କପିଳାସ ଭୂୟାଁ

କେନ୍ଦ୍ରରେ ବିଜେପି ସରକାର ପାଞ୍ଚ ବର୍ଷ ପୂରିଗଲା, ଆଉ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜେଡିର ଉଣେଇଶି ବର୍ଷ। ଦେଶ ତଥା ରାଜ୍ୟର ଚାଷୀମାନଙ୍କ ପ୍ରତି ଏହି ରାଜନୈତିକ ଦଳଦୁଇଟିର ଦରଦ ଏବେ ୨୦୧୯ ନିର୍ବାଚନ ପୂର୍ବରୁ ଯେଉଁ ମାତ୍ରାରେ ଦେଖିବାକୁ ମିଳୁଛି ପୂର୍ବରୁ ସେଭଳି କେବେ ହୋଇ ନ ଥିଲା।

ଗତ ସୋମବାର ଦିନ ନିର୍ବାଚନ ପ୍ରଚାର କରିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ରାତ୍ରି ଯାପନ  କରିଥିଲେ। ସେଠାରୁ ଭୁବନେଶ୍ଵର ଫେରି ସିଧା ଯାଇଥିଲେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଫିସକୁ ଓ ସେଠାରେ ସିଇଓ ସୁରେନ୍ଦ୍ର କୁମାରଙ୍କୁ ଭେଟି ଅଭିଯୋଗ କରିଥିଲେ। ଅଭିଯୋଗ ଥିଲା ଯେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା ଚାଲୁ ରହିଥିବା ବେଳେ ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା କାହିଁକି ଦିଆଯାଇ ପାରିବ ନାହିଁ?

ଏହା ନିଶ୍ଚିତ ରୂପେ ଏକ ଅତ୍ୟନ୍ତ ଯୁକ୍ତିଯୁକ୍ତ ଅଭିଯୋଗ।

ମୁଖ୍ୟମନ୍ତ୍ରୀ ନିଜେ ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ଓଡିଶା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ତେଣୁ ଏହା ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚାର ଖୋରାକ ଯୋଗାଇଛି। ଅନ୍ୟ ପକ୍ଷରେ ନିର୍ବାଚନ ଅବ୍ୟବ୍ୟହିତ ପୂର୍ବରୁ ଚାଷୀମାନଙ୍କ ସ୍ଵାର୍ଥ ପାଇଁ ସରକାରଙ୍କ ଦରଦ କେତେ ଅଧିକ ତାହା ଦୃଷ୍ଟିକୁ ଆଣି ଭୋଟ ହାତେଇବା ପାଇଁ ବିଜେଡି ପକ୍ଷରୁ ଏହା ଏକ ବିଧିବଦ୍ଧ ଯୋଜନା ନୁହେଁ ବୋଲି କହି ହେବ ନାହିଁ।

ସେ ଯାହା ବି ହେଉ, ଏହି ଘଟଣା ଦ୍ଵାରା ଦେଶର ନିର୍ବାଚନ କମିଶନଙ୍କ ନିରପେକ୍ଷେତା ଉପରେ ଏକ ବଡ ପ୍ରଶ୍ନ ଚିହ୍ନ ଲାଗିଛି! ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା ଓ କାଳିଆ ସହାୟତା କ୍ଷେତ୍ରରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ପାତର ଅନ୍ତର ନୀତି କାହିଁକି କରାଯାଉଛି?

ଏହା ମଧ୍ୟରେ ଉତ୍ତର ପ୍ରଦେଶର ମୋରାଦାବାଦରେ ପ୍ରାୟ ୨୫୦୦ ଜନଧନ ଆକାଉଣ୍ଟରେ ଗତ ଶନିବାର ଦିନ ୧୦ ହଜାର ୭ ଶହ କରି ଟଙ୍କା ଜମା କରି ଦିଆଯାଇଛି। ଲୋକେ ଏକଥା ଜାଣିବା ପରେ ତୁରନ୍ତ ସେମାନଙ୍କ ଆକାଉଣ୍ଟରୁ ଏହି ଅର୍ଥ ରାଶି ଉଠେଇବାରେ ଲାଗି ପଡ଼ିବାରୁ ତାହା ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କଲା ଓ ତା’ ପରେ ବ୍ୟାଙ୍କ ଅଫ ବରୋଦା ପକ୍ଷରୁ ସେହି ଟଙ୍କା ଉଠାଇବା ପାଇଁ ଦିଆଗଲା ନାହିଁ। ଏହା ନିଶ୍ଚିତ ରୂପେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ। ତେବେ ଏ ବାବଦରେ ନିର୍ବାଚନ କମିଶନଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯିବ ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

କିଛିଦିନ ତଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ନିର୍ବାଚନୀ ପ୍ରଚାର ସଭାରେ ଭାଷଣ ଦେଲାବେଳେ ଭାରତୀୟ ସେନାକୁ ମୋଦି ସେନା ନାମରେ ଅଭିହିତ କରିଥିଲେ। ଦଳ ମତ ନିର୍ବିଶେଷରେ ଏହାକୁ ସମସ୍ତେ ନିନ୍ଦା କରିଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇ ନାହିଁ। ସେହିଭଳି ଗତ ଶନିବାର ଦିନ ମହାରାଷ୍ଟ୍ରର ଲାଟୁରଠାରେ ଅନୁଷ୍ଠିତ ଏକ ନିର୍ବାଚନ ପ୍ରଚାର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ବାଲାକୋଟ ବିମାନ ଆକ୍ରମଣ ପ୍ରସଙ୍ଗ ଉଠାଇ ଦେଶର ବୀର ଯବାନମାନଙ୍କ ନାମରେ ବିଜେପିକୁ ଭୋଟ ଦେବାକୁ ଆହ୍ଵାନ ଦେଇଥିଲେ।

ଏହା ଅବଶ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ଆସିବା ପରେ ଉକ୍ତ ଭାଷଣ ଯାଞ୍ଚ କରି ରିପୋର୍ଟ ଦେବାକୁ କମିଶନଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଦେଶର ନିର୍ବାଚନ କମିଶନ ଏ ବାବଦରେ ଯେ କୌଣସି ଦୃଢ ପଦକ୍ଷେପ ନେବେ ସେନେଇ ଅଧିକାଂଶରେ ସନ୍ଦେହ ରହିଛି। ତାହାର ଏକ ମାତ୍ର କାରଣ ହେଉଛି ଯେ ଏ ପର୍ଯ୍ୟନ୍ତ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ କୌଣସି ଆଖିଦୃଶିଆ ଦଣ୍ଡ ବିଧାନ କରାଯାଇ ନାହିଁ।

ଆମ ଦେଶରେ ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା କରିବା ଏକ ଗୁରୁ ଦାୟିତ୍ଵ। ଏହି ଦାୟିତ୍ଵକୁ ସୂଚାରୁ ରୂପେ ସମ୍ପାଦନ କରିବା କିଛି ସହଜ କଥା ନୁହେଁ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବ୍ୟକ୍ତିବିଶେଷମାନଙ୍କ କ୍ଷେତ୍ରରେ ଦୃଢ ପଦକ୍ଷେପ ନେବାକୁ ନିର୍ବାଚନ କମିସନଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। ତେବେ ଏହି କ୍ଷମତାକୁ ଦୃଢ ଭାବେ ବ୍ୟବହାର କରି ଦେଶରେ ଏକ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ସମ୍ପାଦନ କରିବା କ୍ଷେତ୍ରରେ ୧୯୯୦ ରୁ ୧୯୯୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଦେଶର ଦଶମ ମୁଖ୍ୟ ନିର୍ବାଚନ କମିଶନର ଟି. ଏନ. ଶେଷାନଙ୍କ ନାମ ସର୍ବାଗ୍ରେ ରହିବ। ତାଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ନିର୍ବାଚନ କମିଶନ ଯେ ଏକ ସ୍ଥାଣୁ ସଂସ୍ଥା ନୁହେଁ ବରଂ କୌଣସି କ୍ଷମତାର ହାତବାରିସି ନ ହୋଇ ସ୍ଵଚ୍ଛ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଦୃଢତାର ସହ ପଦକ୍ଷେପ ନେଇ ପାରିବ ତାହା ଶ୍ରୀ ଶେଷାନ ପ୍ରମାଣିତ କରିଥିଲେ।

ମୂଳ ପ୍ରସଙ୍ଗକୁ ଫେରିଗଲେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏବେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଯେଉଁ ପ୍ରତିଯୋଗିତା ଚାଲିଛି ତାହା ଅତି ମାତ୍ରାରେ ଆଶ୍ଚର୍ଯ୍ୟ କରେ। ପ୍ରଧାନମନ୍ତ୍ରୀ କିଶାନ ନିଧି ଯୋଜନା ହେଉ କି ବିଜେଡି ପକ୍ଷରୁ ରାଜ୍ୟର ଚାଷୀମାନଙ୍କୁ କାଳିଆ ସହାୟତା ହେଉ, ଏହାର ପ୍ରକୃତ ଉଦ୍ଦେଶ୍ୟ ନେଇ ମନରେ ସନ୍ଦେହ ଆସେ। କାରଣ ଚାଷୀମାନଙ୍କ ବର୍ଗୀକରଣ ନେଇ ଏବେ ସୁଦ୍ଧା ବି କେନ୍ଦ୍ର କିମ୍ବା ରାଜ୍ୟ ସରକାର ନିଷ୍ପତ୍ତିମୂଳକ ପଦକ୍ଷେପ ନେଇନାହାନ୍ତି।

କ୍ଷୁଦ୍ର, ନାମମାତ୍ର ଓ ଜମିହୀନ ଚାଷୀମାନଙ୍କ ଦୁର୍ଦ୍ଦଶା କୌଣସି ମତେ କମ ହୋଇନାହିଁ। ଦେଶରେ ଶିଳ୍ପକୁ ଯେଉଁ ଅହେତୁକ ଗୁରୁତ୍ଵ ଦିଆଯାଉଛି, ଚାଷ ଓ ଚାଷୀ ପ୍ରତି ସେ ତୁଳନାରେ କିଛି ହିଁ ସହଯୋଗ ଦିଆ ଯାଉନାହିଁ। ବନ୍ୟା, ବାତ୍ୟା କି ମରୁଡି ହେଲେ ଜମି ମାଲିକମାନେ ସରକାରୀ ଅନୁଦାନକୁ ହାତେଇ ନେଉଛନ୍ତି, କାରଣ ଜମିର ମାଲିକାନା ସତ୍ତ୍ଵ ସେମାନଙ୍କ ନାଁରେ ରହିଥାଏ। ଅନ୍ୟ ପକ୍ଷରେ ଜମି ହଳ କରି, ବିହନ ଓ ସାର ପାଇଁ ଋଣ କରି ଦିନରାତି ଖଟୁଥିବା ଚାଷୀମାନଙ୍କୁ ସରକାରୀ ସହାୟତା ତ ମିଳେ ନାହିଁ, ତା’ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟରେ ତାର ଫସଲ କିଣିବା ବେଳେ ବି ନାନା ପେଞ୍ଚ କରାଯାଏ। କୃଷି ବୀମା ଯୋଜନାରେ ମିଳୁଥିବା ସରକାରୀ ସହାୟତା ବୀମା କମ୍ପାନୀଗୁଡିକର ଲାଭ ପାଇଁ ଯେତିକି ସହାୟକ ହୋଇଥାଏ, ଚାଷୀମାନଙ୍କ ପାଇଁ ହୁଏନାହିଁ।

କିନ୍ତୁ ଏବେ ନିର୍ବାଚନ ସମୟ। କୃଷକମାନଙ୍କ ଭୋଟ ନେତାମାନଙ୍କ ହାରଜିତରେ ନିର୍ଣ୍ଣାୟକ ଭୂମିକା ନେବ। ତେଣୁ ଚାଷୀର ଲାଭ ନୁହେଁ, ବରଂ ନିର୍ବାଚନ ବୈତରଣୀ ପାର ହେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷମତା ହାତେଇବା ଲାଭ ସବୁ ରାଜନୈତିକ ଦଳକୁ ଘାରିଛି। ନିର୍ବାଚନ ସରିଗଲେ ଚାଷୀର ଲାଭ କ୍ଷତି ତା’ ଭାଗ୍ୟ ହିଁ ନିର୍ଧାରଣ କରିବ ବୋଲି କହିବା କିଛି ଭୁଲ ହେବ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

Comment