ଓଡ଼ିଶାଲାଇଭ ବ୍ୟୁରୋ
୯ ରାଜ୍ୟର ୭୧ଟି ଆସନରେ ମତଦାନ ହେବା ପୂର୍ବରୁ ଆସିଛି ଏଡିଆର ରିପୋର୍ଟ। କେଉଁ ଦଳ କେତେ ଦାଗୀ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି ତାହାର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ୯୨୮ ଜଣଙ୍କ ମଧ୍ୟରୁ ୨୩ ପ୍ରତିଶତ ପ୍ରାର୍ଥୀ ଅର୍ଥାତ ୨୧୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟ ଦର୍ଶାଇଛି।
ଏଥିରୁ ୧୭ ପ୍ରତିଶତ ଅର୍ଥାତ ୧୫୮ ଜଣ ଏଭଳି ପ୍ରାର୍ଥୀ ଅଛନ୍ତି ସେମାନଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଛି। ଶିବସେନା ଏବଂ ବିଜେପି ଏହି ପର୍ଯ୍ୟାୟରେ ସବୁଠୁ ଅଧିକ ଦାଗୀ ନେତାଙ୍କୁ ଟିକେଟ ଦେଇଥିବା ଜଣାପଡ଼ିଛି।
ଏହି ପର୍ଯ୍ୟାୟରେ ଶିବସେନାର ୨୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେଥିମଧ୍ୟରୁ ଶିବସେନା ୧୨ ଜଣ ଦାଗୀ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି। ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଦାଗୀ ପ୍ରାର୍ଥୀଙ୍କୁ ଟିକେଟ ଦେବାରେ ବିଜେପି ଦ୍ୱିତୀୟ ସ୍ଥାନରେ ରହିଛି। ବିଜେପି ୫୭ ଜଣଙ୍କ ମଧ୍ୟରୁ ୨୦ ଜଣ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଏଡିଆର ରିପୋର୍ଟ ଦର୍ଶାଇଛି।
ସେହିପରି କଂଗ୍ରେସର ୫୭ରୁ ୧୮ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି। ବିଏସପିର ୧୧ ଜଣ ଏବଂ ୩୪୫ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ୪୫ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।


















