ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବ୍ରହ୍ମପୁର ବିଧାନସଭା ଆସନ ପାଇଁ କଡ଼ା ଟକ୍କର। ଏଥର ବିଜେଡି-ବିଜେପି-କଂଗ୍ରେସ ଭିତରେ ଚାଲିଛି କଡ଼ା ଟକ୍କର।
(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ) : ବ୍ରହ୍ମପୁର ବିଧାନସଭା ଆସନରେ ଅଭିଜ୍ଞତା ଓ ଦୃଢ଼ ସାଙ୍ଗଠନିକ କାର୍ଯ୍ୟକୁ ଆଧାର କରି ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବିକ୍ରମ କୁମାର ପଣ୍ଡା ଏଥର ନିର୍ବାଚନ ବୈତରଣୀ ପାର୍ ହେବେ ବୋଲି ଆଶା କରିଛନ୍ତି।
ଏଥର ତ୍ରିମୁଖୀ ଲଢ଼େଇ
ଗତ ବର୍ଷ ବିକ୍ରମ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ତାଙ୍କୁ ବିଜେଡି ଏଥର ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ପାଞ୍ଚ ଥରର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଏଥର ଟିକେଟ ନଦେଇ ବିକ୍ରମଙ୍କ ଉପରେ ଭରସା କରିଛନ୍ତି ବିଜେଡି ସୁପ୍ରିମୋ।
ଚ୍ୟାଉ ପଟ୍ଟନାୟକ ୧୯୯୫ରେ ଜନତା ଦଳ ଟିକେଟ, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ନିର୍ବାଚନ ଜିତି ଆସୁଥିଲେ। ହେଲେ ଏଥର ସେ ଟିକେଟରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ବିଜେଡି ରାଜ୍ୟସଭା ପଠାଇ ପାରେ ବୋଲି ଚର୍ଚ୍ଚା ହେଉଛି।
୨୦୦୯ ଏବଂ ୨୦୧୪ରେ ବିକ୍ରମ କଂଗ୍ରେସ ପ୍ରାର୍ଥୀ ଭାବେ ବ୍ରହ୍ମପୁର ବିଧାନସଭା ଆସନରୁ ଲଢ଼ିଥିଲେ। ହେଲେ ରମେଶ ଚ୍ୟାଉ ପଟ୍ଟନାୟକଙ୍କଠାରୁ ସେ ୨୦୦୯ରେ ୩ ହଜାର ୮୪୪ ଭୋଟ ଏବଂ ୨୦୧୪ରେ ୧୦୩୯ ଭୋଟରେ ପରାଜିତ ହୋଇଥିଲେ।
ହେଲେ ଏଥର ବିକ୍ରମ ବିଧାନସଭାକୁ ନିର୍ବାଚିତ ହେବା ନେଇ ଆଶା ବାନ୍ଧିଛନ୍ତି। ବ୍ରହ୍ମପୁରର ବିକାଶ, ବିଜେଡି ଟିକେଟ, ରମେଶଙ୍କ ସମର୍ଥନ ଥିବାରୁ ବିକ୍ରମଙ୍କ ପାଇଁ ଏଥର ନିର୍ବାଚିତ ଜିତିବା ସହଜ ହେବ ବୋଲି ଆଲୋଚନା ହେଉଛି।
ବ୍ରହ୍ମପୁର ବିଧାନସଭା ଆସନରେ ଏଥର ୧୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ତିନି ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର ହେବ ବୋଲି ଆକଳନ କରାଯାଉଛି।
ବିକ୍ରମଙ୍କୁ ବିଜେପି ପ୍ରାର୍ଥୀ କାହ୍ନୁ ଚରଣ ପତି ଏବଂ କଂଗ୍ରେସର ଲିଙ୍ଗରାଜ ଚୌଧୁରୀ କଡ଼ା ଟକ୍କର ଦେବେ।
ବିଜେପି ପ୍ରାର୍ଥୀ କାହ୍ନୁ ଚରଣ କହିଛନ୍ତି, ‘‘ବ୍ରହ୍ମପୁରର ବିକାଶ ପ୍ରତି ଅଣଦେଖା କରାଯାଇଛି। ଜାନିବିଲି ଜଳ ଯୋଗାଣ ପ୍ରକଳ୍ପ ନାଁରେ ବିଜେଡି ଲୋକଙ୍କୁ ଭୂଆଁ ବୁଲାଉଛି। ଜାଇକାରୁ ଟଙ୍କା ଆଣି ରାଜ୍ୟ ସରକାର ବାହା ବାହା ନେଉଛନ୍ତି। ବ୍ରହ୍ମପୁରରେ ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି।’’
ଜେଲରୁ ଲଢୁଛନ୍ତି ପୂର୍ବତନ ମେୟର
ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଶିବ ଶଙ୍କର ଦାସ ମଧ୍ୟ ଏଥର ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ୨୦୦୮ରେ ସେ ବିଜେଡି ଟିକେଟରେ କର୍ପୋରେଟର ଜିତି ମେୟର ହୋଇଥିଲେ। କିନ୍ତୁ ଦଳରେ ମତ ପାର୍ଥକ୍ୟ ଯୋଗୁଁ ସେ ବିଜେଡି ଛାଡ଼ି ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ। ସେହି ବର୍ଷ ଶିବ ଶଙ୍କର ବିଜେପିରୁ ନିର୍ବାଚନ ଲଢ଼ି ୨୪ ହଜାର ୯୨ ଭୋଟ ପାଇଥିଲେ।
ଏହାପରେ ବିଭିନ୍ନ ଫୌଜଦାରୀ ମାମଲାରେ ସେ ଛନ୍ଦି ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଅଛନ୍ତି। ଏବେ ସେ ଜେଲରେ ଥାଇ ନିର୍ବାଚନ ଲଢୁଛନ୍ତି। ତାଙ୍କ ନାଁରେ ୩୮ଟି ମାମଲା ଥିଲା। ସେ ୩୫ ମାମଲାରେ ଜାମିନ ପାଇଛନ୍ତି।
ଶିବ ଶଙ୍କରଙ୍କ ପାଇଁ ତାଙ୍କ ସ୍ତ୍ରୀ ଆଶା କୁମାରୀ ପ୍ରଚାର ଚଳାଇଛନ୍ତି। ଏଥିରେ ତାଙ୍କ ମା’ ଶାରଦା ଦାସ ସହଯୋଗ କରୁଛନ୍ତି।
ଏଥର ଆଉ କିଏ ପ୍ରାର୍ଥୀ?
ତିନି ପ୍ରମୁଖ ଦଳକୁ ଛାଡ଼ିଦେଲେ ଆମ୍ବେଦକର ନ୍ୟାସନାଲ କଂଗ୍ରେସରୁ ଗୋବିନ୍ଦ ଚନ୍ଦ୍ର ସାହୁ, ଏସୟୁସିଆଇରୁ ଶିବାନୀ ଶଙ୍କର ମିଶ୍ର, ସ୍ୱାଧୀନ ପ୍ରାର୍ଥୀ ଭାବେ ଅବନୀ କୁମାର ଗୟା, ଜୀବନ ପାତ୍ର ଓ ସୁମିତ ପାତ୍ର ପ୍ରାର୍ଥୀ ହୋଇଛନ୍ତି।
ବ୍ରହ୍ମପୁର ଗଣିତ
୩୫ଟି ଓ୍ୱାର୍ଡକୁ ନେଇ ବ୍ରହ୍ମପୁର ବିଧାନସଭା ଆସନ ଗଠିତ। ମୋଟ ଭୋଟର ହେଉଛନ୍ତି ୨ ଲକ୍ଷ ୪ ହଜାର ୮୬୩। ମହିଳା ଭୋଟର ୧ ଲକ୍ଷ ୧ ହଜାର ୭୨୧।
୨୦୧୪ରେ ବିଜେଡିରୁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୪୩ ହଜାର ୨୧୧ ଭୋଟ ପାଇଥିବା ବେଳେ କଂଗ୍ରେସରୁ ବିକ୍ରମ ପଣ୍ଡା ୪୨ ହଜାର ୧୭୨ ଏବଂ ବିଜେପିର ଶିବ ଶଙ୍କର ଦାଶ ୨୪ ହଜାର ୯୨ ଭୋଟ ପାଇଥିଲେ।