ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ କଂଗ୍ରେସ ଆଜି ଓଡ଼ିଶାବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛି। ଉଣେଇଶ ନିର୍ବାଚନ ପାଇଁ ଇସ୍ତାହାର ପତ୍ରରେ କଂଗ୍ରେସ ୧୯ଟି ପ୍ରତିଶ୍ରୁତି ଦେଇଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଇସ୍ତାହାର କମିଟି ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସଙ୍କଳ୍ପପତ୍ରକୁ ଉନ୍ମୋଚନ କରିଥିଲେ।

କଂଗ୍ରେସର ପ୍ରତିଶ୍ରୁତି

୧. ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପ୍ରତ୍ୟେକ ପରିବାରକୁ ବର୍ଷକୁ ୭୨୦୦୦ ଟଙ୍କା।

୨. ପ୍ରତି ପରିବାରର ଜଣକୁ ଚାକିରି ଏବଂ ବେକାରୀମାନଙ୍କୁ ମାସିକ ତିନି ହଜାର ଟଙ୍କା ବେକାରୀ ଭତ୍ତା।

୩. ଠିକା କର୍ମଚାରୀଙ୍କ ଚାକିରିକୁ ସ୍ଥାୟୀ କରାଯିବାର ପ୍ରତିଶ୍ରୁତି।

୪. ଗ୍ରାମାଞ୍ଚଳର ଭୂମିହୀନଙ୍କୁ ଘରଡିହ ଓ ସହରାଞ୍ଚଳର ଭୂମିହୀନଙ୍କୁ ବାସଗୃହ।

୫. ସରକାର ଗଠନର ପ୍ରଥମ ଦଶ ଦିନ ମଧ୍ୟରେ ୨ ଲକ୍ଷ ଟଙ୍କାର କୃଷି ଋଣ ଛାଡ। ୩ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଚାଷୀ ପରିବାରକୁ ବାର୍ଷିକ ୧୦,୦୦୦ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ। ଏହାସହ ୬୦ ବର୍ଷରୁ ଊର୍ଦ୍ଧ୍ୱ ଚାଷୀକୁ ମାସିକ ୧୫୦୦ ଟଙ୍କା ପ୍ରଦାନ କରିବ କଂଗ୍ରେସ।

୬. ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସହ ୬୦ ବର୍ଷରୁ ଊର୍ଦ୍ଧ୍ୱ ମହିଳାମାନଙ୍କୁ ମାସିକ ୨୦୦୦ ଟଙ୍କା ଲେଖାଏଁ ପେନସନ।

୭. ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ମଧ୍ୟରେ ଆଦିବାସୀ ମାନଙ୍କର ସମସ୍ତ ଜଙ୍ଗଲ ଜମି ମାମଲାକୁ ପ୍ରତ୍ୟାହାର କରିନିଆଯିବା ସହ ପେସା ଆଇନ ୧୯୯୬କୁ କଡାକଡି ଭାବେ ଲାଗୁ କରାଯିବ।

୮. ଦଳିତ ସୁରକ୍ଷା ସେଲ ଓ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବା ସହ ସରକାର ଗଠନର ବର୍ଷକ ଭିତରେ ସମସ୍ତ ସଂରକ୍ଷିତ ପଦବୀରେ ନିଯୁକ୍ତି ଦିଆଯିବ।

୯. ସଂଖ୍ୟାଲଘୁ ସମ୍ପ୍ରଦାୟ, ଭିନ୍ନକ୍ଷମ ଓ ତୃତୀୟ ଲିଙ୍ଗୀଙ୍କ ପାଇଁ ସକାରାତ୍ମକ ଆଇନ ପ୍ରଣୟନ ଏବଂ ବାର୍ଦ୍ଧ୍ୟକ ଭତ୍ତା ୧୫୦୦ ଟଙ୍କାକୁ ବୃଦ୍ଧି କରାଯିବ।

୧୦. ସରକାର ଗଠନର ୧୦୦ ଦିନ ମଧ୍ୟରେ ନିଶା ନିବାରଣକୁ ସଫଳ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ।

୧୧. ସରକାର ଗଠନର ବର୍ଷକ ମଧ୍ୟରେ ଶିକ୍ଷା ଅଧିକାର ଆଇନରେ ଦ୍ୱାଦଶ ଶ୍ରେଣୀ ଅନ୍ତର୍ଭୁକ୍ତ ହେବ ଏବଂ ଶିକ୍ଷା ବଜେଟକୁ ଶତକଡା ୨୦ ପ୍ରତିଶକୁ ବୃଦ୍ଧି କରାଯିବ।

୧୨. ସରକାର ଗଠନର ପ୍ରଥମ ବର୍ଷରେ ଖାଲି ଥିବା ସମସ୍ତ ଡାକ୍ତର ଓ ନର୍ସ ପଦବୀ ପୂରଣ କରାଯିବ।

୧୩. ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମସ୍ତଙ୍କୁ ରିହାତିରେ ରାସନ ଯୋଗାଇ ଦିଆଯିବ।

୧୪. ୨୦୨୪ ସୁଦ୍ଧା ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏବଂ ଗ୍ରାମାଞ୍ଚଳର ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ।

୧୫. ଓଡ଼ିଶାର ୪୯୦ କିଲୋମିଟର ବ୍ୟାପୀ ସୁଦୀର୍ଘ ସମୁଦ୍ରତଟ ପାଇଁ ‘ବେଳାଭୂମି ବିକାଶ ନୀତି’ ପ୍ରଣୟନ କରାଯିବ।

୧୬. ଶିଳ୍ପ ସଂସ୍ଥାମାନଙ୍କରେ ଯୁବକମାନଙ୍କୁ ଯଥେଷ୍ଟ ପରିମାଣରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ।

୧୭. ୨୦୨୪ ସୁଦ୍ଧା ଦାଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।

୧୮. ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସରକାର ଗଠନର ୬ ମାସ ମଧ୍ୟରେ ଜମାରାଶି ଫେରସ୍ତ କରାଯିବ।

୧୯. ଜନସାଧାରଣଙ୍କୁ ଗଣତନ୍ତ୍ରର ନୀତି ପ୍ରଣୟନରେ ଅଂଶୀଦାର କରାଯିବ।

Comment