ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପୁଣି ଦିଅର ଭାଉଜଙ୍କ ମଧ୍ୟରେ ଲଢ଼େଇ ଜୋର୍‌ଦାର।

ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ଏଥର ବଲାଙ୍ଗିର ଲୋକସଭା ଆସନରେ ହେବ ଘମାଘୋଟ ଲଢ଼େଇା ବିଜେଡି ଓ ବିଜେପିର ଦୁଇ ଅଭିଜ୍ଞଙ୍କୁ ଏଥର କଂଗ୍ରେସର ନୂଆ ମୁହଁ ଦେବେ ଟକ୍କର।

ବିଜେଡି ଦୁଇ ଥରର ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ମଇଦାନକୁ ଓହ୍ଲାଇଥିବା ବେଳେ ବିଜେପି ସଙ୍ଗୀତା ସିଂଦେଓଙ୍କୁ ପ୍ରାର୍ଥୀ କରିଛିା କଂଗ୍ରେସ ଶରତ ପଟ୍ଟନାୟକଙ୍କୁ ବଦଳାଇ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଛିା

ଦୁଇ ଥରର ସାଂସଦ କଳିକେଶ

ବଲାଙ୍ଗିର ଜିଲ୍ଲା ଏକ ଚିର ଅବହେଳିତ ଓ ଗରିବ ଜିଲ୍ଲା। ଏଠାକାର ଲୋକସଂଖ୍ୟା ୧୬ ଲକ୍ଷ ୪୮ ହଜାର ୫୭୪। ରାଜ୍ୟର ସବୁଠାରୁ ଅଧିକ ଦାଦନ ବଲାଙ୍ଗିର ଜିଲ୍ଲାରୁ ବାହାର ରାଜ୍ୟକୁ ଚାଲାଣ ହୋଇଥାନ୍ତି। ବଡ଼ ଦୁଃଖର କଥା ଏହି ଏହି ଜିଲ୍ଲାର ଚାଷଜମିକୁ ଏପର୍ଯ୍ୟନ୍ତ ଠିକରେ ଜଳସେଚନ ହୋଇପାରି ନାହିଁ।

୨୦୦୯ ଓ ୨୦୧୪ ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଏହି ଆସନରୁ ବିଜୟୀ ହୋଇଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ସଙ୍ଗୀତା ସିଂହଦେଓ ପରାଜିତ ହୋଇଥିଲେ। ଏଥର ବି ମଇଦାନକୁ ଓହ୍ଲାଇଛନ୍ତି କଳିକେଶ ଏବଂ ସଙ୍ଗୀତା।

କଳିକେଶ ଓ ସଙ୍ଗୀତା ସମ୍ପର୍କରେ ଦିଅର ଭାଉଜ। ପୂର୍ବ ଥର ଭଳି ଏଥର ମଧ୍ୟ ବଲାଙ୍ଗିରରେ ଦିଅର-ଭାଉଜଙ୍କ ମଧ୍ୟରେ ଲଢ଼େଇ ଜମିବା

କଂଗ୍ରେସ ଏଥର ବଲାଙ୍ଗିରରେ ପ୍ରାର୍ଥୀ ପରିବର୍ତ୍ତନ କରି ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ୍‌ ଦେଇଛି।

୨୦୧୪ରେ ଗଣିତ କ’ଣ ଥିଲା?

ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ୪ ଲକ୍ଷ ୫୩ ହଜାର ୫୧୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ପାଇଥିଲେ ୩ ଲକ୍ଷ ୪୯ ହଜାର ୨୨୦ ଭୋଟା କଂଗ୍ରେସ ପ୍ରାର୍ଥୀ ଶରତ ପଟ୍ଟନାୟକ ପାଇଥିଲେ ୨ ଲକ୍ଷ ୭୭ ହଜାର ୬୧୬ ଭୋଟ।

କଳିକେଶ ବିଜେପିର ସଙ୍ଗୀତା ସିଂହଦେଓଙ୍କୁ ୧ ଲକ୍ଷ ୦୪ ହଜାର ୨୯୯ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ମଧ୍ୟ କଳିକେଶ ଓ ସଙ୍ଗୀତାଙ୍କ ମଧ୍ୟରେ ସିଧା ଲଢେଇ ହେବା ଆଶା କରାଯାଉଛି।

 

ଯଦିଓ କଂଗ୍ରେସ ଚଳିତ ଥର ନୂଆମୁହଁ ସମରେନ୍ଦ୍ର ମିଶ୍ରଙ୍କୁ ଟିକେଟ୍‌ ଦେଇଛି, ତେବେ ଦଳରେ ବିଦ୍ରୋହୀ ଓ ବିରୋଧୀଙ୍କ ସଂଖ୍ୟା ଅଧିକ ଥିବାରୁ କଂଗ୍ରେସ ଏଠାରେ ବ୍ୟାକଫୁଟକୁ ଚାଲି ଯାଇଛି। ନିର୍ବାଚନ ପ୍ରଚାର ଆରମ୍ଭ ହେବା ପରେ ହିଁ ସ୍ପଷ୍ଟହେବ ବଲାଙ୍ଗିରରେ କାହାର ପଲ୍ଲା ଭାରି?

ତିନି ପ୍ରାର୍ଥୀ କୋଟିପତି

ଚଳିତଥର ବଲାଙ୍ଗିର ଲୋକସଭା ନିର୍ବାଚନରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ତିନି ପ୍ରାର୍ଥୀ କୋଟିପତି ବୋଲି ସତ୍ୟପାଠରୁ ଜଣାପଡ଼ିଛିା ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛିା

ସମ୍ପତ୍ତି ତାଲିକାରେ ସବୁଠାରୁ ଆଗରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ରହିଛନ୍ତି। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦କୋଟିରୁ ଅଧିକା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିଜେଡିର କଳିକେଶ ନାରାୟଣ ସିଂହଦେଓ। ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

କଂଗ୍ରେସର ଟାଣୁଆ ନେତା ତଥା ବର୍ଷିୟାନ ଆଇନଜୀବୀ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର ଏଥର କଂଗ୍ରେସରୁ ବଲାଙ୍ଗିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ବ୍ୟବସାୟୀରୁ ରାଜନୀତିରେ ପାଦ ଦେଇଥିବା ସମରେନ୍ଦ୍ର ମିଶ୍ରଙ୍କ ପାଖରେ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି ବୋଲି ସେ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

୨୦୧୪ ନିର୍ବାଚନରେ କଳିକେଶ ସିଂହଦେଓଙ୍କ ମୋଟ ସମ୍ପତ୍ତି ୮କୋଟି ଟଙ୍କା ଥିବା ବେଳେ ୫ବର୍ଷ ଭିତରେ ତାହା ୧୩ କୋଟି ପାର୍‌ କରିଛି। ବଲାଙ୍ଗିର ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନରେ ଏଥର ନୂଆ କଥା ଦେଖିବାକୁ ମିଳିଛି।

ପୂର୍ବରୁ ବଲାଙ୍ଗିର ରାଜ ପରିବାରର ସଦସ୍ୟମାନେ କେବଳ ନିର୍ବାଚନ ଲଢୁଥିଲେ। ହେଲେ ରାଜପରିବାର ସଦସ୍ୟଙ୍କ ସହ ସାଧାରଣ ପରିବାର ସଦସ୍ୟ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତିା

୨୦୦୯ରେ ଅନଙ୍ଗଉଦୟ ସିଂହଦେଓ ବିଧାନସଭା ଓ ପୁଅ କଳିକେଶ ନାରାୟଣ ସିଂହଦେଓ ଲୋକସଭା ଆସନରୁ ଲଢ଼ି ବିଜୟୀ ହେଉଥିଲେ। କିନ୍ତୁ ୨୦୧୪ ମସିହାରେ ନରସିଂହ ମିଶ୍ର ଅନଙ୍ଗ ଉଦୟ ସିଂହଦେଓଙ୍କୁ ହରାଇ ବିଧାନସଭାକୁ ଯାଇଥିଲୋ ଅନଙ୍ଗଙ୍କୁ ରାଜ୍ୟସଭାକୁ ପଠାଇଥିଲା ବିଜେଡିା

 

ହେଲେ ଏଥର ଅନଙ୍ଗ ନିର୍ବାଚନ ଲଢୁ ନଥିବା ବେଳେ ତାଙ୍କ ସ୍ଥାନରେ ପୁଅ ଅର୍କେଶ ସିଂହଦେଓ ବିଜେଡି ଟିକେଟ୍‌ ପାଇଛନ୍ତି। କଳିକେଶ ଲୋକସଭା ପାଇଁ ଓ ଅର୍କେଶ ବିଧାନସଭା ପାଇଁ ନିର୍ବାଚନ ଲଢୁଛନ୍ତୁ।

ସେହିପରି ସଙ୍ଗୀତା ସିଂହଦେଓ ବିଜେପି ଟିକେଟରେ ଲୋକସଭା ପାଇଁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ସ୍ୱାମୀ କନକବର୍ଦ୍ଧନ ସିଂହଦେଓ ପାଟଣାଗଡ ବିଧାନସଭା ପାଇଁ ନିର୍ବାଚନ ଲଢୁଛନ୍ତି। ନରସିଂହ ମିଶ୍ର ଏଥର ବଲାଙ୍ଗିର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ପାଇଁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢୁଛନ୍ତି।

Comment