ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ। ୬ଟି ଲୋକସଭା ଆସନ ଏବଂ ୪୨ଟି ବିଧାନସଭା ଆସନ ପାଇଁ ହେବ ଭୋଟ। ମତଦାନକୁ ଆଉ ଦୁଇ ଦିନ ବାକି ଥିବା ବେଳେ କେଉଁ ପ୍ରାର୍ଥୀଙ୍କର କେତେ ସମ୍ପତ୍ତି ତାର ଏକ ରିପୋର୍ଟ ଆସିଛି।

ମୋଟ ୪୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପିନାକୀ ମିଶ୍ର ହେଉଛନ୍ତି ସବୁଠୁ ଧନୀ। ତାଙ୍କର ମୋଟ ସମ୍ପତ୍ତି ୧୧୭ କୋଟି ଟଙ୍କା ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି। ପିନାକୀ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସହ ପୁରୀ ଲୋକସଭା ଆସନରୁ ସେ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।

ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କ ମୋଟ ସମ୍ପତ୍ତି ୨୬ କୋଟି ଟଙ୍କା, କଂଗ୍ରେସର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କେ ପି ସିଂହଦେଓଙ୍କର ୧୫ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି।

ସେହିପରି ୪୨ ବିଧାନସଭା ଆସନରେ ୩୫୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦୩ ଜଣ କୋଟିପତି ପ୍ରାର୍ଥୀ ବୋଲି ଏଡିଆର୍ ରିପୋର୍ଟ ଦର୍ଶାଇଛି।

ବଡ଼ମ୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୧୦୬ କୋଟି ଟଙ୍କା।

ଘଷିପୁରା ଏବଂ ଭଣ୍ଡାରିପୋଖରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତି ୬୦ କୋଟି, କେନ୍ଦୁଝରର ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କର ୪୬ କୋଟି ଟଙ୍କାର ମୋଟ ସମ୍ପତ୍ତି ଥିବା ଜଣାପଡ଼ିଛି।

ଆସନ୍ତା ୨୩ରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ସମେତ ତତସଂଲଗ୍ନ ବିଧାନସଭା ଆସନରେ ନିର୍ବାଚନ ହେବ।

Comment