ଓଡ଼ିଶାଲାଇଭ୍ ପଲିଟାକାଲ୍ ବ୍ୟୁରୋ
ଏନଡିଏ ଓ ୟୁପିଏଠାରୁ ସମଦୂରତା ନୀତି ଧରିଚାଲୁଥିବା ବିଜେଡି ଏବେ କାହାକୁ ବି ସମର୍ଥନ ଦେବାକୁ ପ୍ରସ୍ତୁତ ଏହା କେବଳ ରାଜ୍ୟର ସ୍ୱାର୍ଥ ନା ଏକ ରାଜନୈତିକ ବାଧ୍ୟବାଧକତା?
“କେନ୍ଦ୍ରରେ ଯେଉଁ ମେଣ୍ଟ ସରକାର ଓଡ଼ିଶାର ସ୍ୱାର୍ଥକୁ ଅଗ୍ରାଧିକାର ଦେବ ବିଜେଡି ସେହି ଦଳକୁ ସମର୍ଥନ ଦେବ, ସେ ଏନଡିଏ, ୟୁପିଏ କି ଅନ୍ୟ କେହି ହୁଅନ୍ତୁ” ଏକ ଇଂରାଜୀ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏହାକୁ ନେଇ ଏବେ ରାଜନୀତି କରିଡ଼ରରେ ଅନେକ ପ୍ରଶ୍ନ।
ନବୀନ ଓ ତାଙ୍କ ଦଳର ସବୁ ନେତା ସବୁବେଳେ ସମଦୂରତାର ଥିଓରି କହି ଆସିଥାନ୍ତି। ଉପରୋକ୍ତ ମନ୍ତବ୍ୟ ଦେବାର ଗୋଟିଏ ସପ୍ତାହ ଆଗରୁ ବି ନବୀନ ସମାନ କଥା କହିଥିଲେ। ମାତ୍ର ହଠାତ୍ ଏପରି କଣ ହେଲା ଯେ ନବୀନ ଏବେ ନିଜର କଥା ବଦଳାଇଛନ୍ତି।
ନବୀନ ଏପରି ମନ୍ତବ୍ୟ ଦେବାପରେ ଚର୍ଚ୍ଚା ହେଉଛି ବାସ୍ତବରେ ରାଜ୍ୟର ସ୍ୱାର୍ଥ ପାଇଁ କହିଛନ୍ତି ନା କୌଣସି ରାଜନୈତିକ ବାଧ୍ୟବାଧକତାରେ କହିଛନ୍ତି ତାହାକୁ ନେଇ ଏବେ ଅନେକ କଳ୍ପନା ଜଳ୍ପନା।
ଯଦି ଏଥର କେନ୍ଦ୍ରରେ ମୋଦି ସରକାର ବହୁମତ ହାସଲ ନ କରେ ତେବେ ବିଜେଡି ତାଙ୍କୁ ସମର୍ଥନ ଦେବକି? ବିଜେଡି ପୁରୁଣା ମେଣ୍ଟ ସହଯୋଗୀ ହିସାବରେ ବିଜେପି ପ୍ରତି ସମର୍ଥନ ଦେବା କିଛି ନୂଆ କଥା ନୁହଁ। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବେଳେ ବିଜେଡି ବିଜେପିକୁ ସମର୍ଥନ ଦେଇଆସିଛି। ଏହାକୁ ନେଇ ରାଜ୍ୟ ବିଜେପି ନେତୃବୃନ୍ଦଙ୍କ ପ୍ରତିକ୍ରିୟା କିନ୍ତୁ ଭିନ୍ନ।
ପ୍ରଥମ ପର୍ଯ୍ୟାୟ ପରେ ବିଜେଡିର ପାଦ ତଳୁ ମାଟି ଖସିବା ଆରମ୍ଭ ହୋଇଛି, ଯାହା ସେମାନେ ଅନୁଭବ କରିଲେଣି। ସେଥିଲାଗି ସେ ଏମିତି କହି ଥାଇପାରନ୍ତି ବୋଲି ବିଜେପି ପ୍ରତିକ୍ରିୟାରେ କହିଛି।
ଅନ୍ୟପଟେ ଆଉ ଏକ ପ୍ରଶ୍ନ ଉଠୁଛି କି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ଯଦି ବିଜେପିକୁ ଚ୍ୟାଲେଞ୍ଜ ଦେବା ସ୍ଥିତିକୁ ଆସେ ତେବେ କଣ ନବୀନଙ୍କ ସମର୍ଥନ ସେପଟକୁ ରହିବ?
ପସିସି ସଭାପତି କହିଛନ୍ତି, “ବିଜେଡି ଏଥର ନିଜର ବିଜୟ ନେଇ ସୁନିଶ୍ଚିତ ନୁହଁ। ସେଥିପାଇଁ ସେ ଦୂରତା ଛାଡ଼ି ପାଖେଇବାକୁ ଚେଷ୍ଟା କରୁଛନ୍ତି।”
ତେବେ ନବୀନ କାହିଁକି ଏମିତି କହିଛନ୍ତି ତାହା କହିବା କଷ୍ଟ। ମାତ୍ର ନବୀନଙ୍କ ଏପରି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଟିକେ ଅଧିକ ଉଷ୍ମ କରିଦେଇଛି ଏହା ସ୍ପଷ୍ଟ।