ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆଜି ଆମେଠି ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଅନ୍ୟପଟେ ବାରଣାସୀ ଲୋକସଭା ଆସନ ଲାଗି ଆସନ୍ତା ୨୬ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦି। ସୂଚନାନୁସାରେ ପ୍ରାର୍ଥିପତ୍ର ଦାଖଲ ପୂର୍ବଦିନ ରୋଡ଼ ସୋ ମାଧ୍ୟମରେ ବିଜେପି ସେଠାରେ ଶକ୍ତି ପ୍ରଦର୍ଶନ କରିବ।

ନାମାଙ୍କନ ଦାଖଲ ବେଳେ ମୋଦିଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ,କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ,ଅରୁଣ ଜେଟଲି, ନିତିନ ଗଡକରୀ,ସୁଷମା ସ୍ଵରାଜଙ୍କ ସହିତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିବେ।

ମୋଦି ବାରଣାସୀରୁ ଏଥର ଦ୍ୱିତୀୟ ଥର ଲାଗି ନିର୍ବାଚନ ଲଢ଼ୁଛନ୍ତି। ୨୦୧୪ ନିର୍ବାଚନ ଭଳି ଏଥର ମଧ୍ୟ ମୋଦି ନାମାଙ୍କନ ଦାଖଲ ପୂର୍ବରୁ ଅର୍ଥାତ ଏପ୍ରିଲ ୨୫ରେ ଲଙ୍କା ଠାରୁ ଦଶ୍ୱାସମେଧ ଘାଟ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ। ଏହା ପରେ ଏପ୍ରିଲ ୨୬ ଦିନ ବାବା ବିଶ୍ଵନାଥକୁ ଦର୍ଶନ କରି ନାମାଙ୍କନ ଦାଖଲ କରିବେ।

ଏଥର ବାରଣାସୀରେ ମେ ୧୯ ତାରିଖରେ ଭୋଟଗ୍ରହଣ ହେବ। ବାରଣାସୀରୁ କଂଗ୍ରେସ,ସମାଜବାଦୀ ପାର୍ଟି,ବହୁଜନ ସମାଜବାଦୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି।

Comment