ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ  

ବିଜେପି, ବିଜେଡି ପାଇଁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଲଟିଛି ସମ୍ମାନଜନକ ସିଟ୍।

ରାତି ପାହିଲେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଭୋଟ। ଏହି ସିଟ୍‌ରେ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟ ଲଢ଼େଇ ବିଜେପି ଓ ବିଜେଡି ଭିତରେ ହିଁ ହେଉଛି। ବୈଜୟନ୍ତ ପଣ୍ଡାଙ୍କୁ ଜିତାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ ଜାରି ରଖିଥିବା ବେଳେ ଅନୁଭବ ମହାନ୍ତିଙ୍କ ପାଇଁ ବିଜେଡି ଦିନ ରାତି ଏକ କରି ଦେଇଛି।

ଫଳରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଉଭୟ ବିଜେପି ଏବଂ ବିଜେଡି ପାଇଁ ସମ୍ମାନର ବିଷୟ ହୋଇଛି। ବୈଜୟନ୍ତ ଓ ଅନୁଭବଙ୍କ ପାଇଁ ବିଜେପି, ବିଜେଡି ଜି ଜାନ ଲଗାଇ ଦେଇଛନ୍ତି।

ଶନିବାର ସନ୍ଧ୍ୟାରୁ ପ୍ରଚାର ଶେଷ ହୋଇଯାଇଥିଲେ ମଧ୍ୟ ରବିବାର ରାତି ସବୁଠୁ ଗରୁତ୍ୱପୂର୍ଣ୍ଣ ମନେକରାଯାଉଛି। ଗୋଟିଏ ରାତିରେ ହିଁ ସବୁକିଛି ବଦଳିଯାଇପାରେ। ଏଣୁ ଦୁଇ ଦଳର ହେବିୱେଟ କେନ୍ଦ୍ରାପଡ଼ାରେ ଡେରା ପକାଇଛନ୍ତି। ଏପରିକି ପ୍ରତି ପଞ୍ଚାୟତରେ ଭୋଟରଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ଏହି ଦୁଇ ଦଳର ନେତା।

ତେବେ ସୋମବାର ଦିନ କେନ୍ଦ୍ରାପଡ଼ାର ସଚେତନ ଭୋଟର କେଉଁ ପ୍ରାର୍ଥୀଙ୍କୁ ଇଭିଏମ ମେସିନରେ ପସନ୍ଦ କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଗତ ମାସେ ହେଲା କେନ୍ଦ୍ରାପଡ଼ାରେ ଚାଲିଥିଲା ହାଇଭୋଲଟେଜ ପ୍ରଚାର। ରୋଡ ସୋ’, ରାଲି ଏବଂ ଡୋର କ୍ୟାମ୍ପେନରେ ଉଠୁଥିଲା ପଡୁଥିଲା କେନ୍ଦ୍ରାପଡ଼ା। ବିଜେପିର ହେବିୱେଟ ନେତା ରାଜନାଥ ସିଂହଙ୍କଠାରୁ ଆରମ୍ଭ କରି ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ କେନ୍ଦ୍ରାପଡ଼ା ଯାଇ ପ୍ରଚାର କରିଥିଲେ। ବୈଜୟନ୍ତଙ୍କୁ ଭୋଟ ଦେବା ଲାଗି ଅପିଲ୍ କରିଥିଲେ।

ବୈଜୟନ୍ତ ମଧ୍ୟ ଗତ ୧୦ ବର୍ଷ ଭିତରେ କେନ୍ଦ୍ରାପଡ଼ାରେ କରିଥିବା ବିଭିନ୍ନ ବିକାଶମୂଳକ କାମ ଏବଂ ମୋଦି ସରକାରଙ୍କ ଲୋକପ୍ରିୟ ଯୋଜନାକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚିଥିଲେ।

ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡ଼ାରେ ମାରାଥନ ପ୍ରଚାର କରିଥିଲେ। ହାଇଟେକ ବସରେ ମହାକାଳପଡ଼ା, ପାଟକୁରା, ଆଳି, ପଟ୍ଟାମୁଣ୍ଡାଇ ଅଞ୍ଚଳ ବୁଲି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବଦେନ କରିଥିଲେ। ମୋଦି ଓ ନବୀନଙ୍କ ପ୍ରଚାରରେ କେନ୍ଦ୍ରାପଡ଼ା ରାଜନୀତି ସରଗରମ ହୋଇଯାଇଥିଲା।

ଏବେ ପ୍ରଚାର ଶେଷ ହୋଇଛି। ଆଜି ରାତିକ ପରେ ଆସନ୍ତା କାଲି ହେବ ମତଦାନ। କେନ୍ଦ୍ରାପଡ଼ା ଚଳିତ ନିର୍ବାଚନ ସିଜିନରେ ଚର୍ଚ୍ଚାରେ ରହିଥିବାରୁ ଏଠି ଫଳାଫଳ କ’ଣ ହେଉଛି ସମସ୍ତଙ୍କ ନଜର ରହିଛି।

ବିଜେପି, ବିଜେଡି ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରାପଡ଼ା?

ପ୍ରତି ଥର ନିର୍ବାଚନ ଆସିଲେ କେନ୍ଦ୍ରାପଡ଼ାକୁ ନେଇ ଚର୍ଚ୍ଚା ବଢ଼ିଥାଏ। ଉପକୂଳ ଓଡ଼ିଶାର ଏହି ଚର୍ଚ୍ଚିତ ଆସନରେ କିଏ ବାଜି ମାରିବ ତା’ ଉପରେ ସମସ୍ତଙ୍କ ନଜର ରହିଥାଏ। ହେଲେ ଏଥର କିନ୍ତୁ କେନ୍ଦ୍ରାପଡ଼ାକୁ ନେଇ ରାଜନୀତି କରିଡ଼ରରେ ଅଧିକ ଚର୍ଚ୍ଚା ହେଉଛି। କାରଣ ଦୁଇ ଦୁଇ ଥର ବିଜେଡି ଟିକେଟରୁ ଲୋକସଭା ଯାଇଥିବା ବୈଜୟନ୍ତ ପଣ୍ଡା ଏଥର ବିଜେପିରୁ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ମଇଦାନରେ ତାତି ବଢ଼ିଛି।

ବୈଜୟନ୍ତ କେମିତି ବିଜେଡିରୁ ଦୂରେଇଲେ ଏବଂ ବିଜେପିରେ ଯୋଗ ଦେଲେ ତାହା କାହାକୁ ଅଛପା ନାହିଁ। ବିଜେପିରେ ଯୋଗ ଦେଉ ଦେଉ ଦଳ ତାଙ୍କୁ ରାଷ୍ଟ୍ରୀୟ ଉପ-ସଭାପତି ଭାବେ ନିଯୁକ୍ତି ଦେଇଛି। ଏଣୁ ବୈଜୟନ୍ତଙ୍କୁ ଏହି ଆସନରୁ ଜିତାଇବା ବିଜେପି ପାଇଁ ସମ୍ମାନର ବିଷୟ ହୋଇଛି। ଖାସ୍ ବୈଜୟନ୍ତଙ୍କ ପାଇଁ ମୋଦି କେନ୍ଦ୍ରାପଡ଼ା ଆସି ପ୍ରଚାର କରିବା ସହ ନବୀନଙ୍କୁ କଡ଼ା ଆକ୍ଷେପ କରିଥିବା କୁହାଯାଉଛି।

ତୃତୀୟ ମହଲା ଅଫିସରଙ୍କୁ ତୀର ମାରି ବିଜେଡିରୁ ବିଦା ହୋଇଥିବା ବୈଜୟନ୍ତଙ୍କୁ ନିର୍ବାଚନ ଯୁଦ୍ଧରେ ପରାଜିତ କରିବା ବିଜେଡି ପାଇଁ ବଡ଼ ଚାଲେଞ୍ଜ ହୋଇଛି। ବୈଜୟନ୍ତଙ୍କୁ ଟକ୍କର ଦେବା ପାଇଁ ଅଭିନେତାରୁ ନେତା ହୋଇଥିବା ଅନୁଭବ ମହାନ୍ତିଙ୍କୁ ବିଜେଡି ଏଥର ପ୍ରାର୍ଥୀ କରିଛି। ଅନୁଭବଙ୍କୁ ଜିତାଇବା ମଧ୍ୟ ବିଜେଡି ପାଇଁ ଚାଲେଞ୍ଜ ହୋଇଛି।

କେନ୍ଦ୍ରାପଡ଼ା ନିର୍ବାଚନର ଇତିହାସ କହୁଛି ଏହା ହେଉଛି ଅଣ କଂଗ୍ରେସ ଗଡ଼। ୧୯୭୭ରୁ ଆଜି ପର୍ଯ୍ୟନ୍ତ ଏହି ଆସନଟି ପର୍ଯ୍ୟାୟ କ୍ରମେ ଜନତା ଦଳ ଓ ବିଜେଡି ହାତରେ ରହି ଆସିଛି।  ୧୯୭୭, ୧୯୮୦, ୧୯୮୪ରେ ଏହି ଆସନରୁ ବିଜୁ ପଟ୍ଟନାୟକ ଜନତା ଦଳ ଟିକେଟରୁ ନିର୍ବାଚିତ ହୋଇଥିଲେ।

୧୯୯୮ରୁ ଏହି ଆସନ ବିଜୁ ଜନତା ଦଳ ହାତରେ ରହି ଆସିଛି। ୧୯୯୮, ୧୯୯୯ରେ ପ୍ରଭାତ କୁମାର ସାମନ୍ତରାୟ, ୨୦୦୪ରେ ଅର୍ଚ୍ଚନା ନାୟକ ଏବଂ ୨୦୦୯ ଓ ୨୦୧୪ରେ ବୈଜୟନ୍ତ ପଣ୍ଡା ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ।

Comment