ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଏଥର ୨୦୧୯ ନିର୍ବାଚନରେ ନବୀନଙ୍କ ନୂଆ ଏକ୍ସପେରିମେଣ୍ଟ। ୪ନୂଆ ମୁହଁଙ୍କ ଭାଗ୍ୟ ପରୀକ୍ଷା ଏପ୍ରିଲ ୧୧ରେ।
ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ କଳାହାଣ୍ଡି, ନବରଙ୍ଗପୁର,ବ୍ରହ୍ମପୁର,କୋରାପୁଟ ସଂସଦୀୟ ଆସନ ପାଇଁ ମତଦାନ ହେବ। ଏଣୁ ନିର୍ବାଚନ ପାଣିପାଗ ଏଠାରେ ସରଗରମ ହୋଇପଡ଼ିଛି। ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ଆସନ୍ତୁ ନଜର ପକାଇବା ପ୍ରଥମ ପର୍ଯ୍ୟାୟରେ ହେବାକୁଥିବା ୪ଲୋକସଭା ଆସନ ଲାଗି ବିଜେଡି କେଉଁ ନୂଆ ମୁହଁଙ୍କୁ ନେଇ ଏକ୍ସପେରିମେଣ୍ଟ କରିଛି।
ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ନୂଆ ରମେଶ
ନବରଙ୍ଗପୁର ଲୋକସଭା ଆସନ ପାଇଁ ରମେଶ ମାଝି ନୂଆ ମୁହଁ ହୋଇଥିଲେ ମଧ୍ୟ ରାଜନୀତିରେ ସେ ଜଣେ ଭଲ ଖେଳୁଆଡ। ଝରିଗାଁ ବିଧାନସଭା ଆସନରୁ ଲଗାତାର ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ରହିଥିଲେ ରମେଶ। ଏବେ ତାଙ୍କୁ ବିଜେଡି ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି।
କଂଗ୍ରେସର ଯୁବ ତଥା ଟାଣୁଆ ନେତା ପ୍ରଦୀପ ମାଝିଙ୍କୁ ଏଥର ମୁକାବିଲା କରିବେ ରମେଶ। ଝରିଗାଁ ବିଧାନସଭା ଆସନରୁ ସଫଳତା ପାଇ ଆସୁଥିବା ରମେଶ ଏଥର ଲୋକସଭାରେ ସଫଳ ହେଉଛନ୍ତି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।
ବ୍ରହ୍ମପୁର ଲୋକସଭା ଆସନ – କାହା ପଲ୍ଲା ଭାରି?
ବ୍ରହ୍ମପୁର ଲୋକସଭା ଆସନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡି ଏବଂ ବିଜେପି ଭିତରେ କଡ଼ା ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି। ଚନ୍ଦ୍ରଶେଖର ସାହୁ ବ୍ରହ୍ମପୁର ଲୋକସଭା ଆସନରୁ ୨୦୦୪ରେ କଂଗ୍ରେସ ଟିକେଟରୁ ଜିତିଥିଲେ। ଉପା ସରକାରରେ ମନ୍ତ୍ରୀ ରହିଥିଲେ। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇଛନ୍ତି। ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ସେ ବିଜେଡିକୁ ଆସି ଟିକେଟ ନେଇଛନ୍ତି
ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଆସିଥିବାରୁ କଂଗ୍ରେସରେ ତାଙ୍କର କିଛି ଭୋଟ ରହିଛି। ଏହାଛଡ଼ା ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ଦଳୀୟ ଭୋଟ ତାଙ୍କ ସପକ୍ଷରେ ଯିବ। ଏସବୁ ଭୋଟକୁ ନେଇ ଚନ୍ଦ୍ରଶେଖର ଲୋକସଭାକୁ ଯିବା ପାଇଁ ଅଙ୍କ କଷୁଛନ୍ତି।
କୋରାପୁଟ ଲୋକସଭା ଆସନ – କଷଟି ପଥରରେ କୌଶଲ୍ୟା
ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣର ସଂକଳ୍ପକୁ ସାକାର କରିବା ସକାଶେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୋରାପୁଟ ଲୋକସଭା ଆସନରୁ କୌଶଲ୍ୟା ହିକ୍କାଙ୍କୁ ପ୍ରାର୍ଥୀ କରିଛନ୍ତି। ସେ ହେଉଛନ୍ତି ବର୍ତ୍ତମାନର ସାଂସଦ ଥିବା ଝିନ ହିକ୍କାଙ୍କ ପତ୍ନୀ।
ଆଗରୁ ରାଜନୀତିରେ ଅଭିଜ୍ଞତା କି ଆଗ୍ରହ ନଥିବା କୌଶଲ୍ୟା କୋରାପୁଟ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରୁ ଲଢ଼ୁଛନ୍ତି ଯାହାକି ତାଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତାଙ୍କ ବିରୋଧରେ ଅନ୍ୟ ଦଳରୁ ମହା ମହା ରଥୀ ଠିଆ ହୋଇଛନ୍ତି।
ଝିନଙ୍କ ପତ୍ନୀ ହେବା ସତ୍ତ୍ୱେ ସେ ରାଜନୀତିରେ ବିଶେଷ ଆଗ୍ରହ ଦେଖାଉନଥିଲେ କି ଦଳୀୟ କାର୍ଯ୍ୟକ୍ରମ ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା। ଏହି ପରିସ୍ଥିତିରେ ନିର୍ବାଚନ ବୈତରଣୀ ପାର ହେବା କୌଶଲ୍ୟାଙ୍କ ପକ୍ଷରେ କଷ୍ଟ ହେବ ବୋଲି ଆଲୋଚନା ହେଉଛି। ବିଜେପିର ବରିଷ୍ଠ ନେତା ଜୟରାମ ପାଙ୍ଗି ଓ କଂଗ୍ରେସର ସପ୍ତଗିରି ଉଲାକାଙ୍କ ସହ କୌଶଲ୍ୟା ନିର୍ବାଚନ ଲଢ଼ୁଛନ୍ତି।
କୌଶଲ୍ୟା ଭୁବନେଶ୍ୱର ୟୁନିଟ -୧ ହାଇସ୍କୁଲର ଶିକ୍ଷୟିତ୍ରୀ ଥିଲେ। ପୂର୍ବରୁ ସେ ଲକ୍ଷ୍ମୀପୁରରେ ଚାକିରିକରୁଥିଲେ। ୨୦୧୨ ମସିହାରେ ମାଓବାଦୀମାନେ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିନେବା ପରେ ସୁରକ୍ଷା କାରଣରୁ ସେ ଭୁବନେଶ୍ୱର ବଦଳି ହୋଇ ଆସିଥିଲେ
କଳାହାଣ୍ଡି କାହାର?
ଆସନ୍ତା ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଭୋଟରେ କଳାହାଣ୍ଡି ସଂସଦୀୟ ଆସନ ପାଇଁ ମତଦାନ ହେବ। ଏଣୁ ନିର୍ବାଚନ ପାଣିପାଗ ଏଠାରେ ସରଗରମ ହୋଇପଡ଼ିଛି। ସମସ୍ତ ବିଧାନସଭା ଆସନ ଓ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।
ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ନୂଆପଡ଼ା ଜିଲ୍ଲାର ହୋଇଥିବା କାରଣରୁ ତାଙ୍କୁ ନୂଆପଡ଼ାରୁ ପୂରା ଭୋଟ ମିଳିପାରେ ବୋଲି ଆଲୋଚନା ହେଉଛି। ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ ସ୍ଥାନୀୟ ବିଧାୟକ ହେବା ସତ୍ତ୍ୱେ ତାଙ୍କ ପ୍ରଚାର ଏ ପର୍ଯ୍ୟନ୍ତ ଜୋର ଧରିନଥିବା ଦେଖାଯାଉଛି। ନିର୍ବାଚନରେ ପୁଷ୍ପେନ୍ଦ୍ରଙ୍କ ପାଇଁ କାଳିଆ ଯୋଜନା କଣ୍ଟା ହୋଇପାରେ ବୋଲି କୁହାଯାଉଛି। କିଛି ହିତାଧିକାରୀଙ୍କୁ କାଳିଆ ଟଙ୍କା ନ ମିଳିବାରୁ ସେମାନେ କ୍ଷୁବ୍ଧ। ଅନ୍ୟପଟେ ଶେଷ ଦିନ ପ୍ରଚାରରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ପୁଷ୍ପେନ୍ଦ୍ରଙ୍କୁ ଭୋଟ ଦେବା ଲାଗି ଆହ୍ୱାନ କରିଛନ୍ତି।


















