ଓଡ଼ିଶାଲାଇଭ ବ୍ୟୁରୋ
ସାମୁଦ୍ରିକ ଝଡ଼ ‘ଫନି’ ଯୋଗୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଧିକାଂଶ ଟ୍ରେନକୁ ବାତିଲ କରିଥିଲା ପୂର୍ବତଟ ରେଳପଥ। ଗତକାଲିଠାରୁ ବେଙ୍ଗାଳୁରୁ, ଜଗଦଲପୁର ଏବଂ ଜୁନାଗଡ଼ ରୋଡକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିବା ଆଉ କିଛି ସ୍ଥାନକୁ ଟ୍ରେନ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛିା ହେଲେ ପୁରୀକୁ ଏବେ ଟ୍ରେନ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ପୂର୍ବତଟ ରେଳବାଇ ବିଭାଗ ପକ୍ଷରୁ କୁହାଯାଇଛିା
ପୁରୀ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଟ୍ରେନ ଚଳାଚଳ ଏବେ ସମ୍ଭବ ନୁହେଁ ବୋଲି ପୂର୍ବତଟ ରେଳବାଇ ବିଭାଗର ମୁଖ୍ୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜେ ପି ମିଶ୍ର କହିଛନ୍ତି।
ପୁରୀ ଷ୍ଟେସନ ଏବଂ କୋଚିଂ ଡିପୋ ଭାଙ୍ଗିରୁଜି ଯାଇଥିବା ବେଳେ ଖୋର୍ଦ୍ଧା ରୋଡର ମେମୁ ସେଡ୍ ବ୍ୟାପକ ନଷ୍ଟ ହୋଇଛି। ସିଗନାଲ ସିଷ୍ଟମ ଉପରେ ବ୍ୟାପକ ପ୍ରଭାବ ପକାଇଛି ‘ଫନି’। ଷ୍ଟେସନର ଛାତ ଏବଂ ଲେବଲ କ୍ରସିଂ ଗେଟ୍ ବିଶେଷ ଭାବେ ପ୍ରଭାବିତ ହୋଇଛିା ଏହାସହ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଛି। ଏଣୁ ପୁରୀକୁ ଟ୍ରେନ ଚଳାଚଳ ସମ୍ଭବ ହେବ ନାହିଁ ବୋଲି ସେ କହିଛନ୍ତି।
ଗତ ୪ ତାରିଖରୁ ସମ୍ବଲପୁର, ଜଗଦଲପୁର ଏବଂ ଜୁନାଗଡ଼ ରୋଡକୁ ଟ୍ରାଏଲ ବେସିସରେ ଟ୍ରେନ ଚଳାଚଳ କରିଛି।
ଜେ ପି ମିଶ୍ର କହିଛନ୍ତି, ‘‘ବାତ୍ୟା ଆସିବା ପୂର୍ବରୁ ଆମର ସମସ୍ତ କର୍ମକର୍ତ୍ତା ଓ ରେଲଓ୍ୱେ ଇଞ୍ଜିନିୟରମାନେ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲେ। ବାତ୍ୟା ଛାଡ଼ିବାର ୨୪ ଘଣ୍ଟା ମଧ୍ୟରେ ଆମେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନରେ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲୁା ଫଳରେ କିଛି ଜାଗାକୁ ଟ୍ରେନ ଚଳାଚଳ ସମ୍ଭବ ହୋଇପାରିଛି।








