ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ଦ୍ୱିତୀୟ ପର୍ଯ୍ୟାୟ ଲାଗି ଭୋଟଗ୍ରହଣ। ୫ ଲୋକସଭା ସହ ୩୫ ବିଧାନସଭା ଆସନ ଲାଗି ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୫ଟି ଆସନ ଉପରେ ସମସ୍ତଙ୍କର ନଜର ଅଟକିଛି। ଏଗୁଡ଼ିକ ହେଲା ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼ ଓ ବିରମିତ୍ରପୁର।
୫ ଲୋକସଭା ମଇଦାନରେ ଅନେକ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା କରିବେ ଜନତା। କନ୍ଧମାଳରେ ଏଥର ହେବ ଜୋରଦାର ଲଢ଼େଇ। ବିଜେଡିର ପ୍ରାର୍ଥୀ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ହୋଇଥିବା ବେଳେ ବିଜେପି ଉତ୍କଳ ଭାରତର ନେତା ଖାରବେଳ ସ୍ୱାଇଁଙ୍କୁ ଟିକେଟ ଦେଇଛି। ସେପଟେ କଂଗ୍ରେସ ପ୍ରାର୍ଥୀ କରିଛି ମନୋଜ କୁମାର ଆଚାର୍ଯ୍ୟଙ୍କୁ। ଆସନ୍ତୁ ନଜର ପକାଇବା କନ୍ଧମାଳରେ କାହାର ପଲ୍ଲା ଭାରି ଅଛି।

ବିଜେଡିରୁ ଅଚ୍ୟୁତ ସାମନ୍ତ
ଅଚ୍ୟୁତ ସାମନ୍ତ କନ୍ଧମାଳ ଏବଂ ରାଜ୍ୟବାସୀଙ୍କ ପାଇଁ ଏକ ପରିଚିତ ଚେହେରା ହୋଇଥିବା ବେଳେ ରାଜନୀତି ମଇଦାନରେ ନୂଆ। ୨୦୧୮ରେ ଅଚ୍ୟୁତ ବିଜେଡିରେ ସାମିଲ ହୋଇଥିଲେ। ଏହାର କିଛିଦିନ ପରେ ବିଜେଡି ସୁପ୍ରିମୋ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ଏହାପରେ ୨୦୧୯ ନିର୍ବାଚନ ଲାଗି କନ୍ଧମାଳରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅଚ୍ୟୁତ।
ଟିକେଟ ଘୋଷଣା ପରେ ରାଜନୈତିକ କରିଡରରେ ଚର୍ଚ୍ଚା ହେଲା କି ବିଜେଡି ସଭାପତି ଅଚ୍ୟୁତଙ୍କୁ କନ୍ଧମାଳ ଟିକେଟ ଦେଇ କେଉଁଠି ନା କେଉଁଠି ଆଦିବାସୀ କାର୍ଡ ଖେଳିଛନ୍ତି। କାରଣ ଅଚ୍ୟୁତ ସାମନ୍ତ କିସ୍ ମାଧ୍ୟରେ ବିଶେଷ କରି ଅନୁସୂଚିତ ଜାତି ଜନଜାତି ପିଲାଙ୍କୁ ମାଗଣାରେ ଶିକ୍ଷା ଦେଇ ଅନେକ ପରିଚିତି ହାସଲ କରିଛନ୍ତି। ତେଣୁ କନ୍ଧମାଳ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ସେଠାରେ ଅଚ୍ୟୁତ ନିର୍ବାଚନ ବୈତରଣୀ ସହଜରେ ପାର ହେବେ ବୋଲି ଦଳରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ପ୍ରଚାର ବେଳେ ଅଚ୍ୟୁତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ସେ ଜିତିବେ।

କନ୍ଧମାଳରୁ ବିଜେପିକୁ ଭରସା ଖାରବେଳ
କନ୍ଧମାଳ ଲୋକସଭା ଆସନ ଲାଗି ବିଜେପି ପ୍ରାର୍ଥୀ କରିଛି ଖାରବେଳ ସ୍ୱାଇଁଙ୍କୁ। ଖାରବେଳ ପ୍ରଥମେ ବିଜେପିରେ ଥିଲେ, ମାତ୍ର ଅନେକ ବର୍ଷ ପୂର୍ବରୁ ବିଜେପି ଛାଡି ନିଜର ଏକ ଦଳ ଗଢ଼ିଥିଲେ। ଯାହାର ନାଁ ରଖିଥିଲେ ଉତ୍କଳ ଭାରତ। ଅନେକ ସମୟରେ ସେ ବିଜେପି ଓ ବିଜେଡି ବିରୋଧ ଟିପ୍ପଣୀ କରି ଚର୍ଚ୍ଚାରେ ରହିଥାନ୍ତି।
ମାତ୍ର ଟିକେଟ ଘୋଷଣାର କିଛସମୟ ପୂର୍ବରୁ ସେ ପଦ୍ମ ପୋଖରୀରେ ସାମିଲ ହୋଇଥିଲେ। ଘଟଣାଚକ୍ରରେ ପଦ୍ମ ଧରିବାର କିଛି ସମୟ ମଧ୍ୟରେ ଦଳ ତାଙ୍କ ନାଁ ଲୋକସଭା ପ୍ରାର୍ଥୀ ପାଇଁ ଘୋଷଣା ବି କଲା। ସେ ଆଉ ଏକ ନୂଆ ଋଣନୀତି ପାଇଁ ପ୍ରସ୍ତୁତ ହେଉଛନ୍ତି।
୧୯୯୮,୧୯୯୯,୨୦୦୪ରେ ତିନି ତିନି ଥର ସାଂସଦ ଥିବା ଖାରବେଳ ଏଥର ଅଚ୍ୟୁତଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି। ସେପଟେ କାହିଁକି ବିଜେପିରେ ସାମିଲ ହୋଇଛନ୍ତି ଉତ୍ତରରେ ସେ କହିଛନ୍ତି ବିଜେଡିକୁ ହରାଇବାକୁ ହେଲେ ଏକ ରାଷ୍ଟ୍ରୀୟ ଦଳରେ ସାମିଲ ହେବାର ଆବଶ୍ୟକତା ରହିଥିଲା।
କନ୍ଧମାଳ ମାଟିର ପୁଅକୁ ଭରସିଛି କଂଗ୍ରେସ
ବିଜେଡି ଓ ବିଜେପି କନ୍ଧମାଳ ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କୁ ଟକ୍କର ଦେବା ଲାଗି କଂଗ୍ରେସ ପ୍ରାର୍ଥୀ କରିଛି ମନୋଜ କୁମାର ଆଚାର୍ଯ୍ୟଙ୍କୁ। ମନୋଜ ହେଉଛନ୍ତି କନ୍ଧମାଳର ସ୍ଥାନୀୟ ବାସିନ୍ଦା। ସେ ବାଲିଗୁଡ଼ା ଏନଏସିରେ କାଉନସିଲର ବି ଅଛନ୍ତି। ତେଣୁ ଜଣେ ସ୍ଥାନୀୟ ନେତାଙ୍କୁ ଦଳ ଟିକେଟ ଦେଇ କନ୍ଧମାଳ ଭୋଟ ହାତେଇବାକୁ ଋଣନୀତି ପ୍ରସ୍ତୁତ କରୁଛି।
ଏଥର କନ୍ଧମାଳ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ ହେବା ସ୍ପଷ୍ଟ। ତେବେ କନ୍ଧମାଳବାସୀ କାହାକୁ ନିଜର ନେତା ଭାବେ ବାଛୁଛନ୍ତି, କାହା ହାତରେ ଆଗାମୀ ୫ବର୍ଷର ଶାସନ ଭାରଦେଉଛନ୍ତି ତାହା ମେ ୨୩ରେ ସ୍ପଷ୍ଟ ହେବ। ଜନାଦେଶ କାହା ସପକ୍ଷରେ ଯିବ କାହା ବିପକ୍ଷରେ ଯବ ତାହା ଅସ୍ପଷ୍ଟ ଥିବା ବେଳେ ତିନିଦଳ ନିଜର ବିଜୟ ନେଇ ଋଣନୀତି ପ୍ରସ୍ତୁତ କରିବା ସହ ପ୍ରଚାର ମଧ୍ୟ ଜୋରଦାର କରିଛନ୍ତି।


















