ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ଆସନରେ ଏଥର ଏକ ରୋଚକ ଲଢ଼େଇ ହେଉଛି।ଦାଦା ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ଝିଆରୀ ଲକ୍ଷ୍ମୀପ୍ରିୟା ନାୟକ ମାତ ଦେବେ।
ଦାଦା ବିଜେଡିରୁ ଠିଆ ହୋଇଥିଲା ବେଳେ ଝିଆରୀ ଠିଆ ହୋଇଛନ୍ତି କଂଗ୍ରେସରୁ। ଚିତ୍ରକୋଣ୍ଡାରେ ଏ ଦୁହିଁଙ୍କ ଭିତରେ ହିଁ ଟକ୍କର ହେବା ଦେଖାଯାଉଛି। ବିଜେପି ବିଳମ୍ବରେ ହେଲେ ମଧ୍ୟ ପଦୁ ମାଝିଙ୍କୁ ଟିକେଟ ଦେଇଛି।
ବିଜେପି ପକ୍ଷରୁ ଟିକେଟ ପାଇବା ପାଇଁ ପୂର୍ବତନ ଉପ ବାଚସ୍ପତି ପ୍ରହ୍ଲାଦ ଦୋରା, ବାକାଙ୍କ ଝିଅ ଶାନ୍ତିଲତା ପ୍ରମୁଖ ଆଶା ରଖିଥିଲେ। ବହୁଜନ ସମାଜ ପାର୍ଟି ଓ ସମତା କ୍ରାନ୍ତି ଦଳ ମଧ୍ୟ ଏଠାରେ ପ୍ରାର୍ଥୀ ଛିଡ଼ା କରିଛନ୍ତି।
ବାକା ସରକାରୀ ଚାକିରୀ ଛାଡ଼ି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ମାଥିଲି ପଞ୍ଚାୟତର ନାୟକଗୁଡା ଗ୍ରାମର ବାସିନ୍ଦା ବାକା ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଜୁଡିସିଆଲ ବିଭାଗରେ ହେଡ କ୍ଳର୍କ ଥିଲେ। ଏଣେ ଝିଆରୀ ଲକ୍ଷ୍ମୀପ୍ରିୟା ହେଉଛନ୍ତି ମାଥିଲି ପଞ୍ଚାୟତ ସମିତିର ଅଧ୍ୟକ୍ଷା।
ଚିତ୍ରକୋଣ୍ଡା ବିଧାନସଭା ଆସନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ବାଲିମେଳା ଏନଏସି, ଖଇରିପୁଟ, ମାଥିଲି ଓ ଚିତ୍ରକୋଣ୍ଡା ଆଦି ଆଦିବାସୀ ଅଞ୍ଚଳର ଲୋକେ ୧୧ ତାରିଖରେ ଭୋଟ ଦେବେ।
ଗତ ନିର୍ବାଚନରେ ବଣ୍ଡା ସମ୍ପ୍ରଦାୟର ଡମ୍ବରୁ ସିସା ବିଜେଡ଼ି ଟିକେଟରେ ନିର୍ବାଚିତ ହୋଇଥିଲେ। ଏଥର କିନ୍ତୁ ତାଙ୍କୁ ଟିକେଟ ନଦେଇ ବିଜେଡି ବାକାଙ୍କୁ ଟିକେଟ ଦେଇଛି। ଏଣୁ ଆଶା କରାଯାଉଛି ଝିଆରୀଙ୍କୁ ପଛରେ ପକାଇ ଦାଦା ହିଁ ଆଗକୁ ବାହାରି ଆସିବେ।


















