ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମତଦାନରେ ଗଜପତି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆସନ ପାରଳାଖେମୁଣ୍ଡିରେ ଭୋଟ ପଡ଼ିବ। ଏହି ବିଧାନସଭା ଆସନ ଭିତରେ ଆସୁଛି ପାରଳାଖେମୁଣ୍ଡି ସହର, କାଶୀନଗର ଏନଏସି, ପାରଳାଖେମୁଣ୍ଡି ବ୍ଲକ, ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକ।

ପାରଳାଖେମୁଣ୍ଡିରେ ଏଥର ନିର୍ବାଚନ ଅତ୍ୟନ୍ତ ରୋଚକ ହେବାକୁ ଯାଉଛି। ଶାସକ ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି ରାଜପରିବାରର ସଦସ୍ୟ। କଲ୍ୟାଣୀଦେବୀଙ୍କୁ ଟିକେଟ ମିଳିଛି। ସେ ରାଜନୀତିରେ ପୂରା ନୂଆ ଯଦିଓ ତାଙ୍କ ବାପା ସାଂସଦ ଥିଲେ। ଯଦି କଲ୍ୟାଣୀ ଜିତିବେ କେବଳ ନବୀନଙ୍କ ଲୋକପ୍ରିୟତାକୁ ଭିତ୍ତି କରି।

ତେଣେ ବିଜେପି ପକ୍ଷରୁ କେ ନାରାୟଣ ରାଓଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ପକ୍ଷରୁ କେ ସୂର୍ଯ୍ୟ ରାଓ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ବହୁଜନ ସମାଜ ପାର୍ଟି ପକ୍ଷରୁ ଗୌରୀ ଶଙ୍କର ମହାନନ୍ଦିଆ ପ୍ରାର୍ଥୀ ହୋଇଥିବା ବେଳେ ତିରୁପତି ପାଣିଗ୍ରାହୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ମଜା କଥା ହେଉଛି ପାରଳାଖେମୁଣ୍ଡି ଆସନରେ ଯିଏ ଦଳୀୟ ଟିକେଟ ପାଇବା କଥା ସେ ପାଇନାହାନ୍ତି ଅଥଚ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀ ହାରିବା ଦଳରେ ପହଞ୍ଚିଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ଦଳର କେ ସୂର୍ଯ୍ୟ ରାଓ ବିଜେଡିର ନାରାୟଣ ରାଓଙ୍କୁ ୧୪୧୯ ଭୋଟରେ ହରାଇଥିଲେ। ଏଥର ନିର୍ବାଚନରେ ଉଭୟ ରାଓ ନିଜ ନିଜ ଦଳ ବଦଳାଇଛନ୍ତି।

ପାରଳାଖେମୁଣ୍ଡି ବିଧାନସଭା ଆସନରେ ତେଲୁଗୁ ଭୋଟର ହିଁ ସବୁବେଳେ ନିର୍ଣ୍ଣାୟକ ହୋଇ ଆସିଛନ୍ତି। ଏଥର ବି ସେୟା ହୋଇଥାନ୍ତା। କିନ୍ତୁ ତେଲୁଗୁ ଭୋଟ ଦୁଇ ରାଓଙ୍କ ଭିତରେ ବାଣ୍ଟି ହୋଇଯିବାର ସମ୍ଭାବନା ରହିଛି। ଏଣୁ ଶାସକ ବିଜେଡିର କଲ୍ୟାଣୀ ଦେବୀଙ୍କ ପାଇଁ ଜିତିବା ସହଜ ହୋଇପାରେ।

ହେଲେ  ଏଥିରେ ବି ଅସୁବିଧା ରହିଛି। ହାଇ-ଟେକ ମେଡିକଲ କଲେଜ ଗ୍ରୁପର ପ୍ରତିଷ୍ଠାତା ଡକ୍ଟର ତିରୁପତି ପାଣିଗ୍ରାହୀ ଏଠାରୁ ସ୍ୱାଧୀନ ଭାବେ ଲଢ଼ୁଛନ୍ତି। କଂଗ୍ରେସ ପକ୍ଷରୁ ତାଙ୍କୁ ଟିକେଟ ମିଳିବାର ସମ୍ଭାବନା ଥିଲା କିନ୍ତୁ ଶେଷ ମୁହୂର୍ତ୍ତରେ ସୂର୍ଯ୍ୟ ରାଓଙ୍କୁ  ପ୍ରାର୍ଥୀ କରାଗଲା। ଏହି ଆସନରୁ ଟିକେଟ ପାଇବାର ଆଶା ନେଇ ତିରୁପତି ପାଖାପାଖି ଏକ ବର୍ଷ ଧରି ସଙ୍ଗଠନକୁ ସୁଦୃଢ଼ କରି ଆସୁଥିଲେ। ତିରୁପତିଙ୍କ ଅଭିଯୋଗ ଯେ ତାଙ୍କୁ ଟିକେଟ ନଦେବାରେ ପିସିସି ସଭାପତିଙ୍କ ଜଣେ ଦଲାଲଙ୍କ ଭୂମିକା ରହିଛି।

ଇତି ମଧ୍ୟରେ ଏହାର ପ୍ରତିବାଦରେ ଅନେକ କଂଗ୍ରେସ ବ୍ଲକ ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ଦଳ ଛାଡ଼ି ତିରୁପତିଙ୍କୁ ସମର୍ଥନ  ଦେଉଛନ୍ତି।

ଏହିଭଳି କାଣ୍ଟେ  କି ଟକ୍କର ଭଳି ପରିସ୍ଥିତିରେ ଯିଏ ବି ବିଜୟୀ ହେବେ ସେ ମାତ୍ର ଅଳ୍ପ ଭୋଟରେ ହିଁ ବିଧାନସଭାକୁ ଆସିବେ ଏହା ଏବେଠାରୁ ସ୍ପଷ୍ଟ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here