ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅପରାଜିତା ମହାନ୍ତିଙ୍କୁ ଭୁବନେଶ୍ୱର-ଉତ୍ତର ବିଧାନସଭା ଆସନ ପାଇଁ ଟିକେଟ ଦେଇଛି ବିଜେପି। ଅପରାଜିତା ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଓଡ଼ିଶାଲାଇଭକୁ ସାକ୍ଷାତକାର ଦେଇ ଅପରାଜିତା କହିଛନ୍ତି ଯେ ’ଭୁବନେଶ୍ୱର-ଉତ୍ତରକୁ ବସ୍ତି ମୁକ୍ତ କରିବା ହେଉଛି ମୋର ପ୍ରଥମ ଲକ୍ଷ୍ୟ’।

ମୁଁ ଲୋକଙ୍କ ସାଙ୍ଗରେ ଅଛି

‘‘୪୦ ବର୍ଷ ହେଲା ମୁଁ ଲୋକଙ୍କ ସାଙ୍ଗରେ ଏବଂ ଲୋକମାନେ ମଧ୍ୟ ମୋ’ ସାଙ୍ଗରେ ଅଛନ୍ତି। ଲୋକମାନଙ୍କ ପାଇଁ ହିଁ ମତେ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର-ଉତ୍ତର ଆସନରୁ ପ୍ରାର୍ଥୀ କରିଛି।

ଅପରାଜିତା କହିଛନ୍ତି ଯେ ରାଜନୀତି ହେଉଛି ସେବା କରିବାର ଏକ ମାଧ୍ୟମ। ୪୦ ବର୍ଷ ହେଲା ମନୋରଞ୍ଜନ ଜରିଆରେ ଲୋକମାନଙ୍କୁ ସେବା ଦେଇ ଆସିଛି। ରାଜନୀତି ଜରିଆରେ ଲୋକଙ୍କ ନିକଟତର ହୋଇ ଅଧିକ ସେବା କରିବା ପାଇଁ ବିଜେପି ମତେ ସୁଯୋଗ ଦେଇଛି।

ମିଛ ପ୍ରତିଶ୍ରୁତି ଦେବିନି

୪୦ ବର୍ଷ ଧରି ଲୋକଙ୍କ ସହ କେବେ ଛଳନା କରି ନଥିବା ଅପରାଜିତା କହିଛନ୍ତି। ରାଜନୀତିରେ ମଧ୍ୟ ଲୋକଙ୍କୁ କେବେ ମିଛ ପ୍ରତିଶ୍ରୁତି କିମ୍ବା ଛଳନା କରିବେ ନାହିଁ ବୋଲି କହିଛନ୍ତି ଅପରାଜିତା। ମତେ ଦଳ ଯେଉଁ ଦାୟିତ୍ୱ ଦେଇଛି ତାକୁ ଠିକ୍ ଭାବେ ନିର୍ବାହ କରିବେ ବୋଲି କହିଛନ୍ତି ଅପରାଜିତା।

ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା

ଭୁବନେଶ୍ୱର-ଉତ୍ତର ବାସିନ୍ଦାଙ୍କ ପାଇଁ ଅନେକ କିଛି କରିବାର ଲକ୍ଷ୍ୟ ରହିଛି। ତେବେ ସେଥିମଧ୍ୟରୁ ମୋର ପ୍ରଥମ ଲକ୍ଷ୍ୟ ରହିଛି ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରିବା ବୋଲି କହିଛନ୍ତି ଅପରାଜିତା। ଏହାସହ ସେ ଆହୁରି କହିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇଥିଲେ ମଧ୍ୟ ବସ୍ତି ମୁକ୍ତ ହୋଇପାରି ନାହିଁ। ଭୁବନେଶ୍ୱର-ଉତ୍ତରରେ ଅଧିକ ବସ୍ତି। ଏଣୁ ବସ୍ତି ମୁକ୍ତ କରିବାକୁ ’ମୁଁ ପ୍ରୟାସ କରିବି’।

ମହିଳାମାନଙ୍କୁ ସୁରକ୍ଷା ଦେବ ବିଜେପି

ସାରା ରାଜ୍ୟରେ ମହିଳାମାନେ ଅସୁରକ୍ଷିତ। ସେମାନଙ୍କୁ ନ୍ୟାୟ ମିଳୁନି। ଇତିଶ୍ରୀ, ବେବିନା ଏବଂ କୁନ୍ଦୁଲି ଘଟଣା ହେଉଛି ଏହାର ପ୍ରମାଣ। ବିଜେପି ହେଉଛି ଏକମାତ୍ର ପାର୍ଟି ଯିଏ ସାରା ଦେଶରେ ମହିଳାମାନଙ୍କୁ ସୁରକ୍ଷା ଦେଇ ଆସିଛି। ଆଗକୁ ମଧ୍ୟ ସୁରକ୍ଷା ଦେବ।

ବିଜେପି ଆସିଲେ ବିକାଶ

ସାଧାରଣ ପରିବାରରୁ ଆସି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ। ଶତ୍ରୁ ରାଷ୍ଟ୍ରକୁ ଜବାବ ଦେଇ ପାରୁଛନ୍ତି ମୋଦି। ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ହୋଇଛି। ଆଗକୁ ମଧ୍ୟ ବିକାଶ ହେବ। ମହିଳାଙ୍କୁ ନ୍ୟାୟ ମିଳିବ ଏବଂ ଯୁବକଙ୍କୁ ରୋଜଗାର ମିଳିବ।

Comment