ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶେଷ ହୋଇଛି ଲଢ଼େଇ। କିଏ ଗଢ଼ିବ ସରକାର ଏବଂ କିଏ ବସିବ ବିରୋଧୀ ଆସନରେ ତାକୁ ନେଇ ଚାଲିଛି କାଉଣ୍ଟ ଡାଉନ।
ବହୁ ଛକାପଞ୍ଝା ଓ ତୁମ୍ବିତୋଫାନ ଭିତରେ ଓଡ଼ିଶାରେ ଶେଷ ହୋଇଛି ଭୋଟ। ବଡ଼ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ମେ’ ୨୩ରେ ରେଜଲ୍ଟ ବାହାରିବାକୁ ଥିବା ବେଳେ ଓଡ଼ିଶାରେ କିଏ ସରକାର ଗଢ଼ିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଆମେ ଜିତି ସାରିଲୁଣି ବୋଲି ବିଜେଡି ଦାବି କରୁଥିବା ବେଳେ ବିଜେପି ମିଶନ ୧୨୦ ପ୍ଲସ ଦଖଲ କରିବା ମୁଡରେ ରହିଛି। ଏପଟେ ପୂର୍ବାପେକ୍ଷା କଂଗ୍ରେସ ଏଥର ଭଲ ପ୍ରଦର୍ଶନ କରିବ ବୋଲି କୁହାଯାଉଛି। ଏହି ତିନି ଦଳଙ୍କ ଭିତରୁ କିଏ ଓଡ଼ିଶାର ଶାସନ ଗାଦିରେ ବସୁଛି ତା’ ଉପରେ ନଜର।
୨୧ଟି ଲୋକସଭା ଏବଂ ୧୪୬ଟି ବିଧାନସଭା ଆସନରେ ନିର୍ବାଚନ ଶେଷ ହୋଇଛି। କେବଳ ପାଟକୁରାରେ ନିର୍ବାଚନ ବାକି ରହିଛି। ମେ’ ୧୯ରେ ଏହି ନିର୍ବାଚନମଣ୍ଡଳୀରେ ହେବ ନିର୍ବାଚନ। ତେବେ ଯେଉଁ ନିର୍ବାଚନମଣ୍ଡଳୀରେ ନିର୍ବାଚନ ହୋଇଛି ତାକୁ ନେଇ ଏବେ ବିଭିନ୍ନ ମହଲରେ ଅଙ୍କ କଷା ଚାଲିଛି।

ବିଜେପି-ବିଜେଡି ମଧ୍ୟରେ ପତିଆରା ଲଢ଼େଇ
ଚଳିତ ନିର୍ବାଚନରେ ବିଜେପି ଓ ବିଜେଡି ଭିତରେ ପତିଆରା ଲଢ଼େଇ ଜୋରଦାର ହୋଇଥିଲା। ନବୀନ ପଟ୍ଟନାୟକଙ୍କୁ ପଞ୍ଚମ ଥର ଲାଗି ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡି ଜୋରଦାର ପ୍ରୟାସ କରିଥିବା ବେଳେ ବିଜେଡିର ୧୯ ବର୍ଷର ଦୁର୍ଗ ଭାଙ୍ଗିବା ପାଇଁ ବିଜେପି ମଧ୍ୟ ଉଦ୍ୟମ କରିଥିଲା।
ବିଜେପିର ପୋଷ୍ଟରବୟ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ର ନେତାମାନେ ଘନଘନ ଓଡ଼ିଶା ଆସି ନିର୍ବାଚନ ମଇଦାନକୁ ସରଗରମ କରିଥିଲେ। ଖାଲି ସେତିକି ନୁହେଁ, ପ୍ରଚାର ମଇଦାନରେ ନବୀନ ବିଜେପିକୁ ଶାଣିତ ସ୍ୱରରେ ଟାର୍ଗେଟ କରିଥିବା ବେଳେ ମୋଦି ବି ନବୀନଙ୍କୁ ସିଧା ସିଧା ତୀର ମାରିଥିଲେ।
ମୋଦିଙ୍କ ଆକ୍ଷେପ, ନବୀନଙ୍କ ଜବାବ
ବିଜେପିର ପୋଷ୍ଟରବୟ ଚଳିତ ନିର୍ବାଚନରେ କୋରାପୁଟର ଜୟପୁରଠାରୁ ପ୍ରଚାର ଆରମ୍ଭ କରିଥିଲେ। ପରେ ଭବାନିପାଟଣା, ସୁନ୍ଦରଗଡ଼, ଭୁବନେଶ୍ୱର ଆଦି ଅଞ୍ଚଳରେ ମୋଦି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ହେଲେ କେବେ ବି ନବୀନଙ୍କ ନାଁ ନେଇ ନଥିଲେ। ସେ ଏସବୁ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। କିନ୍ତୁ କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ମୋଦି ନବୀନଙ୍କୁ ହିଁ ଆକ୍ଷେପ କରିଥିଲେ।
‘‘ମୁଁ ବହୁ ଥର ଓଡ଼ିଶା ଆସିଲିଣି। ହେଲେ କେବେ ସିଧା ଆକ୍ଷେପ କରି ନଥିଲି। କିନ୍ତୁ ଗତ କିଛିଦିନର ହିଂସାକାଣ୍ଡକୁ ଦେଖିବା ପରେ କହୁଛି ଯେ ଆପଣ ସମ୍ମାନର ସହ ରାଜନୀତିରୁ ବିଦାୟ ନେଇ ଯାଆନ୍ତୁ। ଏହା ପରଠୁ ମୁଁ ଆଉ ଓଡ଼ିଶା ଆସୁନି। ବିଜେପି ସରକାର ଗଠନ ହେବା ପରେ ହିଁ ଓଡ଼ିଶା ଆସିବି’’, କହିଥିଲେ ମୋଦି।
ମୋଦିଙ୍କ ଏହି ଆକ୍ଷେପକୁ ନେଇ ରାଜ୍ୟ ରାଜନୀତି ହଲଚଲ୍ ହୋଇ ଯାଇଥିଲା। ସତରେ କ’ଣ ଓଡ଼ିଶାରେ ସରକାର ବଦଳିଯିବ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।
ଏହାର ଦିନକ ପରେ ମୋଦିଙ୍କ ଆକ୍ଷେପର କଡ଼ା ଜବାବ ଦେଇଥିଲେ ମୋଦି। ସବୁବେଳେ କେନ୍ଦ୍ରର ବିଜେପି ସରକାର ନାଁ ନେଇ ବର୍ଷୁଥିବା ନବୀନ କିନ୍ତୁ ବାଲେଶ୍ୱର ସଭାରେ ମୋଦିଙ୍କୁ କଡ଼ା ସମାଲୋଚନା କରିଥିଲେ।
‘‘ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଆମେ ଜିତି ସାରିଲୁଣି। ଆମ ଦଳ ପୁଣି ସରକାର ଗଗଠନ କରିବ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ମୁଁ ଆପଣଙ୍କୁ ନମ୍ରତାର ସହ ଅନୁରୋଧ କରୁଛି’’, କହିଥିଲେ ନବୀନ।
ମୋଦି ଏବଂ ନବୀନଙ୍କ ଏହି କଥା କଟାକଟି ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା।
ନବୀନ ପଚାରିଲେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ?
ସବୁବେଳେ କମ୍ କଥା କହୁଥିବା ନବୀନ କିନ୍ତୁ ଏଥର ନିର୍ବାଚନ ପ୍ରଚାରରେ ବିଜେପି ଉପରେ ଜୋରଦାର ହମ୍ଲା କରିଥିଲେ। ତମ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ନବୀନ ପ୍ରଶ୍ନ କରି ବିଜେପିକୁ ନିଶାନା କରିଥିଲେ। ଯେଉଁ କଥା ବିଜେଡି ନେତାମାନେ ପଚାରି ଆସୁଥିଲେ ତାହା ନବୀନ ନିଜେ ପଚାରି ନିର୍ବାଚନୀ ମଇଦାନକୁ ଗରମ କରିଥିଲେ।
ଆକ୍ଷେପ ପ୍ରତ୍ୟାକ୍ଷେପ ଭିତରେ ନିର୍ବାଚନ ଶେଷ ହୋଇଛି। ବିଜେପି, ବିଜେଡି ଏବଂ କଂଗ୍ରେସ କେତେ ଆସନ ପାଉଛନ୍ତି ତା’ ଉପରେ ନଜର ରହିଛି। ଗତ ୨୦୧୪ରେ ବିଜେଡି ୧୧୭ ଆସନ ପାଇଥିବା ବେଳେ କଂଗ୍ରେସ ୧୬ ଏବଂ ବିଜେପି ୧୦ ଆସନ ପାଇଥିଲା। ହେଲେ ଏଥର କିଏ କେତେ ଆସନ ପାଉଛି ତାକୁ ହିଁ ଅପେକ୍ଷା।








ଶେଷ ହୋଇଛି ଲଢ଼େଇ। କିଏ ଗଢ଼ିବ ସରକାର ଏବଂ କିଏ ବସିବ ବିରୋଧୀ ଆସନରେ ତାକୁ ନେଇ ଚାଲିଛି କାଉଣ୍ଟ ଡାଉନ।









