ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାଣପୁର ନିର୍ବାଚନୀ ସଭାରେ କେନ୍ଦ୍ରର ବିଜେପି ସରକାରକୁ ବାଣ ମାରିଲେ ନବୀନ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନୂଆ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନବୀନ ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ‘ଚିଲିକା’ ହ୍ରଦକୁ ବିକ୍ରି କରିଦେବା ପାଇଁ କେନ୍ଦ୍ରର ବିଜେପି ସରକାର ଷଡ଼ଯନ୍ତ୍ର କରିଥିବା କହି ନବୀନ ରାଜନୀତି ପାଣିପାଗକୁ ସରଗରମ କରିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ବାଣପୁରଠାରେ ନବୀନ କରିଥିଲେ ନିର୍ବାଚନୀ ସଭା। ଏଠାରେ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପ୍ରଶାନ୍ତ ଜଗଦ୍ଦେବ। ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିବା ସହ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।

‘‘ଚିଲିକାକୁ ବିକ୍ରି କରିଦେବା ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିଲେ। ଚିଲିକା ଉପରେ ନିର୍ଭର କରି ଚଳୁଥିବା ଶହ ଶହ ମତ୍ସ୍ୟଜୀବୀଙ୍କ ପରିବାରର ଜୀବନ ଜୀବୀକାକୁ ବିପନ୍ନ କରିବାକୁ ବସିଥିଲେ। ଚିଲିକା ହେଉଛି ଆମ ‘ମା’। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଚିଲିକାର ସୌନ୍ଦର୍ଯ୍ୟକୁ ନଷ୍ଟ ହେବାକୁ ଦେବିନି’’, କହିଛନ୍ତି ନବୀନ ପଟ୍ଟନାୟକ।

ଏହି ଅବସରରେ ନବୀନ କେନ୍ଦ୍ର ସରକାରଙ୍କ ହାଇଓ୍ୱେ କନଷ୍ଟ୍ରକସନକୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଆମେ ନୂଆ ହାଇଓ୍ୱେ ଚାହୁଁଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ପୁରରୁଣା ରାସ୍ତାର ପ୍ରଶସ୍ତିକରଣ କରିବାକୁ ଚାହୁଁଛନ୍ତି।

LEAVE A REPLY

Please enter your comment!
Please enter your name here