ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆଗାମୀ ନିର୍ବାଚନ ପାଇଁ ସରଗରମ ହେଲାଣି ଆନ୍ଧ୍ରପ୍ରଦେଶର ରାଜନୀତି। ନିର୍ବାଚନ ବାଜି ହାତେଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇ ମାଳମାଳ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର ନେତା।

ପ୍ରଚାର ମଇଦାନରେ ବର୍ଷିବାକୁ ଲାଗିଛି ନେତାଙ୍କ ଗଦାଗଦା ପ୍ରତିଶ୍ରୁତି। କିଏ ଋଣ ଛାଡ଼ କରିବାର ପ୍ରତିଶ୍ରୁତି ଦେଉଛନ୍ତି ତ କିଏ ମାଗଣା ରାସନ ଏବଂ ଅର୍ଥ ଲୋଭ ଦେଖାଉଛନ୍ତି। ଏପରିକି କ୍ଷମତାକୁ ଆସିଲେ ଭଲ ମଦ ଦେବାର ପ୍ରତିଶ୍ରୁତି ବି ମିଳୁଛି।

ନିକଟରେ ତେଲୁଗୁ ଦେଶମ ଦଳର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଥିଲେ ସେ କ୍ଷମତାକୁ ଆସିଲେ କମ ଟଙ୍କାରେ ଭଲ ମଦ ମିଳିବ। ସରକାର ଗଠନ ହେବାର ୪୦ ଦିନ ପରେ ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ ଏହି ଘୋଷଣାକୁ ନେଇ ଏବେ ଆନ୍ଧ୍ରପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

କେବଳ ସେତିକି ନୁହେଁ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ବର୍ତ୍ତମାନର ରାଜ୍ୟ ସରକାର ମଦ ଦର ବୃଦ୍ଧି କରୁଥିବା ସେ ଅଭିଯୋଗ କରିଛନ୍ତି। ଏବେ ମଦର ଗୁଣାତ୍ମକ ମାନରେ ହ୍ରାସ ଘଟିଥିବା ସେ କହିଛନ୍ତି। ଚନ୍ଦ୍ରବାବୁ ନାଇଡୁଙ୍କ କହିବା କଥା ହେଲା, ମଦର ବର୍ଦ୍ଧିତ ମୂଲ୍ୟ ଯୋଗୁଁ ଅଧିକ ଲାଭ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଖରାପ ମଦ ଯୋଗାଉଛନ୍ତି। ଫଳରେ ଶସ୍ତା ଏବଂ ନିମ୍ନ ମାନର ମଦ ପିଇ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ୨୦୨୨-୨୩ ମସିହାରେ ଅବକାରୀ ଟିକସରୁ ୨୪ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ଵ ଆୟ କରିଛନ୍ତି, ଯାହା ୨୦୧୯-୨୦ ମସିହାରେ ପ୍ରାୟ ୧୭ ହଜାର କୋଟି ଟଙ୍କା ଥିଲା।

ଭୋଟରଙ୍କୁ ଆକର୍ଷିତ କରିବାକୁ ଚନ୍ଦ୍ରବାବୁ ନାଇଡୁଙ୍କ ଏଭଳି ଘୋଷଣାକୁ ନେଇ ସାରା ରାଜ୍ୟରେ  ଚର୍ଚ୍ଚା ଜୋର ଧରିଛି।

Tags: #Politics #AndhraPradeshPolitics #Election #GeneralElection2024 #ChandrababuNaidu #ElectionCampaign

LEAVE A REPLY

Please enter your comment!
Please enter your name here