ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗୋଟିଏ ପଟେ ବିଜେପି ନେତାମାନେ ନିର୍ବାଚନ ପ୍ରଚାର ଓ ଭୋଟରେ ମାତିଥିବା ବେଳେ ତେଣେ କେନ୍ଦ୍ର ଅମଲାତନ୍ତ୍ର ବିଭିନ୍ନ କ୍ଷେତ୍ର ବା ସେକ୍ଟର  ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଆରମ୍ଭ କରିଦେଇଛି। ଏଥିରେ ନୂଆ ସରକାର ପାଇଁ ପ୍ରଥମ ୧୦୦ ଦିନର  କାର୍ଯ୍ୟସୂଚୀ ମଧ୍ୟ ସାମିଲ ହୋଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଏହି କାର୍ଯ୍ୟସୂଚୀକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଦେଖାଇବା ବି ଆରମ୍ଭ କରି ଦେଇଛନ୍ତି। ମାନବ ସମ୍ବଳ ବିକାଶ ବିଭାଗ ତ ଆଉ ଗୋଟିଏ ପାଦ ଆଗେଇଯାଇ ଆଗାମୀ ୫ ବର୍ଷ ପାଇଁ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ବଡ଼ ହସ୍ତୀ ସାମିଲ

ମାନବ ସମ୍ବଳ ବିକାଶ ବିଭାଗ ଇତି ମଧ୍ୟରେ ପୂର୍ବ ରାଜସ୍ୱ ସଚିବ ହସମୁଖ ଅଧିଆ, ନୀତି ଆୟୋଗର ସିଇଓ ଅମିତାଭ କାନ୍ତ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡ଼ ବିଜୟ ରାଘବନ, ରେଡିଫର ପ୍ରତିଷ୍ଠାତା ଅଜିତ ବାଲକ୍ରୀଷ୍ଣାନ ଓ ଇନ୍ଫୋସିସର ପୂର୍ବତନ ସିଇଓ ଗୋପାଳକୃଷ୍ଣନଙ୍କ ସମେତ ବହୁ ହସ୍ତୀଙ୍କୁ ଏହି ଯୋଜନା ପ୍ରସ୍ତୁତ କାର୍ଯ୍ୟରେ ସାମିଲ କରାଯାଇଛି।

ଉଚ୍ଚ ଶିକ୍ଷାକୁ ଗୁରୁତ୍ୱ

ଏ ସବୁ ବଡ଼ ମୁଣ୍ଡ ଏକ ନୂଆ ପ୍ରକଳ୍ପରେ ହାତ ଦେଇଛନ୍ତି।ଏହାକୁ କୁହାଯାଉଛି ‘ଏଜୁକେସନ କ୍ୱାଲିଟି ଅପଗ୍ରେଡେସନ ଆଣ୍ଡ ଇଂକ୍ଲୁଜନ ପ୍ରୋଗ୍ରାମ’।ଏହାର ଉଦ୍ଦେଶ୍ୟ ହେଉଛି ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା। ଉଚ୍ଚ ଶିକ୍ଷା ସହିତ ବିଭିନ୍ନ ପ୍ରସଙ୍ଗ ପାଇଁ ଅଧିଆ ଓ କାନ୍ତଙ୍କ ଅଧ୍ୟକ୍ଷତାରେ ୧୦ଟି ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମର ଚିଠାଟି ସରକାରଙ୍କୁ ଦିଆ ବି ସରିଛି।

ମସୂରୀରେ ମନ୍ଥନ

ଖବର ଆସୁଛି ଯେ ଏହି ୧୦ଟି ଏକ୍ସପର୍ଟ ଗ୍ରୁପ ଏପ୍ରିଲ ୨୨-୨୪ ତିନି ଦିନ ଧରି ମସୂରୀରେ ଥିବା ଲାଲ ବାହାଦୂର ନ୍ୟାସନାଲ ଏକାଡେମୀ ଅଫ ଆଡ଼ମିନିଷ୍ଟ୍ରେସନରେ ଘମାଘୋଟ ଆଲୋଚନା କରିଥିଲେ। ଆଗକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ କି ପ୍ରକାର ପରିବର୍ତ୍ତନ ଆଣିବାକୁ ହେବ ସେ ନେଇ ମାନସ ମନ୍ଥନ ହୋଇଥିଲା।

ଲୋକଙ୍କ ପାଖକୁ ଉଚ୍ଚ ଶିକ୍ଷା

ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଅଧିଆଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଲୋକଙ୍କ ପାଖରେ ଉଚ୍ଚ ଶିକ୍ଷାକୁ କେମିତି ପହଞ୍ଚାଇ ହେବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୪ ସୁଦ୍ଧା ଗ୍ରୋସ ଏନରୋଲମେଣ୍ଟ ରେସିଓ ବା ମୋଟ ନାମଲେଖାର ଅନୁପାତ ଦୁଇ ଗୁଣ ବା ୫୨ ପ୍ରତିଶତ ବୃଦ୍ଧି କରିବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏସସି/ଏସଟି ଓ ଅନ୍ୟ ପଛୁଆ ବର୍ଗର ପିଲା ଯେପରି ଉଚ୍ଚ ଶିକ୍ଷା ପାଇବା ପାଇଁ ଆଗେଇ ଆସିବେ ସେ ନେଇ ଜୋରସୋର ଚିନ୍ତା ଚାଲିଛି।

ବିଦେଶୀଙ୍କ ପାଇଁ ଚିନ୍ତା

ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ ହୋଇଛି ତା’ର ଲକ୍ଷ୍ୟ ହେଉଛି ଭାରତର ଉଚ୍ଚ ଶିକ୍ଷାର ଅନ୍ତଃରାଷ୍ଟ୍ରୀୟକରଣ। ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ବୃତ୍ତିଗତ  ଶିକ୍ଷା ଅନୁଷ୍ଠାନରେ ନିହାତି କମରେ ୧୦ ପ୍ରତିଶତ ବିଦେଶୀ ଛାତ୍ରଛାତ୍ରୀ ଯେମିତି ସାମିଲ ହୋଇପାରିବେ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି।

ଅର୍ଥ କେଉଁଠୁ ଆସିବ

ଇନ୍ଫୋସିସର ପୂର୍ବ ସିଇଓ କ୍ରିସ୍ ଗୋପାଳକୃଷ୍ଣନଙ୍କ ଦାୟିତ୍ୱରେ ‘ଉଚ୍ଚ ଶିକ୍ଷା ପାଇଁ ଅର୍ଥ କେଉଁଠୁ ଆସିବ’ ସେ ନେଇ ଏକ କମିଟି ଗଠିତ କରାଯାଇଛି। ଏଥିପାଇଁ ଏକ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କି ଘରୋଇ ଉଦ୍ୟୋଗ ବା ପ୍ରାଇଭେଟ ସେକ୍ଟରକୁ ବ୍ୟାପକ ଭାବରେ ସାମିଲ କରାଯିବ।

Comment