ଓଡ଼ିଶାଲାଇଭ୍ ବ୍ୟୁରୋ

ମାଟ୍ରିକରେ ୯୧ ପ୍ରତିଶତ ମାର୍କ ରଖିଥିବା ଜଣେ ସାଧାରଣ ଘରର ପୁଅ ଅବିନାଶଙ୍କ ସ୍ୱପ୍ନ  ଆଇପିଏସ ହେବା

‘‘ମୋ ବାପା ଜଣେ ଅଟୋ ଚାଳକ। ହେଲେ କେବେି ଏହା ଅନୁଭବ କରିବାକୁ ଦେଇନାହନ୍ତି। ମତେ କୌଣସିଥିରେ କିଛି ଅଭାବ କରିନାହାନ୍ତି। କୌଣସି ଆର୍ଥିକ ଅଭାବରେ ମତେ ରଖିନାହାନ୍ତି। ମୁଁ ଯାହାବି ମାଗିଛି ବାପା ମୋତେ ଦେଇଛନ୍ତି। ମୁଁ ଦିନକୁ ମାତ୍ର ୫ ଘଣ୍ଟା ପଢ଼େ। ହେଲେ ବର୍ଷ ସାରା ପଢ଼େ”, କହିଛନ୍ତି ମାଟ୍ରିକ ପରୀକ୍ଷାରେ ୫୫୦ (୯୧ ପ୍ରତିଶତ) ମାର୍କ ରଖିଥିବା ଭୁବନେଶ୍ୱର ୟୁନିଟ ୩, କ୍ୟାପିଟାଲ ହାଇସ୍କୁଲର ଛାତ୍ର ଅବିନାଶ ନାୟକ।

ସେ ଆହୁରି କହିଛନ୍ତି,”ଏବେ ମୋର ଲକ୍ଷ ଯୁକ୍ତ ୨ ପରୀକ୍ଷାରେ ଭଲ କରିବି। ୟୁପିଏସସି ପରୀକ୍ଷା କ୍ଲିଅର କରି ଆଇପିଏସ ହେବି। ଆଇପିଏସଙ୍କ ଗାଡ଼ି ପଛରେ ୩ ଟି ଷ୍ଟାର ଦେଖି ପିଲାବେଳୁ ମୋର ଇଚ୍ଛା ଅଛି ମୋ ଗାଡ଼ିରେ ବି ୩ଟି ଷ୍ଟାର ଲାଗିବ”।

ମଙ୍ଗଳବାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଅବଶ୍ୟ ଗତ ବର୍ଷ ଅପେକ୍ଷା ଏ ବର୍ଷ ପାସ ହାର କମିଛି। ଗ୍ରେଡ୍‌ ଏ୧ରେ ୧୧୮୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ୯୯୩୮ ଏ୨ ଗ୍ରେଡ୍‌ ପାଇଛନ୍ତି । ଏହା ସହିତ ବି୧ ଗ୍ରେଡ଼୍‌ ୨୪,୯୯୧ ଜଣ ପାଇଥିବାବେଳେ ୪୬,୩୧୯ ବି୨ ଗ୍ରେଡ୍‌ ପାଇଛନ୍ତି।

ସେହିମଧ୍ୟରୁ କିଛି ମେଧାବୀ ଛାତ୍ରଙ୍କ ଆଗାମୀ ଲକ୍ଷ୍ୟ ଓ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ଓଡ଼ିଶାଲାଇଭ ଟିମ।

ଅବିନାଶଙ୍କ ସଫଳତା ପଛରେ ତାଙ୍କ ମା’ଙ୍କର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଅବିନାଶଙ୍କ ପାଇଁ ରାତି ରାତି ଅନିଦ୍ରା ହୋଇ ତାଙ୍କ ମା’ ତାଙ୍କୁ ମାଟ୍ରିକ ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିଛନ୍ତି।

‘‘ ଅବିନାଶ ପରିଶ୍ରମ ଅନୁସାରେ ତା’ର ମାର୍କ କମିଯାଇଛି। ସେ ୯୫ ପ୍ରତିଶତ ମାର୍କ ରଖିବ ବୋଲି ଆଶା କରିଥିଲା। ତା’ର ସଫଳତା ଦେଖି ଲାଗୁଛି ଯେମିତି ସେ ନୁହେଁ ମୁଁ ସଫଳତା ପାଇଛି’’, କହିଛନ୍ତି ଅବିନାଶଙ୍କ ମା’ ଶିବାନୀ ନାୟକ।

‘‘ଅବିନାଶ ଆରମ୍ଭରୁ ଜଣେ ମେଧାବୀ ଛାତ୍ର। ଯେତେବେଳେ ପ୍ରଥମେ ଷଷ୍ଠ ଶ୍ରେଣୀରେ ସେ ଆମ ସ୍କୁଲରେ ଆଡମିଶନ କରିଥିଲା ସେ ସମୟରୁ ଜାଣିଥିଲୁ ସେ ଆଗାମୀ ଦିନରେ ନିଶ୍ଚୟ ଭଲ କରିବ’’, କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୋନାମିକା ରାୟ କହିଛନ୍ତି।

Comment