ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ବିଧାନସଭା ନିର୍ବାଚନରେ ଦଳବଦଳକାରୀଙ୍କୁ ବିଶେଷ ସଫଳତା ମିଳିନାହିଁ। ଯେଉଁମାନେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଇଥିଲେ, ସେମାନଙ୍କ ପାଇଁ ନିର୍ବାଚନ ବିଶେଷ ଭଲ ଖବର ଆଣିନାହିଁ। କେନ୍ଦ୍ରାପଡ଼ାରୁ ଲଢ଼ି ହାରିଥିବା ବୈଜୟନ୍ତ ପଣ୍ଡାଙ୍କୁ ଅବଶ୍ୟ ଦଳବଦଳକାରୀ କୁହାଯାଇପାରିବ ନାହିଁ। କିନ୍ତୁ ସେ ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିଲେ ମଧ୍ୟ ଭୋଟରମାନେ ଅନୁଭବ ମହାନ୍ତିଙ୍କୁ ଅଧିକ ପସନ୍ଦ କରିଛନ୍ତି। ସେହିଭଳି ଅବସ୍ଥା ଡାକ୍ତର ଦାମୋଦର ରାଉତ, ବଳଭଦ୍ର ମାଝି ଓ ରଘୁନାଥ ମହାନ୍ତିଙ୍କର ବି ହୋଇଛି।
ବୈଜୟନ୍ତ ପଣ୍ଡା ପ୍ରକୃତରେ ବହୁ ବିଳମ୍ବରେ ବିଜେପିରେ ଯୋଗ ଦେଇଥିଲେ ଓ କେନ୍ଦ୍ରାପଡ଼ାରେ ସେ ଅନୁଭବଙ୍କୁ କଡ଼ା ଟକ୍କର ଦେଇଥିଲେ। ଶୁଣାଯାଉଛି ବୈଜୟନ୍ତଙ୍କ ଏକଦା ସହଯୋଗୀ ଥିବା ନେତା ଓ କର୍ମୀମାନେ ତାଙ୍କୁ ହରାଇବା ପାଇଁ ଦିନରାତି ଲାଗିପଡିଥିଲେ। ବୈଜୟନ୍ତଙ୍କ ବ୍ୟତୀତ ଦାମୋଦର ରାଉତଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ଥିଲା। ବିଜେଡିରୁ ଆସି ବିଜେପିରେ ଯୋଗ ଦେବା ପରେ ତାଙ୍କୁ ବାଲିକୁଦା-ଏରସମାରୁ ଟିକେଟ ଦିଆଯାଇଥିଲା। ସାତ ଥର ବିଧାୟକ ରହିଥିବା ଦାମ ଲଢେଇରେ ତୃତୀୟ ସ୍ଥାନ ଅଧିକାର କରିବା ଭଳି ଅପମାନ ଆଗରୁ କେବେ ଦେଖି ନଥିଲେ।
ନବରଙ୍ଗପୁର ଲୋକସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିବା ବଳଭଦ୍ର ମାଝି ବି ଭୋଟରଙ୍କ ଉପରେ କୌଣସି ପ୍ରଭାବ ସୃଷ୍ଟି କରିପାରିନଥିଲେ। ସେହିଭଳି ଶେଷ ମୁହୂର୍ତ୍ତରେ ବିଜେପିରେ ଯୋଗ ଦେଇଥିବା ରଘୁନାଥ ମହାନ୍ତି ବି ବସ୍ତାରୁ ଲଢ଼ି ହାରିଛନ୍ତି। କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ପ୍ରକାଶ ବେହେରା ବି ଭୋଟରଙ୍କ ରାଗର ଶିକାର ହୋଇଛନ୍ତି।
ସୁନ୍ଦରଗଡ଼ ବିଧାନସଭା ଆସନରେ କୁସୁମ ଟେଟେ କିନ୍ତୁ ଲାଭବାନ ହୋଇଛନ୍ତି। ସେ ନିଜେ ଦଳ ବଦଳ କରିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯୋଗେଶ ସିଂହ ମଧ୍ୟ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଥିଲେ। ହେଲେ କୁସୁମ ଜିତିଲେ କିନ୍ତୁ ଯୋଗେଶ ହାରିଲେ। ଆଉ ଜଣେ ଭାଗ୍ୟବାନ ଦଳବଦଳକାରୀ ହେଉଛନ୍ତି ନବ କିଶୋର ଦାସ। କଂଗ୍ରେସରୁ ଆସି ଝାରସୁଗୁଡ଼ା ଆସନରେ ବିଜେଡି ଟିକେଟରେ ଲଢ଼ି ସେ ସଫଳ ହୋଇଛନ୍ତି।
ମଜା କଥା ହେଉଛି ଯେଉଁମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ସେମାନେ ହିଁ ବେଶି ସଂଖ୍ୟାରେ ହାରିଛନ୍ତି, ଯଦିଓ ପୁରୀରୁ ଜିତିଥିବା ଜୟନ୍ତ ଷଡ଼ଙ୍ଗୀ ଏକ ବଡ଼ ବ୍ୟତିକ୍ରମ। ସେ ୫ ଥର ବିଧାୟକ ଥିବା ମହେଶ୍ୱର ମହାନ୍ତିଙ୍କୁ ଗଡ଼େଇ ଦେଇଛନ୍ତି।


















