ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ରାତି ପାହିଲେ ବ୍ରହ୍ମପୁର ଲୋକସଭା ଆସନରେ ଭୋଟ। ବିଜେପି, ବିଜେଡି ଓ କଂଗ୍ରେସ ପ୍ରାଥୀଙ୍କ ଭାଗ୍ୟ ଇଭିଏମରେ ହେବ ସିଲ୍। ନିର୍ବାଚନକୁ ନେଇ ବ୍ରହ୍ମପୁରର ବିଭିନ୍ନ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ବ୍ରହ୍ମପୁର ଲୋକସଭା ଆସନ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନ ଏବଂ ପାରଳାଖେମୁଣ୍ଡି ବିଧାନସଭା ଆସନକୁ ନେଇ ଗଠିତ। ଏହି ଲୋକସଭା ଆସନରୁ ଅଭିନେତାରୁ ନେତା ବନିଥିବା ସିଦ୍ଧାନ୍ତ ମହାପାତ୍ର ୨୦୦୯ ଏବଂ ୨୦୧୪ରେ ନିର୍ବାଚନ ଜିତି ଆସୁଥିଲେ। କିନ୍ତୁ ଗତ ବର୍ଷ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ଚନ୍ଦ୍ର ଶେଖର ସାହୁଙ୍କୁ ବିଜେଡି ଏଥର ଟିକେଟ ଦେଇଛି।
ଚନ୍ଦ୍ରଶେଖର ୨୦୦୪ ନିର୍ବାଚନରେ କଂଗ୍ରେସ ଟିକେଟରେ ଜିତି କେନ୍ଦ୍ରମନ୍ତ୍ରୀ ହୋଇଥିଲେ।
୨୦୧୪ରେ ସିଦ୍ଧାନ୍ତ ୩ ଲକ୍ଷ ୯୮ ହଜାର ୧୦୩ ଭୋଟ ପାଇଥିବା ବେଳେ ଚନ୍ଦ୍ରଶେଖର ୨ ଲକ୍ଷ ୭୦ ହଜାର ୩୮୩ ଭୋଟ ପାଇଥିଲେ। ବିଜେପି ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ୧ ଲକ୍ଷ ୫୮ ହଜାର ୮୧୧ ଭୋଟ ପାଇଥିଲେ।
ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ବହୁବିଧ ବିକାଶମୂଳକ କାର୍ଯ୍ୟ କରିଛନ୍ତି। ଏଣୁ ଦଳ ଏଠାରେ ଭଲ ପ୍ରଦର୍ଶନ କରିବ।”
ବିଜେପି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ଯୋଜନାକୁ ଭରସା କରିଥିବା ବେଳେ କଂଗ୍ରେସର ଭି ଚନ୍ଦ୍ର ଶେଖର ନାଇଡୁ ଉଭୟ ଦଳକୁ ସମାଲୋଚନା କରିଛନ୍ତି।


















