ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ ଫଳାଫଳ ବିଜେଡି ଲାଗି ଆହ୍ୱାନ ହେବାକୁ ଯାଉଛି। ଏକଜିଟ୍ ପୋଲରୁ ଆସୁଥିବା ଏହି ସୂଚନାକୁ କିନ୍ତୁ ବିଜେଡି ମାନିବାକୁ ପ୍ରସ୍ତୁତ ନୁହଁ। ଏକ ଟେଲିଭିଜନ ଆଲୋଚନାରେ ଭାଗ ନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ମିଡିଆର ‘ପରସେପସନ୍’ ଏବଂ ଲୋକଙ୍କ ମନ ଭିତରେ ଅନେକ ଫରକ ରହିଛି। ତେଣୁ ନିର୍ବାଚନର ବାସ୍ତବର ଫଳାଫଳ ଏବେଠୁ ଆକଳନ କରିବା ସମ୍ଭବ ନୁହଁ।

ରବିବାର ଦେଶର ପର୍ଯ୍ୟାୟ ଭୋଟଗ୍ରହଣ ପରେ ସଂନ୍ଧ୍ୟାରେ ବିଭିନ୍ନ ମିଡିଆ ପକ୍ଷରୁ ଏକଜିଟ୍ ପୋଲ ଫଳାଫଳ ପ୍ରକାଶ ପାଇଛି। ବିଭିନ୍ନ ଇଂରାଜୀ ଓ ହିନ୍ଦୀ ଟିଭି ଚ୍ୟାନେଲ ଓଡ଼ିଶାରେ ୨୧ଟି ଲୋକସଭା ଆସନ ସମ୍ପର୍କରେ ଆକଳନ କରିଛନ୍ତି।

ରିପ୍ଲବିକ୍ ସି ଭୋଟରର ସର୍ଭେ ଅନୁସାରେ ବିଜେଡିକୁ ଏଥର ୧୧ ଲୋକସଭା ଆସନରେ ବିଜୟ ହେବ। ସେହିପରି ବିଜେପିକୁ ୧୦ଟି ଆସନରେ ସଫଳତା ମିଳିପାରେ ସେପଟେ କଂଗ୍ରେସକୁ ରିପ୍ଲବିକ୍ ଆକଳନ ଅନୁସାରେ କୌଣସି ବି ଆଶନରେ ସଫଳତା ମିଳିବ ନାହିଁ।

ସେହିପରି ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେଡିକୁ ୧୫ଆସନ, ବିଜେପିକୁ ୬ଟି ଆସନ  ସେହିପରି କଂଗ୍ରେସକୁ ଗୋଟିଏ ସିଟରେ ସଫଳତା ମିଳିପାରେ।

ଅନ୍ୟପଟେ ଟାଇମ୍ନ ନାଓର ସର୍ଭେ ଅନୁସାରେ ବିଜେଡିକୁ ୨୧ରୁ ୮ ଆସନ ବିଜେପିକୁ ୧୨ ଆସନ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା ମିଳିପାରେ।

ଏବିପି ନ୍ୟୁଜ୍ ସର୍ଭେ ଅନୁସାରେ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୯ ଓ କଂଗ୍ରେସକୁ କୌଣସି ବି ଆସନରେ ସଫଳତା ମିଳିବନାହିଁ।

ମୋଟାମୋଟି ଭାବେ ଏ ସମସ୍ତ ଏକଜିଟ୍ ପୋଲରୁ ରାଜ୍ୟରେ ବିଜେପିର ଉତଥାନର ଏକ ଚିତ୍ର ସାମ୍ନାକୁ ଆସୁଛି। ୨୦୧୪ରେ ବିଜେପି କେବଳ ଗୋଟିଏ ଆସନ ନିଜ ରଖିପାରିଥବା ବେଳେ ଏଥର ଦଳକୁ ୧୨ଟି ଆସନ ପର୍ଯ୍ୟନ୍ତ ସଫଳତା ମିଳିପାରେ ବୋଲି ଅନୁମାନ କରାଯାଉଛି।

ବିଜେପିକୁ ବିଧାନସଭାରେ ୭୦ଆସନ ମିଳିବ: ଖାରବେଳ

ନବୀନଙ୍କ ବିରୋଧୀ ଭାବେ ପରିଚିତ ଐର ଖାରବେଳ ସ୍ୱାଇଁ ଏକଜିଟ୍ ପୋଲର ସଙ୍କେତକୁ ଆଧାର କରି ତୀର ମାରିଛନ୍ତି। ସେ କହିଛନ୍ତି ଯେ ଏଥର ବିଧାନସଭାରେ ବିଜେପିକୁ ୭୦ଟି ଆସନ ମିଳିପାରେ। ଏପରିକି ଦଳ ବିଜେଡିକୁ ପଛରେ ପକାଇ ସରକାର ଗଢ଼ିପାରେ।

ଚଳିତ ନିର୍ବାଚନରେ ବିଜେଡିକୁ ୫୦ , କଂଗ୍ରେସକୁ ୨୫ଟି ଆସନ ମିଳିପାରେ ବୋଲି ଖାରବେଳ କହିଛନ୍ତି। ଆପଣ କେଉଁ ଆଧାରରେ ଏହି ଆକଳନ କରୁଛନ୍ତି ବୋଲି ମିଡିଆର ପ୍ରଶ୍ନରେ ଖାରବେଳ କହିଛନ୍ତି ଯେ ସେ ସାରା ରାଜ୍ୟ ବୁଲି ଲୋକଙ୍କୁ ଭେଟିଛନ୍ତି। ଲୋକଙ୍କ ମନକୁ ବୁଝି ସେ ଏହି ଅନୁମାନ ଲଗାଇଛନ୍ତି।

କିଏ ଗଢ଼ିବ ସରକାର?

ଏଥର କେନ୍ଦ୍ରରେ ଏବଂ ରାଜ୍ୟରେ କିଏ ସରକାର ଗଢ଼ିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ବଭିନ୍ନ ଗଣମାଧ୍ୟମର ଏକଜିକ୍ ପୋଲ ସୂଚନା ଅନୁସାରେ କେନ୍ଦ୍ରରେ ମୋଦି ପୁଣି ଥରେ ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ। ସେହିପରି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ପୁଣିଥରେ ଶାସନକୁ ଆସିବା ଏକପ୍ରକାର ଶାସନକୁ ଆସିବା ସ୍ପଷ୍ଟ ହୋଇଯାଇଛି।

ସମ୍ବାଦ ଓ କନକ ନ୍ୟୁଜ୍ କରିଥିବା ଏକଜିଟ୍ ପୋଲରେ ଓଡ଼ିଶାର ୧୪୭ ବିଧାନସଭା ଆସନରୁ ବିଜେଡି୮୫ଆସନରେ ଜିତିବା ଏକ ପ୍ରକାର ସୁନିଶ୍ଚିତ ବୋଲି କୁହାଯାଉଛି। ସେହିପରି ବିଜେପିକୁ ୨୬ ଓ କଂଗ୍ରେସକୁ ମାତ୍ର ୧୧ଟି ଆସନ ମିଳିବା ପ୍ରାୟ ମିଳିବା ସ୍ପଷ୍ଟ। ତେବେ ଏଥର ନିର୍ବାଚନର ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେଉଁ ୨୪ ଟି ଆସନରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି, ତାର ଫଳାଫଳ କେଉଁଆଡ଼େ ଯିବ।

୨୦୧୪ ନିର୍ବାଚନରେ ବିଜେଡି ୧୧୭ଟି ଆସନ ପାଇଥିଲା। ଏଥର ଆସନ ସଂଖ୍ୟା ବଢ଼ିବ ବୋଲି ଦଳୀୟ ନେତାମାନେ  ପ୍ରଚାର ବେଲେ ଦମ୍ଭର ସହ କହି ଆସୁଥିଲେ। ତେବେ ତାହା ଭୂଲ ପ୍ରମାଣିତ ହୋଇପାରେ। ଅନ୍ୟପକ୍ଷରେ ଓଡ଼ିଶାରେ ମୋଦିଙ୍କ ଲହରୀ ପଡ଼ିବ ନାହିଁ ଏବଂ ନବୀନଙ୍କ ଲୋକପ୍ରିୟତା ଉପରେ କୌଣସି ଆଞ୍ଚ  ଆସିବ ନାହିଁ – ବିଜେଡି ନେତାଙ୍କ ଏହି ଦୃଢଉକ୍ତି ମଧ୍ୟ ଭୂଲ ପ୍ରମାଣିତ ହୋଇପାରେ।

କନକ ଓ ସମ୍ବାଦ ପକ୍ଷରୁ ହୋଇଥିବା ଏକଜିଟ୍ ପୋଲ ସମ୍ପର୍କରେ ମତ ରଖିଛନ୍ତି ସମ୍ବାଦର ସମ୍ପାଦକ ବିଜେଡିର ଖଣ୍ଡପଡା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ଯେ ଏକଜିଟ୍ ପୋଲକୁ ଏତେ ଗୁରୁତର ସହ ବିଚାର କରାଯିବା କଥା ନୁହଁ। ତେବେ ଲୋକସଭା ଫଳାଫଳ ନେଇ ଆଜି ଯେଉଁ ସୂଚନା ମିଳୁଛି ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡି ଯେଉଁ ୨୧ରୁ ୨୧ ଆସନ ପାଇବ ବୋଲି ଦୃଢ଼ତାର ସହ ଦାବି କରିଆସୁଥିଲା ତାହା ହୁଏତ ସତ ହୋଇ ପାରିବ ନାହିଁ। ତାହା କୌଣସି କାରଣରୁ ହେଉ ପଛକେ ଏଥର ଭୋଟରଙ୍କ ଉପରେ ମୋଦିଙ୍କ ପ୍ରଭାବ ପଡ଼ିଛି ବୋଲି ସୌମ୍ୟ କହିଛନ୍ତି।

ଓଡ଼ିଶା ମିଡିଆର ଏକଜିଟ୍ ପୋଲ କହୁଛି ଏଥର ଲୋକସଭା ପାଇଁ ବିଜେଡିକୁ ୬, ବିଜେପିକୁ ୮ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବା ସ୍ପଷ୍ଟ। ତାହା ସାଙ୍ଗକୁ 6ଟି ଆସନରେ ହେବ ଜୋରଦାର ମୁକାବିଲା। ସେହିପରି ବିଧାନସଭା କ୍ଷେତ୍ରରେ ବିଜେଡିକୁ ୮୫ , ବିଜେପିକୁ ୨୫ କଂଗ୍ରେସକୁ ୧୨ ଟି ଆସନ ମିଳିବ। ତେବେ ୨୪ଟି ଆସନରେ ଦେଖିବାକୁ ମିଳିବ କଡ଼ା ଟକ୍କର।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

 

Comment