ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶର ୮ଟି ଆସନ ନଗିନା, ଅମରୋହା, ବୁଲନ୍ଦସହର, ଅଲ୍ଲୀଗଡ଼, ହାଥରସ, ମଥୁରା, ଆଗ୍ରା ଏବଂ ଫତେପୁରରେ ଆସନ ଲାଗି ଭୋଟ ଗ୍ରହଣ କରାଯିବ। ଏହି ଆସନ ମଧ୍ୟରୁ ସମସ୍ତଙ୍କ ଫୋକସ ମଥୁରା ଏବଂ ଫତେପୁର ସିକ୍ରି ଉପରେ ରହିବ। କାରଣ ଏହି ଆସନରେ ‘ସେଲିବ୍ରିଟି’ ଚେହେରା ନିର୍ବାଚନ ଲଢ଼ୁଛନ୍ତି।

ଗୁରୁବାର ବହୁ ବରିଷ୍ଠ ରାଜନେତାଙ୍କ ଭାଗ୍ୟ ସ୍ଥିର କରିବେ ଜନତା ଜନାର୍ଦ୍ଦନ। ଏଥିରେ ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀ, ଫତେପୁର ସିକ୍ରିରୁ କଂଗ୍ରେସ ପ୍ରାର୍ଥୀ ରାଜ ବବର, ଆଗ୍ରାରୁ କ୍ୟାବିନେଟ୍ ମନ୍ତ୍ରୀ ଏସ.ପି. ସିଂହ ବଘେଲ ଏବଂ ହାଥରସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମଜି ଲାଲ୍‌ ସୁମନ ପ୍ରମୁଖ ଅଟନ୍ତି।

ମଥୁରାରେ ବର୍ତ୍ତମାନର ସାଂସଦ ଥିବା ହେମା ମାଳିନୀଙ୍କୁ ଟକ୍କର ଦେଉଛନ୍ତି ଏସପି-ବିଏସପି ମେଣ୍ଟ ପ୍ରାର୍ଥୀ ନରେନ୍ଦ୍ର ସିଂହ ଏବଂ କଂଗ୍ରେସର ମହେଶ ପାଠକ। ଅଭିନେତ୍ରୀରୁ ନେତ୍ରୀ ବନିଥିବା ହେମା ମାଳିନୀ ଗତ ୨୦୧୪ ନିର୍ବାଚନରେ ଏହି ଆସନରୁ ସହଜରେ ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ଥର ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ସହିତ କଡ଼ା ମୁକାବିଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।

ସେହିପରି ଅଭିନେତାରୁ ରାଜନେତା ପାଲଟିଥିବା ରାଜ ବବର ଫତେପୁର ସିକ୍ରିରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଛନ୍ତି। ରାଜ ବବର ଗତ ୨୦୦୯ ବର୍ଷରେ ଏହି ଆସନରୁ ନିର୍ବାଚନ ଲଢ଼ି ଶୋଚନୀୟ ପରାଜୟ ବରଣ କରିଥିଲେ। ତେବେ ଚଳିତ ନିର୍ବାଚନରେ କ’ଣ ରହିବ ରାଜ୍‌ଙ୍କ ଭାଗ୍ୟ ତାହା ଭୋଟର ସ୍ଥିର କରିବେ।

ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶରେ ମୋଟ ୧ କୋଟି ୪୧ ଲକ୍ଷ ୯୪ ହଜାର ୧୩୨ ଜଣ ଭୋଟର ମତସାବ୍ୟସ୍ତ କରିବେ। ମୋଟ ୮୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ।

Comment