ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ):  କଟକ ଲୋକସଭା ଆସନ ସହିତ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗଳବାର ୨୩ରେ ଭୋଟ ଗ୍ରହଣ ହେବ। ନିର୍ବାଚନ ପାଇଁ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ମଙ୍ଗଳବାର ଅର୍ଥାତ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ। ପ୍ରାର୍ଥୀମାନଙ୍କ ହାତରେ ଆଉ ୨୪ ଘଣ୍ଟାରୁ କମ୍ ସମୟ ରହିଛି।

ଏପ୍ରିଲ ୨୩ରେ କଟକ ଜିଲ୍ଲାର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। କଟକ ଲୋକସଭା ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୯ଜଣ, ଚୈାଦ୍ୱାର-କଟକରେ ୧୧ ଜଣ, କଟକ ସଦରରେ ୫ ଜଣ, ବଡ଼ମ୍ବାରେ ୧୦ ଜଣ, ବାଙ୍କିରେ ୭ ଜଣ ଓ ଆଠଗଡ଼ରେ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି।

୬୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

କଟକ ଲୋକସଭାରେ ବିଜେଡିରୁ ଭର୍ତ୍ତୃହରି ମହତାବ, ବିଜେପିରୁ ପ୍ରକାଶ ମିଶ୍ର ଓ କଂଗ୍ରେସରୁ ପଞ୍ଚାନନ କାନୁନଗୋ ୩ ପ୍ରମୁଖ ଦଳର ପ୍ରାର୍ଥୀ ରହିଛନ୍ତି। ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡିରୁ ଦେବାଶିଷ ସାମନ୍ତରାୟ, କଂଗ୍ରେସରୁ ମହମ୍ମଦ ମୋକିମ, ବିଜେପିରୁ ସମୀର ଦେ ପ୍ରାର୍ଥୀ ହୋଇଛନ୍ତି।

ସେହିପରି ଚୈାଦ୍ୱାର-କଟକରୁ ବିଜେଡିରୁ ସୈାଭିକ ବିଶ୍ୱାଳ, ବିଜେପିରୁ ନୟନ କିଶୋର ମହାନ୍ତି, କଂଗ୍ରେସରୁ ଜଗଦୀଶ ମହାନ୍ତି ପ୍ରାର୍ଥୀ ରହିଛନ୍ତି। କଟକ ସଦରରୁ ବିଜେଡିରୁ ଚନ୍ଦ୍ରସାରଥୀ ବେହେରା, ବିଜେପିରୁ ଦିଲ୍ଲିପ ମଲ୍ଲିକ ଓ କଂଗ୍ରେସରୁ ଅଭିଶେକ ମହାନନ୍ଦ ପ୍ରାର୍ଥୀ ହୋଇଛନ୍ତି।

ବାଙ୍କି ଆସନରୁ ବିଜେଡିରୁ ଦେବୀରଞ୍ଜନ ତ୍ରିପାଠୀ, କଂଗ୍ରେସରୁ ଦେବାଶିଷ ପଟ୍ଟନାୟକ ଓ ବିଜେପିରୁ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି। ବଡ଼ମ୍ବାରୁ ବିଜେଡିରୁ ଦେବୀ ପ୍ରସାଦ ମିଶ୍ର, ବିଜେପିରୁ ବିଜୟ କୁମାର ଦଳବେହେରା, କଂଗ୍ରେସରୁ ବବି ମହାନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ହୋଇଛନ୍ତି। ସେହିପରି ଆଠଗଡ଼ରୁ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସରୁ ଉମାବଲ୍ଲଭ ରଥ ଓ ବିଜେପିରୁ ବ୍ରଜେନ୍ଦ୍ର କୁମାର ରାୟ ପ୍ରାର୍ଥୀ ହୋଇଛନ୍ତି।

ଚଳିତ ନିର୍ବାଚନରେ ଜିଲ୍ଲାର ମୋଟ ୨୨୪୬ଟି ବୁଥରେ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଛି। ଏହି ବୁଥ ମଧ୍ୟରୁ ୫୦ଟି ବୁଥ ଆଦର୍ଶ ବୁଥ ଭାବେ ଚିହ୍ନଟ ହୋଇଛି। ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୬ଟି ବିଧାନସଭା ମଣ୍ଡଳୀରେ ୬ଟି ମହିଳା ବୁଥ କରାଯାଇଛି। ଏହି ବୁଥରେ ପ୍ରିଜାଇଡିଂ ଅଫିସରଠାରୁ ଆରମ୍ଭ କରି ସମସ୍ତ ଅଧିକାରୀ ଓ କର୍ମଚାରୀ ରହିବେ। ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୯୦ଟି ବୁଥ, ବାଙ୍କିରେ ୨୩୫ଟି ବୁଥ, ଆଠଗଡ଼ରେ ୨୫୪, ବାରବାଟୀ-କଟକରେ ୧୯୭, ଚୈାଦ୍ୱାର-କଟକରେ ୨୧୧ ଓ କଟକ ସଦରରେ ୨୩୩ଟି ବୁଥରେ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ମୋଟ ୧୩ ଲକ୍ଷ ୨ହଜାର ୧୯୧ ଜଣ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୮୨  ହଜାର ୯୬୨ ଜଣ ପୁରୁଷ ଓ ୬ ଲକ୍ଷ ୧୯ ହଜାର ୨୧୯ ଜଣ ମହିଳା ଭୋଟର ରହିଛନ୍ତି। ଏହି ଭୋଟରଙ୍କ ମଧ୍ୟରେ ୪୩ ହଜାର ୩୩୯ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି। ସେହିପରି ୩୧ ହଜାର ୩୭୭ ଜଣ ନୂଆ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ।

ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୭ ହଜାର ୭୭୭। ସେଥିରୁ ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୬୬୫ ଓ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୯୨ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୦। ସେହିପରି ଚୈାଦ୍ୱାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୪ ହଜାର ୭୫୬। ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୭ ହଜାର ୭୧୨, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୬ ହଜାର ୯୬୪ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୮୦।

ଏହାଛଡା କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୧୫ ହଜାର ୫୦୮ । ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୧୨ ହଜାର ୪୦୪, ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୩ ହଜାର ୭୭ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୭ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୯୯ ହଜାର ୮୦୪। ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୪ ହଜାର ୩୯୫, ମହିଳା ଭୋଟର ସଂଖ୍ୟା ୯୫ ହଜାର ୪୦୦ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୯। ସେହିପରି ବାଙ୍କୀ ବିଧାସନଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩ ହଜାର ୯୭୫। ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୭ ହଜାର ୫୮୪ , ମହିଳା ଭୋଟର ସଂଖ୍ୟା ୯୬ ହଜାର ୩୭୬ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୧୫ ।  ଏହାଛଡା ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩୦ ହଜାର ୩୭୧। ପୁରୁଷ ଭୋଟର ସଂଖ୍ୟା ୧ ଲକ୍ଷ ୨୩ ହଜାର ୫୪ , ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୭ ହଜାର ୩୧୦ ଓ ଅନ୍ୟାନ୍ୟ ଭୋଟରଙ୍କ ସଖ୍ୟା ୭ । ଜିଲ୍ଲାର ମୋଟ ୩୫୦ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଏହିସବୁ ହୁଥରେ ଭିଡିଓ ରେକର୍ଡିଂ କରାଯିବା ସହିତ ଫୋର୍ସ ମୁତୟନ କରାଯିବ ବୋଲି ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ ପରିଚାଳନା ଦାୟିତ୍ୱରେ ମୋଟ ୧୮ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତ କରାଯାଇଛି । ଆସନ୍ତା ୨୩ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଭୋଟ  ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ, ଅଧିକାରୀ ଓ ପୋଲିସ କର୍ମଚାରୀ ନିଜ ନିଜର ବୁଥକୁ ଯାତ୍ରା କରିଥିବାର ଜଣାପଡ଼ିଛି ।

Comment