ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଅଧୀନରେ ଆସୁଥିବା ଦିଗପହଣ୍ଡି ବିଧାନସଭା ଆସନ ପାଇଁ ମଜାଦାର ଲଢ଼େଇ ଚାଲିଛି।
ସବୁ ଦଳର ପ୍ରାର୍ଥୀ ନିଜ ନିଜ ଢଙ୍ଗରେ ପ୍ରଚାର ଚଳାଇଥିବା ବେଳେ ଲଢେଇ ମୁଖ୍ୟତଃ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବିଜେପି ପ୍ରାର୍ଥୀ ତଥା ଫିଲ୍ମ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ଭିତରେ ହିଁ ହେବା ଦେଖାଯାଉଛି।
ଇତି ମଧ୍ୟରେ କଂଗ୍ରେସ ତାର ପ୍ରାର୍ଥୀଙ୍କୁ ବଦଳାଇଛି। ଏଣୁ ଲଢେଇରେ ଜବରଦସ୍ତ ଟୁଇଷ୍ଟ ଆସିଛି। ପୂର୍ବରୁ କଂଗ୍ରେସ ବିସ୍ମୟ ମହାପାତ୍ରଙ୍କୁ ଟିକେଟ ଦେଇଥିଲା। ଏବେ ସେଠାରୁ ପ୍ରଫୁଲ୍ଲ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ପ୍ରଫୁଲ୍ଲ ପଣ୍ଡାଙ୍କୁ ପ୍ରାର୍ଥୀ କରିବା ପଛରେ କାରଣ ହେଉଛି ପିଙ୍କିଙ୍କୁ ଚେକ୍ ଦେବା।
ପଣ୍ଡା ବ୍ଲକ କଂଗ୍ରେସର ବିଭିନ୍ନ ପଦବୀରେ ଥିଲେ ଓ ଏବେ ୮ ନମ୍ୱର ୱାର୍ଡର କାଉନସିଲର ଅଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଙ୍ଗଳବାର ଦିନ ନିର୍ବାଚନ ପ୍ରଚାର ପାଇଁ ଦିଗପହଣ୍ଡି ଆସୁଥିବାରୁ କଂଗ୍ରେସ କର୍ମୀଙ୍କ ଭିତରେ ଉତ୍ସାହ ବଢ଼ିଯାଇଛି।
ପିଙ୍କି ପ୍ରଧାନ ଭେଟେରାନ ନେତା ସୂର୍ଯ୍ୟ ନାରାୟଣ ପାତ୍ର ଓ ପ୍ରଫୁଲ୍ଲ ପଣ୍ଡାଙ୍କୁ କେମିତି ସାମ୍ନା କରିବେ ତାହାହିଁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। ଟିକେଟ ପାଇବା ପରେ ପିଙ୍କି କହିଲେ, ’ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧି ଭାବେ ଦିଗପହଣ୍ଡିରେ କାମ କରିବି’।
ପିଙ୍କି ହେଉଛନ୍ତି ଦିଗପହଣ୍ଡିର ବୋହୂ। ଦିଗପହଣ୍ଡି ବ୍ଲକର ନରେନ୍ଦ୍ରପୁର ଗ୍ରାମରେ ସେ ବିବାହ କରିଛନ୍ତି। ଗାଁର ବୋହୂ ହୋଇଥିବାରୁ ତାଙ୍କୁ ଲୋକେ ଭୋଟ ଦେଇ ନିଶ୍ଚିତ ଭାବରେ ଜିତାଇବେ ବୋଲି କହିଛନ୍ତି ପିଙ୍କିଙ୍କ ଜଣେ ସମର୍ଥକ।
ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୯ ଓ ୨୦୧୪ ନିର୍ବାଚନରେ ଏଠାରୁ ଜିତି ବିଧାନସଭା ଯାଇଥିଲେ ଓ ମନ୍ତ୍ରୀ ବି ହୋଇଥିଲେ। ଏଣୁ ପାତ୍ରଙ୍କ ଦବଦବା ରହିବା ସ୍ୱାଭାବିକ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ଓ ବିଜେପି ମୁଣ୍ଡ ଟେକୁଥିବା ବେଳେ ନିର୍ବାଚନରେ କିଏ ଜିତିବେ ଓ କାହାର ପହଣ୍ଡି ବିଜେ ହେବ ସେ କଥା ଦେଖିବାକୁ ବାକି ରହିଲା।