ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କୋରାପୁଟ ଜିଲ୍ଲାର ଓ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟପୁର ବିଧାନସଭା ଆସନଟି ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ଭାବେ ପରିଚିତ ହୋଇ ଆସିଛି। ସବୁ ଥର ଭଳି ଏଥର ମଧ୍ୟ ଏଠାରେ ଲଢ଼େଇଟି ଜୋରଦାର ହେବା ଦେଖାଯାଉଛି। କୋରାପୁଟ ଜିଲ୍ଲାର ଅନ୍ୟ ସବୁ ଆସନ ସଂରକ୍ଷିତ ହୋଇଥିଲା ବେଳେ ଜୟପୁର ସାଧାରଣ ବର୍ଗଙ୍କ ଆସନ। ଏଣୁ ଲଢ଼େଇ ଏଠି ସାଧାରଣ ଲଢେଇଠାରୁ ଅଲଗା।

ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଭୋଟଦାନ କାର୍ଯ୍ୟକ୍ରମରେ ଜୟପୁର ଆସୁଛି। ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବା ଆଖିରେ ପଡୁଛି। ଆକର୍ଷଣୀୟ ଗାଡ଼ି, ମନଲୋଭା ଗୀତ ,ସଭା ସମିତି, ବାଜାରେ ସମଗ୍ର ଜୟପୁର ସହର କମ୍ପୁଛି। ବିଭିନ୍ନ ଦଳ ପକ୍ଷରୁ ଅସ୍ଥାୟୀ ଅଫିସ ଖୋଲାଯିବା ସହ ହାଇଟେକ ପ୍ରଚାର ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି। ସକାଳୁ ସକାଳୁ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି।

ଜୟପୁର ଆସନ ପାଇଁ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ପ୍ରାର୍ଥୀ ହୋଇଛନ୍ତି। ବାହିନୀପତି ଗତ ନିର୍ବାଚନରେ ଏଠାରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। ବିଜେପି ଗୌତମ ସାମନ୍ତରାୟଙ୍କ ଉପରେ ଭରସା କରୁଥିବା ବେଳେ କଂଗ୍ରେସ ଛାଡ଼ି ବହୁଜନ ସମାଜ ପାର୍ଟିରେ ଯୋଗ ଦେଇଥିବା କୃଷ୍ଣ ସାଗରିଆ ମଧ୍ୟ ଏଠାରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଣୁ ଦେଖିବାକୁ ଗଲେ ଏଠି ଚତୁର୍ମୁଖୀ ଲଢ଼େଇ ହେବ।

ଭୋଟ ପାଇଁ ଆଉ ମାତ୍ର ୪ ଦିନ ଥିବା ବେଳେ ପ୍ରାର୍ଥୀମାନେ ଦିନକୁ ରାତି ସହିତ ମିଶାଇଦେଇଛନ୍ତି। ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ମଧ୍ୟ ଏଠାକୁ ଆସୁଥିବା ଜଣାପଡ଼ିଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠି ଏକ ବିରାଟ ନିର୍ବାଚନ ସଭାରେ ଯୋଗ ଦେଇଥିଲେ।

ଜୟପୁର ବିଧାନସଭା ଆସନଟି ଜିଲ୍ଲାର ଦର୍ପଣ ଓ ଏଠାକାର ଦଳୀୟ  ସ୍ୱାଭିମାନକୁ ବଜାୟ ରଖିବା ପାଇଁ ପ୍ରାର୍ଥୀମାନେ ଜୋରସୋରରେ ଲାଗିପଡ଼ିଛନ୍ତି। ଜୟପୁର ବିଧାନସଭା ଆସନରେ ଉଭୟ ସହର ଓ ଗ୍ରାମାଞ୍ଚଳ ଭୋଟ ରହିଛି। ତେବେ ଜୟପୁର  ଆସନ ଫଳାଫଳରେ  ବୋରିଗୁମ୍ମା ବ୍ଳକର ଭୋଟ ନିର୍ଣ୍ଣାୟକ ହେବ ବୋଲି ଜନସାଧାରଣରେ ଆଲୋଚନା ହେଉଛି।

Comment