ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗୁଣପୁରରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନବୀନ।

ରାୟଗଡ଼ା ଜିଲ୍ଲା ଗୁଣପୁରରେ ବିଜେଡିର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଆରମ୍ଭରୁ ନବୀନ କେନ୍ଦ୍ରକୁ ନିଶାନା କରିଛନ୍ତି। ଓଡ଼ିଶା ପ୍ରତି କେନ୍ଦ୍ରର ଆନ୍ତରିକତା ନଥିବା ଏବଂ ବିରାଡ଼ି ବୈଷ୍ଣବ ସାଜିଥିବା ନବୀନ କହିଛନ୍ତି।

ନବୀନ କହିଛନ୍ତି, ‘‘ଓଡ଼ିଶା ୩୦ ଲକ୍ଷ ଗରିବ ପରିବାରକୁ କେନ୍ଦ୍ର ଚାଉଳ ଦେବାକୁ ମନା କଲା। ଏଣୁ ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବ ପରିବାରକୁ ଚାଉଳ ଯୋଗାଇ ଦେଉଛନ୍ତି। ମହିଳାମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଦେଉଛନ୍ତି।’’

‘‘ଜଳଯୋଗାଣ ପାଇଁ କେନ୍ଦ୍ର ଓଡ଼ିଶାକୁ ୧ ହଜାର କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ଏ ବାବଦରେ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେହିପରି ଜଳସେଚନ ବାବଦରେ କେନ୍ଦ୍ର ୨୫୦ କୋଟି ଦେଇଥିବା ବେଳେ ରାଜ୍ୟ ୨୦ ହଜାର ଟଙ୍କା ବ୍ୟୟ କରିଛି’’, କହିଛନ୍ତି ନବୀନ।

‘‘ସାଢ଼େ ୪ କୋଟି ଓଡ଼ଶାବାସୀ ହେଉଛନ୍ତି ମୋ’ ପରିବାର। ସେମାନଙ୍କ ପାଇଁ ମୁଁ ଅଛି ଏବଂ ରହିବି। ତିତିଲି ବେଳେ ରାୟଗଡ଼ାରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ହେଲେ କେନ୍ଦ୍ର ସରକାର ପଛରେ ଆସି ପହଞ୍ଚିଲେ। ଆନ୍ଧ୍ର ଯେତିକି ଅନୁଦାନ ଦେଲେ ଓଡ଼ିଶାକୁ ଦେଲେ ନାହିଁ। ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି’’, କହିଛନ୍ତି ନବୀନ।

ନବୀନ ଆଜି ସ୍ୱତନ୍ତ୍ର ହେଲିକପ୍ଟରରେ ରାୟଗଡ଼ା ଯାଇଥିଲେ। ସେଠାରେ ସେ ନିର୍ବାଚନୀ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ସୋ’ କରିଥିଲେ।

Comment