାଗଡର ଜନ ସାଧାରଣଙ୍କୁ ଅଶେଷ ଧନ୍ୟବାଦ।’’

ଏହାସହ ଅରୁଣ କହିଛନ୍ତି, ‘‘ମୁଁ ଦଳରେ ସାଧାରଣ କର୍ମୀ। ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ତାକୁ ମୁଁ ସୂଚାରୁରୂପେ କରିବାକୁ ଚେଷ୍ଟା କରିଛି। ତାଛଡ଼ା ଆଉ କିଛି ନୁହେଁ।’’

ବିଜେଡିର ଷ୍ଟ୍ରାଟେର୍ଜି ବିଷୟରେ ଅରୁଣ କହିଛନ୍ତି ଯେ ବିଜେଡିର ସଙ୍ଗଠନ ମଜଭୁତ। ଆମେ ସାଙ୍ଗଠନିକ କାମ ଉପରେ ଫୋକସ୍ କରି ଆସୁଛୁ। ଲୋକ ଆମ ସହ ଅଛନ୍ତି। ଆମେ ନିର୍ବାଚନ ଜିତିବୁ।

Comment