ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବୈଜୟନ୍ତଙ୍କ ନାଁ ନନେଇ ହାଇଜମ୍ପ୍ , ଲଙ୍ଗଜମ୍ପ ପାଠ ପଢ଼ାଇଲେ ଭର୍ତ୍ତୃହରି।

“ପିଲାଦିନେ ସ୍କୁଲରେ ପଢ଼ିଲା ବେଳେ ମୁଁ ଦେଖିଛି ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌। ମୁଁ କେବେ ସେଥିରେ ଭାଗ ନେଇନି। ଯେଉଁମାନେ ସେତେବେଳେ ଏଥିରେ ଭାଗ ନେଇଥିଲେ ବୋଧହୁଏ ବତ୍ତର୍ମାନ ରାଜନୀତିରେ ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌ କରୁଛନ୍ତି’’, ଓଡ଼ିଶାଲାଇଭ୍‌କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏହା କହିଛନ୍ତି ଭର୍ତ୍ତୃହରି ମହତାବ।

ଭର୍ତ୍ତୃହରି ହେଉଛନ୍ତି ବିଜେଡିର ବରିଷ୍ଠ ନେତା ଏବଂ ସେ କଟକରୁ ପାଞ୍ଚ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୧୯ ପାଇଁ ବି ଭର୍ତ୍ତୃହରି ବିଜେଡି ଟିକେଟ ପାଇଛନ୍ତି। ଟିକେଟ ଘୋଷଣା ପରେ ଭର୍ତ୍ତୃହରିଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ବୈଜୟନ୍ତ ପଣ୍ଡାଙ୍କ ଦଳ ଛାଡ଼ିବା ସମ୍ପର୍କରେ ଭର୍ତ୍ତୃହରିଙ୍କୁ ପଚରା ଯାଇଥିଲା ପ୍ରଶ୍ନ।

ଏହି ପ୍ରଶ୍ନର ଉତ୍ତରରେ ଭର୍ତ୍ତୃହରି ‘ହାଇଜମ୍ପ, ଲଙ୍ଗଜମ୍ପ’ କଥା କହିଛନ୍ତି।

“ବର୍ତ୍ତମାନର ରାଜନୈତିକ ପରିସ୍ଥିରେ ସେ ଦଳ ଛାଡ଼ିବା ଠିକ୍‌ ହୋଇନାହିଁ। ଗୋଟିଏ ଦଳ ତାଙ୍କୁ ପରିଚୟ ଦେଇଥିଲା ଏବଂ ସେହି ଦଳ ପାଇଁ ସେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଏଣୁ ସେ ଲଙ୍ଗଜମ୍ପ୍‌ ମାରିବା ଠିକ୍‌ ନଥିଲା’’, ବୈଜୟନ୍ତଙ୍କ ନାଁ ନନେଇ ଏହା କହିଛନ୍ତି ଭର୍ତ୍ତୃହରି।

ବୈଜୟନ୍ତଙ୍କ ନାଁ ନନେଇ ଭର୍ତ୍ତୃହରି ଆହୁରି କହିଛନ୍ତି ଯେ ସେ ନିଜ କଥାକୁ ବୋଧହୁଏ ଠିକ୍‌ ଭାବେ ବୁଝେଇ ପାରିନାହାନ୍ତି। ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିବା ଦରକାର ଥିଲା। କିନ୍ତୁ ଏମିତି ଦଳ ବଦଳାଇବା ତାଙ୍କ ପାଇଁ ଠିକ୍‌ ହୋଇନାହିଁ।

‘‘କୋର୍ଟରେ ଠିକ୍ ଭାବେ ମାମଲା ଫଇସଲା ହୁଏନାହିଁ ବୋଲି ଅନେକ ସମୟରେ ଆବେଦନକାରୀମାନେ ଭାବନ୍ତି। ଏହାବାଦ୍ ଆଉ ଗୋଟିଏ କୋର୍ଟ ଅଛି। ତାହା ହେଉଛି ଜନଦରବାର। ଜନତାଙ୍କ କୋର୍ଟରେ ଉପସ୍ଥାପନ କରିବାକୁ ହେଲେ କ’ଣ ନିର୍ବାଚନ ଲଢ଼ିବା ନିହାତି ଦରକାର। ଏଥିରେ ମୁଁ ବିଶ୍ୱାସ କରେନି’’, କହିଛନ୍ତି ଭର୍ତ୍ତୃହରି।

LEAVE A REPLY

Please enter your comment!
Please enter your name here