ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୯ରେ ଶେଷ ପର୍ଯ୍ୟାୟ ଭୋଟ ଥିବାରୁ ରାହୁଲ ବାଲେଶ୍ୱର ଏବଂ ଜଗତସିଂହପୁରରେ ନିର୍ବାଚନୀ ପ୍ରଚାର କରିବେ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ରାହୁଲ।

ରାହୁଲ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏକାଧିକ ଧର ଓଡ଼ିଶା ଆସି ନିର୍ବାଚନ ପ୍ରଚାର କରିଥିଲେ। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ରାହୁଲ କିମ୍ବା ଅନ୍ୟ କୌଣସି କେନ୍ଦ୍ର କଂଗ୍ରେସ ନେତା ଓଡ଼ିଶା ଆସି ନଥିଲେ।

ବିଜେପିର ହେବିଓ୍ୱେଟ ନେତାମାନେ ବାରମ୍ବାର ଓଡ଼ିଶା ଆସି ପ୍ରଚାର ମଇଦାନକୁ ସରଗରମ କରୁଥିବାରୁ କଂଗ୍ରେସର ଷ୍ଟାର କ୍ୟାମ୍ପେନର କୁଆଡ଼େ ଗଲେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଓଡ଼ିଶା ଆସୁଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ବାଲେଶ୍ୱର ଲୋକସଭା ଆସନରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ନବଜ୍ୟୋତି ପଟ୍ଟନାୟକ। ସେ ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ। ନବଜ୍ୟୋତି ଏଥର ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି।

ସେହିପରି ଜଗତସିଂହପୁରରେ କଂଗ୍ରେସ ନୂଆ ମୁହଁ ଦେଇଛି। ପ୍ରତିମା ମଲ୍ଲିକଙ୍କୁ ଦଳ ଟିକେଟ ଦେଇଛି। ଏହି ଦୁଇ ପ୍ରାର୍ଥୀଙ୍କ ସମେତ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ରାହୁଲ ପ୍ରଚାର କରିବେ।

ରାହୁଲ ବିଗତ ଦିନରେ ଭୁବନେଶ୍ୱର, ଭବାନିପାଟଣା, ଜୟପୁର, ବରଗଡ଼, ରାଉରକେଲାରେ ପ୍ରଚାର କରିଥିଲେ।

Comment