ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚର୍ଚ୍ଚାରେ ନବୀନଙ୍କ ଫିଟନେସ୍ ଭିଡିଓ। ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରକୁ ନେଇ ରାଜନୀତି ସରଗରମ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫିଟନେସ୍ ଭିଡିଓକୁ ନେଇ ଚର୍ଚ୍ଚା ଜୋର୍। ଗତ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫିଟନେସ୍ ଭିଡିଓର ବାସ୍ତବତାକୁ ନେଇ ତର୍ଜମା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମରେ ଏନେଇ ଏକ ଖବର ପ୍ରକାଶ ପାଇଛି। ୱର୍କ ଆଉଟ କରୁଥିବା ବେଳେ ନବୀନ ସାକ୍ଷାତକାର ଦେଇ ପୂରା ଫିଟ୍ ରହିଥିବା ସୂଚନା ଦେଇଛନ୍ତି।
ନବୀନ ନିବାସ ଜିମରେ ନବୀନ ବ୍ୟାୟାମ କରୁଥିବା ବେଳେ ହିଁ ଜାତୀୟ ଗଣମାଧ୍ୟମର ପ୍ରତିନିଧି ସାକ୍ଷାତକାର ନେଇଥିଲେ। ନବୀନ ତାଙ୍କ ଜିମରେ ସାଇକ୍ଲିଂ କରୁଥିବା ବେଳେ ପୂରା ଫିଟ୍ ରହିଥିବା ସୂଚନା ଦେଇଛନ୍ତି। ଏହି ସାକ୍ଷାତକାର ଦେଇ ନବୀନ ଏବଂ ତାଙ୍କ ମ୍ୟାନେଜରମାନେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି ଯେ ‘ନବୀନ ଆଦୌ ଅସୁସ୍ଥ ନାହାନ୍ତି। ସେ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ପୂରା ଫିଟ୍ ରହିଛନ୍ତି।’
NDTV gets rare access to @Naveen_Odisha’s workout routine. Says ill health rumours spread by @PandaJay to ‘further his political ambitions’. @OnReality_Check pic.twitter.com/AuzMfP6CMs
— Sreenivasan Jain (@SreenivasanJain) April 8, 2019
ଗତ ଦୁଇ ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ନବୀନ କଳା ରଙ୍ଗର ଟି ସାର୍ଟ, ଟ୍ରାଉଜର ଓ ସ୍ପୋର୍ଟସ୍ ସୁ ପିନ୍ଧି ନବୀନ ନତବାସ ଗାଡେନରେ ଜଗିଂ କରୁଥିବା ଦେଖିବାକୁ ମିଳିଥିଲା।
ଖାଲି ସେତିକି ନୁହେଁ, ସୂର୍ଯ୍ୟ ନମସ୍କାର, ସାଇକ୍ଲିଂ, ଡମ୍ବଲ ଉଠାଇ ନବୀନ ଫିଟ୍ ବୋଲି ଏହି ଭିଡିଓରୁ ପ୍ରମାଣ ମିଳିଥିଲା। ହେଲେ ନବୀନଙ୍କୁ ଅତି ପାଖରୁ ଦେଖିଥିବା ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିଲେ। କାରଣ ନବୀନ ଏବେ ଯେଉଁଠି ପ୍ରଚାର କରିବାକୁ ଯାଉଛନ୍ତି ସେଠି ସେ ତାଙ୍କ ସୁରକ୍ଷା କର୍ମୀଙ୍କ ସାହାରା ଲୋଡୁଥିବା ବିଭିନ୍ନ ଗଣମାଧ୍ୟମରୁ ଦେଖିବାକୁ ମିଳିଛି। ଏଣୁ ନବୀନ ଏକାକୀ ୱାର୍କ ଆଉଟ କରୁଥିବା ଭିଡିଓକୁ ବିରୋଧୀମାନେ ସହଜରେ ଗ୍ରହଣ କରି ନଥିଲେ।
ନବୀନଙ୍କ ଫିଟନେସ୍ ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଏବଂ ବିଜେପି ନେତା ଡାକ୍ତର ଦାମୋଦର ରାଉତ ଚାଲେଞ୍ଜ ଦେଇଥିଲେ।
ସୁର ଆହ୍ୱାନ ଦେଇଥିଲେ, ‘ନବୀନ ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଛକ ପର୍ଯ୍ୟନ୍ତ ମୋ’ ସହ ଦୌଡ଼ନ୍ତୁ’। ସେହିପରି ଦାମ ମଧ୍ୟ ନବୀନଙ୍କ ଫିଟନେସ୍ ଭିଡିଓକୁ ସମାଲୋଚନା କରିଥିଲେ।
ଏହି ଫିଟନେସ୍ ଭିଡିଓକୁ ଆହୁରି ବଳିଷ୍ଠ କରିବା ପାଇଁ ୱାର୍କ ଆଉଟ କରୁଥିବା ବେଳେ ହିଁ ନବୀନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିବା ଚର୍ଚ୍ଚା ହେଉଛି। ନବୀନଙ୍କ ଫିଟନେସକୁ ସୋ’ କରି ବିଜେଡି ୨୦୧୯ ନିର୍ବାଚନରେ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ଆଲୋଚନା ହେଉଛି।
ଏବେ ବି ନବୀନଙ୍କ ନିଶାନାରେ ବୈଜୟନ୍ତ
ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ହେଲେ ଏବେ ନବୀନଙ୍କ ଶିବିରରୁ ବୈଜୟନ୍ତଙ୍କୁ ନିଶାନା କରାଯାଉଛି।
ସାକ୍ଷାତକାର ବେଳେ ଜାତୀୟ ଗଣମାଧ୍ୟମ ପ୍ରତିନିଧି ‘ଜୟ ପଣ୍ଡା’ଙ୍କ କଥା ପଚାରିଥିଲେ।
‘ଜୟ ପଣ୍ଡା’ ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରୁଥିଲେ କି? ଏହି ପ୍ରଶ୍ନର ଉତ୍ତରରେ ନବୀନ ‘ହଁ’ କହିଥିଲେ।
ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୈଜୟନ୍ତ ଗୁଜବ କରୁଥିବା ନେଇ ବିଜେଡି ନେତାମାନେ ଅଭିଯୋଗ କରି ଆସୁଥିଲେ। ବୈଜୟନ୍ତ ନିଜ ରାଜନୈତିକ ଅଭିଳାଷ ପୂରଣ ପାଇଁ ଏହି ପ୍ରଚାର କରୁଥିବା ବିଜେଡି ଶିବିର ଅଭିଯୋଗ କରିଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଏହାକୁ ଭୁଲ୍ ପ୍ରମାଣିତ କରିବା ପାଇଁ ଏଭଳି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି।
ନବୀନଙ୍କ ଏହି ଫିଟନେସ୍ ଭିଡିଓ ସୋସିଆଲ ମିଡିଆରେ କିଏ ପୋଷ୍ଟ କଲା? କେଉଁ ଉଦ୍ଦେଶ୍ୟରେ ଏହି ଭିଡିଓ ପୋଷ୍ଟ ହେଲା? ଭୋଟ ପୂର୍ବରୁ ଏମିତି ଭିଡିଓ କାହିଁକି ଆସିଲା?
ଏହାକୁ ନେଇ ତର୍ଜମା ଚାଲିଥିବା ବେଳେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଏହି ଭିଡିଓକୁ ଆହୁରି ଚର୍ଚ୍ଚିତ କରିଦେଇଛି।
ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୈଜୟନ୍ତ ଗୁଜବ ପ୍ରଚାର କରୁଥିବା ନେଇ ପ୍ରଶ୍ନର ଉତ୍ତରରେ ନବୀନ ‘ହଁ’ କହିବା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ। ସେ କହିଛନ୍ତି, ‘‘ଏହା ହେଉଛି ନନସେନସିଆଲ କନସପ୍ୟାରେନ୍ସି ଥିଓରି’’।
ସେ ଟୁଇଟ କରି କହିଛନ୍ତି, ‘‘ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ମହାପ୍ରଭୁ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ମୁଁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରୁଛି।’’