ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ପ୍ରଶ୍ନ କରି ବିଜେପି ଶିବିରକୁ ହଲଚଲ କରିଛନ୍ତି ନବୀନ।

  • ବିଜେପିର ଓଡ଼ିଶା ଇଞ୍ଜନ କିଏ?
  • କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?
  • ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି?
  • କେଉଁଠୁ ଲଢୁଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?
  • ନିର୍ବାଚନ ବେଳେ ଦିଲ୍ଲୀ ଇଞ୍ଜିନ ଆସୁଛି – ନବୀନ
  • ଧର୍ମେନ୍ଦ୍ର କହିଲେ , ‘‘ସାଢ଼େ ୪ କୋଟି ଓଡ଼ିଆ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’’

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଶପଲ୍ଲା ସଭାରୁ ଆଜି ସିଧାସଳଖ ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରି ବିଜେପି ଶିବିରକୁ ତୀର ମାରିଛନ୍ତି ନବୀନ। ଏପଟେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଛି ବିଜେପି।

ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ଜବାବ ଦେଇ କହିଛନ୍ତି ଯେ ’ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ନବୀନ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଚଳାଇଛନ୍ତି। କନ୍ଧମାଳ ଲୋକସଭା ଆସନର ଦଶପଲ୍ଲାରେ ନବୀନ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ବେଳେ ବିଜେପିକୁ କଡ଼ା ଆକ୍ଷେପ କରିଛନ୍ତି।

୨୦୧୯ ନିର୍ବାଚନ ପାଇଁ ନବୀନ ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ହେଲେ ଦଶପଲ୍ଲା ସଭାରେ ଆଜି ଯେଉଁ ପ୍ରଶ୍ନ ନବୀନ କରିଛନ୍ତି ତାହା ଆଗରୁ କେବେ କରି ନଥିଲେ। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ପ୍ରଶ୍ନ କରି ନବୀନ ରାଜନୀତି ପାଣିପାଗକୁ ଗରମ କରିଦେଇଛନ୍ତି।

‘‘ନିର୍ବାଚନ ହେଲେ ଦିଲ୍ଲୀରୁ ଇଞ୍ଜିନ ଆସୁଛି। ଜୋରରେ ପାଟି କରୁଛି। ନିର୍ବାଚନ ଶେଷ ହୋଇଗଲେ ଦିଲ୍ଲୀ ଇଞ୍ଜିନର ଦେଖା ମିଳିବ ନାହିଁ। ବିଜେପିର ଗୋଟିଏ ଇଞ୍ଜିନ ଦିଲ୍ଲୀରେ ଥିବା ବେଳେ ଓଡ଼ିଶାରେ ଇଞ୍ଜିନ କିଏ?’’, ପ୍ରଶ୍ନ କରିଛନ୍ତି ନବୀନ।

ବିଜେପି ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କ ପ୍ରଶ୍ନର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ଆମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଯେଉଁଠି ସ୍ୱୟଂ ନାରାୟଣ ନେତା ସେଠି ନେତାଙ୍କର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର।

LEAVE A REPLY

Please enter your comment!
Please enter your name here