ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତା କାଲି ହେବାକୁ ଥିବା ଓଡ଼ିଶାର ଚାରି ଲୋକସଭା ଆସନ ଭୋଟ ସୁଚେଇବ କିଏ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଓ କିଏ ଓଡ଼ିଶାରେ ଶାସନ କରିବେ। ଗୁରୁବାର ଦିନ ଲୋକସଭା ସହିତ ୨୮ ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ନିଆଯିବ। ତେବେ ଲୋକସଭା ଭୋଟ ଉପରେ ହିଁ ସମସ୍ତଙ୍କର ନଜର ଲାଖି ରହିଛି।
କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁର ଭିତରୁ ପ୍ରଥମ ତିନୋଟି ନିର୍ବାଚନ ମଣ୍ଡଳୀ ଆଦିବାସୀ ଅଧ୍ୟୁଷିତ ଇଲାକା ହୋଇଥିବାରୁ ଏଠି ଭୋଟରମାନେ କାହାକୁ ପସନ୍ଦ କରିବେ ତାହା କହିବା କଷ୍ଟ। ପୂର୍ବରୁ ଯେତେ ନିର୍ବାଚନ ହୋଇଛି ଏହି ୪ ଆସନରେ ଫଳ ଭିନ୍ନ ଭିନ୍ନ ଧରଣର ହୋଇଛି।
ଇତିମଧ୍ୟରେ ଯେତେ ଓପିନିୟନ ପୋଲ ଆସିଛି, ସେଥିରେ ପ୍ରାୟ କୁହାଯାଇଛି ଯେ ଏହି ୪ ଲୋକସଭା ଆସନରେ ଭୋଟରମାନେ ବିଜେପି ଆଡ଼କୁ ଢ଼ଳୁଛନ୍ତି। ଏହାର କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଟିମ ଏହି ଅଞ୍ଚଳରେ ଲଗାତାର ନିର୍ବାଚନ ସଭା କରିଛନ୍ତି।
କୋରାପୁଟ ଓ ନବରଙ୍ଗପୁର ସଦାବେଳେ କଂଗ୍ରେସର ଦୁର୍ଗ ରହି ଆସିଛି। ଗତ କେତୋଟି ନିର୍ବାଚନରେ ହିଁ ବିଜେପି ଓ ବିଜେଡି ଏଠି ଜିତିଛନ୍ତି। ବ୍ରହ୍ମପୁର ଆସନ ମଧ୍ୟ ସବୁବେଳେ କଂଗ୍ରେସ ପକେଟକୁ ଯାଇଛି। ଗତ ଦୁଇଟି ନିର୍ବାଚନରେ ଏଠାରୁ ବିଜେଡି ଜିତିଛି। ଏଥର ବ୍ରହ୍ମପୁରରେ ଲଢ଼େଇ ମୁଖ୍ୟତଃ ବିଜେପିର ଭୃଗୁ ବକ୍ସିପାତ୍ର ଓ ବିଜେଡିର ଚନ୍ଦ୍ରଶେଖର ସାହୁଙ୍କ ଭିତରେ ସୀମିତ ରହିବ। କଂଗ୍ରେସ ପ୍ରାର୍ଥୀଙ୍କର ଏଠି ପତ୍ତା ହିଁ ନାହିଁ।
ଉଲ୍ଲେଖ କରାଯିବାର ବିଷୟ, ଏହି ୪ ଲୋକସଭା ଆସନ ପାଇଁ ବିଜେଡି ସବୁ ଯାକ ପ୍ରାର୍ଥୀଙ୍କୁ ବଦଳାଇ ଏକ ବଡ଼ ରିସ୍କ ନେଇଛି। ଏପଟେ ବିଜେପି ଏହି ୪ ଆସନକୁ ହାତେଇ ନେବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି। ତେବେ ଏହି ସବୁ ଆସନ ଭିତରୁ କଳାହାଣ୍ଡି ଆସନ ହିଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। କାରଣ ଏଠାରୁ ତିନି ତୁଙ୍ଗ ନେତା ଲଢ଼ୁଛନ୍ତି। ବିଜେଡିର ପୁଷ୍ପେନ୍ଦ୍ର ସିଂଦେଓ, କଂଗ୍ରେସର ଭକ୍ତ ଦାସ ଓ ବିଜେପିର ବସନ୍ତ ପଣ୍ଡାଙ୍କ ମଧ୍ୟରେ ଲଢେ଼ଇ ଠିକ୍ କାଣ୍ଟେ କି ଟକ୍କର ଭଳି। କଳାହାଣ୍ଡିର ଭୋଟର କାହାକୁ ପସନ୍ଦ କରୁଛନ୍ତି ତାହା ଦେଖିବାର ବିଷୟ।
ନବରଙ୍ଗପୁରରେ କିନ୍ତୁ ସ୍ଥିତି ପୂରା ଅଲଗା। ବିଜେଡି ପକ୍ଷରୁ ମନ୍ତ୍ରୀ ରମେଶ ମାଝି, ବିଜେପି ପକ୍ଷରୁ ବଳଭଦ୍ର ମାଝି ଓ କଂଗ୍ରେସ ପକ୍ଷରୁ ପ୍ରଦୀପ ମାଝି ପ୍ରାର୍ଥୀ ହୋଇଛନ୍ତି। ଏଣୁ ଏଠାକାର ଭୋଟ ତିନି ମାଝିଙ୍କ ଭିତରେ ବଣ୍ଟା ହେବା ନିଶ୍ଚିତ। ଅର୍ଥାତ ଯିଏ ବି ସଫଳ ହୁଅନ୍ତୁ, ଅଳ୍ପ ଭୋଟ ବ୍ୟବଧାନରେ ହିଁ ଜିତିବେ।
କୋରାପୁଟରୁ ବିଜେଡ଼ିର ଝିନ୍ନ ହିକାକାଙ୍କ ପତ୍ନୀ କୌଶଲ୍ୟା ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସର ସପ୍ତଗିରି ଉଲାକା ଟିକେଟ ପାଇଛନ୍ତି। ବିଜେପି ପକ୍ଷରୁ ଜୟରାମ ପାଙ୍ଗି ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି।


















