ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ କ୍ରିକେଟ ବିଶ୍ୱକପ୍ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ମଙ୍ଗଳବାର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଅଭିଯାନ ଆରମ୍ଭ କରି ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ। ତେବେ ଏହା ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲି ଓ କୋଚ୍ ରବି ଶାସ୍ତ୍ରୀ ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି।

ପ୍ରେସ୍‌ ମିଟ୍‌ରେ ବିରାଟ୍ କହିଛନ୍ତି, “୨୦୧୯ ବିଶ୍ୱକପ୍  ଟିମ୍‌ ଇଣ୍ଡିଆ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହେବ। ଚଳିତ ବର୍ଷ ବିଶ୍ୱକପରେ ଭାଗ ନେଉଥିବା ସବୁ ଟିମ୍ ଜବରଦସ୍ତ ଫର୍ମରେ ଅଛନ୍ତି। ସେଥିପାଇଁ ଆମକୁ ପ୍ରତି ମ୍ୟାଚ୍‌ରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଚାପକୁ ସାମ୍ନା କରି ଆମର ସାମାର୍ଥ୍ୟ ଅନୁଯାୟୀ ଖେଳିବାକୁ ପଡ଼ିବ।”

“ଚଳିତ ବିଶ୍ୱକପ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ମ୍ୟାଚର ଗତିପଥ ବଦଳାଇବାରେ ଧୋନି ମାହିର୍‌। ତେଣୁ ତାଙ୍କ ଉପସ୍ଥିତି ଆମ ପାଇଁ ଲାଭଦାୟକ ହେବ। ଆମେ ଆମ ଦକ୍ଷତା ଅନୁଯାୟୀ ଖେଳିଲେ ନିଶ୍ଚିତ ରୂପରେ ବିଶ୍ୱକପ୍ ଜିତିପାରିବୁ” ଭାରତୀୟ ଦଳର କୋଚ୍ ରବି ଶାସ୍ତ୍ରୀ କହିଛନ୍ତି।

ଚଳିତ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ଲଣ୍ଡନର ପରିବେଶ ସୁହାଇବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଲଣ୍ଡନର ପରିବେଶ ସହ ଶୀଘ୍ର ଅଭ୍ୟସ୍ତ ହେବାକୁ ପଡ଼ିବ ବୋଲି କୋହଲି କହିଛନ୍ତି।

ଆସନ୍ତା ମେ’ ୩୦ ରେ ଆରମ୍ଭ ହେବାକୁ ଯାଉଛି ୨୦୧୯ କ୍ରିକେଟ ବିଶ୍ୱକପ୍‌ର ମହାକୁମ୍ଭ। ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ଭଳି ଶକ୍ତିଶାଳୀ ଟିମକୁ ଭାରତକୁ ସାମ୍ନା କରିବାକୁ ପଡ଼ିବ।

ବିଶ୍ୱକପ୍ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, କେ ଏଲ୍‌ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ଶାମି।

Comment