ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ବିଜେପିକୁ ଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ମାରାଥନ କ୍ୟାମ୍ପେନ ଚଳାଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ମୋଦି ତୃତୀୟ ଥର ପାଇଁ ଓଡ଼ିଶା ଆସିଛନ୍ତି। ସୁନ୍ଦରଗଡ଼ର ରୂପିଡିହ ସାଧାରଣ ସଭାରେ ଯୋଗ ଦେଇଛନ୍ତି ମୋଦି।

ସମାବେଶରେ ମୋଦି ଉଦବୋଧନ ଆରମ୍ଭ କରିବା ପୂର୍ବରୁ ରାଜ୍ୟବସୀଙ୍କୁ ନବରାତ୍ରର ଶୁଭେଚ୍ଛା ଜଣାଇଛନ୍ତି।

“ସୁନ୍ଦରଗଡ଼ରେ ଏ ଜନସମୁଦ୍ର ଦେଖି ମୁଁ ଅଭିଭୂତ। ଦେଶ ସୁରକ୍ଷାରେ ଲାଗିଥିବା ଓଡ଼ିଶାର ସବୁ ଯବାନଙ୍କୁ ମୋର ପ୍ରଣାମ।  ଆପଣଙ୍କ ଆଶୀର୍ବାଦ ମୁଁ ଭୁଲି ପାରିବିନାହିଁ। ପ୍ରଧାନମନ୍ତ୍ରୀ ନୁହେଁ ପ୍ରଧାନସେବକ ସୁନ୍ଦରଗଡ଼ ଆସିଛି”, ସୁନ୍ଦରଗଡ଼ରେ କହିଛନ୍ତି ମୋଦି।

୨୦୧୯ ନିର୍ବାଚନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଏଥର ରାଜ୍ୟରେ  କେଉଁ ସରକାର ଦରକାର ଓଡ଼ିଶାବାସୀ ସ୍ଥିର କରିବେ ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି ମଜବୁତ ଭାରତ ପାଇଁ ମଜବୁତ ସରକାର, ମଜବୁତ ଓଡ଼ିଶା ଦରକାର। ଓଡ଼ିଶାରେ ଉଚିତ ନୀତି କି ନିୟତ ନାହିଁ।  ଯଦି ବିଜେଡିର ନିୟତ ଠିକ୍‌ ଥାଆନ୍ତା। ଚାଷୀଙ୍କୁ ଉଚିତ ଦାମ, ସ୍ୱାସ୍ଥ୍ୟ ସୁବିଧା ମିଳୁଥାନ୍ତା, ଖଣିରୁ ମିଳୁଥିବା ଟଙ୍କାରେ ଉନ୍ନତି ହୋଇପାରନ୍ତା। ଓଡ଼ିଶା ଗରିବ ନୁହେଁ। ଓଡ଼ିଶା ଲୋକଙ୍କ ପାଖରେ ସାମର୍ଥ୍ୟ ରହିଛି ହେଲେ ବିଜେଡି ବିକାଶରେ ରୋକ ଲଗାଇ ଦେଇଛି।

“କେବଳ ଓଡ଼ିଶାରେ ୮ ଲକ୍ଷ ଲୋକଙ୍କୁ ପକ୍କା ଘର ଦିଆଯାଇଛି। ୮ ଲକ୍ଷ ଜାଗାରେ ବହୁ ଅଧିକ ଲୋକ ପକ୍କା ଘର ପାଇଥାନ୍ତେ। ଏଭଳି ସରକାର ବଦଳି ଯିବା ଦରକାର କି ନାହଁ। ଦେଶ ଏବଂ ଓଡ଼ିଶାରେ କିଭଳିୁ ସରକାର ଦରକାର, ନିଷ୍ପତ୍ତ ନେବାର ସମୟ ଆସିଛି। ସଚ୍ଚୋଟ ନା ଭ୍ରଷ୍ଟ ସରକାର ଦରକାର ଅଛି, ଆପଣଙ୍କୁ ନିଷ୍ପତ୍ତି କରିବାକୁ ପଡ଼ିବ। ସବୁ ବର୍ଗର ବିକାଶ କରୁଥିବା ସରକାର ନା ବଂଶଗତ ସରକାର ଦରକାର ନିଷ୍ପତ୍ତି ଆପଣଙ୍କ ହାତରେ। ରାଜ୍ୟବାସୀ କଂଗ୍ରେସର ବିଜେଡି ସରକାର ଦେଖିଛନ୍ତି, ବିଜେପି କାମ ବି ଦେଖିଛନ୍ତି। ତେଣୁ ଆପଣଙ୍କୁ ଫଇସଲା କରିବାକୁ ପଡ଼ିବ ଆପଣଙ୍କୁ କେଉଁ ସରକାର ଦରକାର”, ରାଜ୍ୟବାସୀଙ୍କୁ ପ୍ରଶ୍ନ କରିଛନ୍ତି ମୋଦି।

“ବିଜେପି ପରିବାର ଆଧାରିତ ନୁହେଁ କି ଟଙ୍କା ଆଧାରିତ ନୁହେଁ। ବିଜେପି ଟଙ୍କାରେ ନୁହେଁ କାର୍ଯ୍ୟକର୍ତ୍ତାଙ୍କ ଝାଳରେ ତିଆରି ହୋଇଛି। ଏବେ ସାରାଦେଶରେ ବିଜେପି ବାନା ଉଡ଼ୁଛି। ଆଉ ବିଜେପିକୁ ଲୋକେ ଗ୍ରହଣ କରୁଛନ୍ତି। ଦେଶର ସବୁ ବର୍ଗର ଲୋକ ବିଜେପି ସହ ସାମିଲ ହୋଇଛନ୍ତି। ବିକାଶକୁ ଜନଆନ୍ଦୋଳନର ରୂପ କେବଳ ବିଜେପି ଦେଉଛି। ଓଡ଼ିଶାରେ ପଦ୍ମ ଫୁଟିବା ନିଶ୍ଚିତ। ଏହା ଲୋକେ ମନସ୍ଥ କରିସାରିଛନ୍ତି। ଓଡ଼ିଶାରେ ଏଥର ସବୁଠାରୁ ଅଧିକ ପଦ୍ମ ଫୁଟିବ। ଆଉଥରେ ପୁଣି ଦେଶରେ ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି”, କହିଛନ୍ତି ମୋଦି।

Comment