ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଏଥର ଭଦ୍ରକ ଲୋକସଭାରେ ଜମୁଛି ପରିବାର ରାଜନୀତିର ଲଢ଼େଇ। ୨୦୧୯ ନିର୍ବାଚନ ଭଦ୍ରକ ଲୋକସଭା ଆସନ ଲାଗି ତିନି ଛାମୁଆ ନେତା ମଧୁମିତା ସେଠୀ, ଅଭମନ୍ୟୁ ସେଠୀ ଓ ମଞ୍ଜୁଲତା ମଣ୍ଡଳଙ୍କ ଭାଗ୍ୟ ପରୀକ୍ଷା।

ଏପ୍ରିଲ ୨୯ରେ ଭଦ୍ରକ ଲୋକସଭା ଆସନ ଲାଗି ମତଦାନ ହେବ। ଏଥର ଭଦ୍ରକ ଲୋକସଭା ଆସନ ରେ ବିଜେଡି, ବିଜେପି ଓ କଂଗ୍ରେସ ସବୁଦଳର ସମୀକରଣ ବଦଳିଯାଇଛି।

୨୦୧୯ ନିର୍ବାଚନରେ ଚର୍ଚ୍ଚିତ ଆସନଠୁ ବି ଅଧିକ ଚର୍ଚ୍ଚାରେ ରହିଛି ଭଦ୍ରକ ଲୋକସଭା ଆସନ। କାରଣ ଅନ୍ୟ ଚର୍ଚ୍ଚିତ ଆସନରେ ପ୍ରାର୍ଥୀ ଅନେକାଂଶରେ ବଦଳାଯାଇନାହିଁ ଅବା ଯେଉଁଠି ବଦଳାଯାଇଛି ସେଠାରେ ଦଳ ପୁରୁଣା ନହେଲେ ପୁରୁଖାଙ୍କୁ ଟିକେଟ ଦେଇଛି। ମାତ୍ର ଭଦ୍ରକରେ ନୂଆ ସମୀକରଣ। ସବୁ ଦଳ ଏଠି ରିକ୍ସ ନେଇଛନ୍ତି ଓ ନୂଆ ଏକ୍ସପେରିମେଣ୍ଟ କରିଛନ୍ତି।

ଅର୍ଜୁନଙ୍କ ବଦଳରେ ଯୁଦ୍ଧକ୍ଷେତ୍ରରେ ଅଭିମନ୍ୟୁ

ବିଜେଡି ଟିକେଟ ନଦେବାରୁ ଅର୍ଜୁନ ଚରଣ ସେଠୀ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ବିଜେପି ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ଭଦ୍ରକ ଲୋକସଭା ଲାଗି ପ୍ରାର୍ଥୀ କରିଛି। ବିଜେପି ପୁରୁଖା ନେତା ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁଙ୍କୁ ଟିକେଟ ନେଇ ନୂଆ ଗୋଟି ଚାଳନା କରୁଥିବା ବେଳେ, ଅଭିମନ୍ୟୁ ମଧ୍ୟ ଏକ ଜାତୀୟ ଦଳରୁ ନିଜର କ୍ୟାରିୟର ଆରମ୍ଭ କରୁଥିବାରୁ ଖୁସି ଥିବା ସହ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶାବାଦୀ ଅଛନ୍ତି।

ବିଜେଡିରୁ ମଞ୍ଜୁଲତା

ବିଜେଡି ଏଥର ମହିଳା ପ୍ରାର୍ଥୀ ଦେଇଛି ଭଦ୍ରକ ଲୋକସଭା ଲାଗି। ମଞ୍ଜୁଳା ମଣ୍ଡଳ ଏଥର ବିଜେଡିର ଲୋକସଭା ପ୍ରାର୍ଥୀ। ମଞ୍ଜୁଲତା ହୁଏତ ନିର୍ବାଚନ ମଇଦାନରେ ନୂଆ, ମାତ୍ର ସେ ଜଣେ ବିଚକ୍ଷଣ ବିଧାୟକଙ୍କ ପତ୍ନୀ ଯାହା ତାଙ୍କ ପାଇଁ ନିର୍ବାଚନୀ ବୈତରଣୀ ପାର କରିବାରେ ଅନେକ ମାତ୍ରାରେ ସହାୟକ ହୋଇପାରେ।

ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀ ହେଉଛନ୍ତି ମଞ୍ଜୁଲତା। ଗତ ୨୫ ବର୍ଷ ହେବ ସେ ରାଜନୀତିରେ ଅଛନ୍ତି।  ମଞ୍ଜୁଲତା ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାରକୁ ଜୋର ସୋର କରିଛନ୍ତି। ଏକଦା ସ୍ୱାମୀଙ୍କ ପାଇଁ ପ୍ରଚାର ମଙ୍ଗ ଧରୁଥିବା ମଞ୍ଜୁଲତା ଏଥର ଖୋଦ ନିର୍ବାଚନ ବୈତରଣୀରେ।

କଂଗ୍ରେସରୁ ଆଉ ଜଣେ ମହିଳା

ବିଜେଡି ଓ ବିଜେପିକୁ ଚେକ ଦେବା ଲାଗି କଂଗ୍ରେସ ମଧ୍ୟ ନୂଆ ଗୋଟି ଚାଳଣା କରିଛି ଭଦ୍ରକରେ। ମଧୁମିତା ସେଠୀଙ୍କୁ ଭଦ୍ରକ ଲୋକସଭା ଆସନ ଲାଗି କଂଗ୍ରେସ ଟିକେଟ ଦେଇଛି। ଅର୍ଥାତ କଂଗ୍ରେସ ମଧ୍ୟ ଏଠି ମହିଳା କାର୍ଡ ଖେଳିଛି।

ରାଜନୀତିରେ ମଧୁମିତା ନୂଆ କିନ୍ତୁ ତାଙ୍କର ପରିବାର କିମ୍ବା ସେ ନୂଆ ନୁହନ୍ତି। କାରଣ ସେ ହେଉଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କ ଝିଅ। ଅତିପାଖରୁ ବାପାଙ୍କ ରାଜନୀତିକୁ ଦେଖିଛନ୍ତି ମଧୁମିତା। ଯାହା ତାଙ୍କୁ ଏଥର ନିର୍ବାଚନରେ ଅନେକାଂଶରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଭଦ୍ରକ ଲୋକସଭା ଆସନରେ ଏଥର ପରିବାର ରାଜନୀତି ଦେଖିବାକୁ ମିଳିବ। ତେବେ ଭଦ୍ରକବାସୀ କାହାକୁ ବହୁମତ ଦେବେ। କେଉଁ ନବାଗତ ଅବା ନବାଗତାଙ୍କ ସପକ୍ଷରେ ଜନାଦେଶ ରହିବ। ତାହା ଜଣାପଡ଼ିବ ମେ ୨୩ରେ।

LEAVE A REPLY

Please enter your comment!
Please enter your name here