ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ୱକପ ୨୦୧୯ ଆରମ୍ଭ ହେବା ପୂର୍ବରୁ ଟିମ୍‌ମାନଙ୍କୁ ନେଇ ଖେଳାଯାଉଛି ୱାର୍ମଅପ୍ ମ୍ୟାଚ। ଶନିବାର ଭାରତ ତା’ର ପ୍ରଥମ ୱାର୍ମଅପ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା। ଘରେ ନପସୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ୱାର୍ମଅପ୍ ମ୍ୟାଚରେ ଟିମ୍‌ ଇଣ୍ଡିଆର ପରାଜୟ ହୋଇଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ୱାର୍ମଅପ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ୬ ୱିକେଟ୍‌ରେ ବିଜୟୀ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବିରାଟ ବାହିନୀ ଟିମ୍‌ ଇଣ୍ଡିଆ ମାତ୍ର ୧୭୯ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ତେବେ ନ୍ୟୁଜିଲାଣ୍ଡ ଟିମ୍‌ ଏହାକୁ ଅତି ସହଜରେ ୪ ୱିକେଟ୍‌ ହରାଇ ୧୮୦ର ବିଜୟଲକ୍ଷ ପୂରଣ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆର ବ୍ୟାଟିଂରେ ଆରମ୍ଭରୁ ବିପର୍ଯ୍ୟୟ ଘଟିଥିଲା। ରୋହିତ ଶର୍ମା ଏବଂ ଶିଖର ଧୱନ, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକଙ୍କ ପାଇଁ ଗୋଟିଏ ଓଭର ପଡ଼ିଆରେ ଛିଡ଼ା ମୁସ୍କିଲ ହୋଇଯାଇଥିଲ। ସେହିପରି ଅଧିନାୟକ ବିରାଟ କୋହଲି(୧୮), ଏମ୍‌ଏସ୍‌ ଧୋନି(୧୭) ହାର୍ଦ୍ଦିକ ପାଣ୍ଡ୍ୟା(୩୦)ରେ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ଟିମ୍‌ ଇଣ୍ଡିଆ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫୪(୨ଟି ଛକା, ୬ଟି ଚୌକା) ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟିମ୍‌ରେ ଟାୟଲର ଏବଂ ୱିଲିୟମସନ୍‌ଙ୍କ ଜବରଦସ୍ତ ପାର୍ଟନରସିପ ଦେଖିବାକୁ ମିଳିଥିଲା। ରସ୍‌ ଟାୟଲର ୭୧ ରନ୍‌ ଏବଂ କେନ୍‌ ୱିଲିୟମସନ୍‌ ୬୭ ରନ୍‌ ନ୍ୟୁଜିଲାଣ୍ଡକୁ ଏହି ବିଜୟ ଦେଇଛି। ସେହିପରି ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ନୀଶମ୍‌ଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ମ୍ୟାଚ୍‌ରେ ଦେଖିବାକୁ ମିଲିଥିଲା। ବୋଲ୍ଟ ନିଜସ୍ୱ ୪ଟି ୱିକେଟ୍‌ ଏବଂ ନୀଶମ୍‌ଙ୍କ ୩ ୱିକେଟ୍‌ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିଛି।

ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ ଦୁଇଟି ୱାର୍ମଅପ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶକୁ ଭେଟିବ। ଗତକାଲି ନ୍ୟୁଜିଲାଣ୍ଡକୁ ଭେଟିଥିବା ବେଳେ ଆସନ୍ତା ୨୮ ତାରଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚ୍‌ ଖେଳାଯିବ। ୩୦ରେ ବିଶ୍ୱକପ୍ ଆରମ୍ଭ ପରେ ଜୁନ୍ ୫ରେ ଭାରତ ତା’ର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

Comment