ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସବୁ ଆକଳନ ଭୁଲ୍ ହେଲା। ଓଡ଼ିଶାରେ ପୁଣିଥରେ ନବୀନ।
ଓଡ଼ିଶାରେ ପୁଣିଥରେ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ କାମ କରିଛି। ଏହା ଆଜି ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡ଼ିଛି। ବିଜେଡି ୧୦୦ଟି ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ୧୩ଟି ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି। ୨୦୦୯ ଏବଂ ୨୦୧୪ ପରି ୨୦୧୯ରେ ମଧ୍ୟ ବିଜେଡି ୧୦୦ ଟପିଛି। ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ବିଜେଡିର ଏହି ଐତିହାସିକ ବିଜୟ ପରେ ନବୀନଙ୍କ ଲୋକପ୍ରିୟ ଡାଏଲଗ ‘ଆପଣମାନେ ଖୁସି ତ’ ସବୁଠି ଗୁଞ୍ଜରିତ ହେଉଛି।
ନବୀନ ହେଉଛନ୍ତି ଓଡ଼ିଶାର ଏକମାତ୍ର ନେତା ଯିଏ ଲଗାତର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି। ସାରା ଦେଶରେ ମୋଦିଙ୍କ ଲହର କାମ କରିଥିବା ବେଳେ ଓଡ଼ିଶାରେ ଏହା ବିଶେଷ ଭାବେ ଭୋଟରଙ୍କ ଉପରେ ପଡ଼ିନି। ନବୀନ ଏବେ ବି ଓଡ଼ିଶାର ଲୋକପ୍ରିୟ ନେତା ବୋଲି ପ୍ରମାଣିତ ହୋଇଛି।
ବିଜୁ ଜନତା ଦଳ ହାତରୁ କ୍ଷମତା ଛାଡ଼ାଇ ନେବା ପାଇଁ ବିରୋଧୀ ବିଜେପି ଏବଂ କଂଗ୍ରେସ ଯେତେ ଚେଷ୍ଟା କଲେ ବି ସେମାନଙ୍କ ରଣନୀତି ଫେଲ୍ ମାରିଛି।
ବିଜେଡି ଉପରେ ଓଡ଼ିଶାବାସୀ ପୁଣିଥରେ ଆସ୍ଥା ପ୍ରକଟ କରିଥିବାରୁ ନବୀନ ଧନ୍ୟବାଦ ଦେଇଛନ୍ତି।
‘‘ମୁଁ ମୋ ରାଜ୍ୟର ଲୋକଙ୍କୁ ଗଭୀର କୃତଜ୍ଞତା ଜଣାଇବା ପାଇଁ ଚାହୁଁଛି ଯେଉଁମାନେ ବିଜେଡ଼ିକୁ ଆଶୀର୍ବାଦ କରିଛନ୍ତି। ମୁଁ ଦଳର କର୍ମୀ ଓ ନେତା ଯେଉଁମାନେ କଠିନ ପରିଶ୍ରମ କରିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଉଛି।ବିଶେଷ କରି ଓଡ଼ିଶାର ମହିଳା ମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ବହୁଳ ସଂଖ୍ୟାରେ ଆମକୁ ଭୋଟ ଦେବା ପାଇଁ ଆଗେଇ ଆସିଥିଲେ’’, କହିଛନ୍ତି ନବୀନ ପଟ୍ଟନାୟକ।
୨୦୦୯ରେ ବିଜେଡି ୧୦୩ ଆସନ ପାଇଥିବା ବେଳେ ୨୦୧୪ରେ ୧୧୭ ପାଇଥିଲା। ଏଥର ବିଜେଡି ୧୦୦ ଟପି ନପାରେ ବୋଲି ବିଭିନ୍ନ ଏକ୍ଜିଟ୍ ପୋଲ୍ ଆକଳନ କରିଥିଲେ। ହେଲେ ସବୁ ଚର୍ଚ୍ଚା ଏବଂ ଆକଳନକୁ ଭୁଲ୍ ପ୍ରମାଣିତ କରିଛି ବିଜେଡିର ବିଜୟ।
ମୁଖ୍ୟ ବିରୋଧୀ ବିଜେପି
ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରିବା ସ୍ପଷ୍ଟ ହେବା ପରେ ବିଜେପି ମୁଖ୍ୟ ବିରୋଧୀ ଦଳ ଆସନରେ ବସିବା ନିଶ୍ଚିତ ହୋଇଯାଇଛି। ବିଜେପି ଗୁରୁବାର ବିଳମ୍ବିତ ରାତି ସୁଦ୍ଧା ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୨ଟିରେ ଆଗୁଆ ରହିଥିଲା। ଏପଟେ ଗତ ୧୯ ବର୍ଷ ହେଲା ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ଜୋରଦାର ଝଟକା ଲାଗିଛି। କଂଗ୍ରେସ ମାତ୍ର ୧୦ଟି ଆସନ ପାଇଥିବାରୁ ବିଜେପି ମୁଖ୍ୟ ବିରୋଧୀ ଦଳରେ ବସିବା ସ୍ପଷ୍ଟ ହୋଇଛି।
୨୦୦୯ରେ ବିଜେପି ୬ଟିରେ ବିଜୟୀ ହୋଇଥିବା ବେଳେ ୨୦୧୪ରେ ୧୦ଟି ଏବଂ ୨୦୧୯ରେ ୨୨ଟି ଆସନ ପାଇଛି।
କଂଗ୍ରେସ ଧରାଶାୟୀ
ଗତ ୧୯ ବର୍ଷ ହେଲା ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବା କଂଗ୍ରେସକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଗତ ୨୦୧୪ରେ କଂଗ୍ରେସ ୧୬ଟି ଆସନ ପାଇଥିବା ବେଳେ ଏଥର ୬ଟି ଆସନ ହରାଇବାକୁ ପଡ଼ିଛି। କଂଗ୍ରେସ ୧୦ଟି ଆସନାରେ ସନ୍ତୁଷ୍ଟ ରହିଛି। ସବୁଠୁ ପଡ଼ କଥା ହେଉଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଷିପୁରା ଏବଂ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କୁ ପରାଜିତ ହେବାକୁ ପଡ଼ିଛି।
ବିଜେଡିରେ ଉତ୍ସବର ମାହୋଲ
ବିଜେଡିର ବୃହତ ବିଜୟ ପରେ ପାର୍ଟି ଅଫିସରେ କର୍ମୀ ଓ ନେତାମାନେ ଉତ୍ସବ ମନାଇଛନ୍ତି। ବାଜା ବଜାଇ, ବାଣ ଫୁଟାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ୧୧୩ ଆସନରେ ବିଜେଡି ଜିତିବା ପରେ ଦଳର କର୍ମୀ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ। ନବୀନ ସେମାନଙ୍କୁ ଧନ୍ୟବାଦ ଦେଇ ଉତ୍ସାହିତ କରିଥିଲେ।


















