ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

‘‘ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଯେତେବେଳେ ଗୃହ ଚାଲେ ସାଢ଼େ ୪ କୋଟି ଓଡ଼ିଶାବାସୀ ଅପେକ୍ଷା କରି ରହିଥାନ୍ତି ସେମାନଙ୍କ ପାଇଁ ବିଧାନସଭାରେ କ’ଣ ଆଲୋଚନା ହେଉଛି। ବିଧାନସଭାର ମର୍ଯ୍ୟାଦା ରକ୍ଷା କରି ଲୋକଙ୍କ ସ୍ୱପ୍ନ ପୂରଣ କରିବା ହେଉଛି ଆମର ମୂଳ ଲକ୍ଷ୍ୟ’’, କହିଛନ୍ତି ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ସୂର୍ଯ୍ୟନାରାୟଣ ପାତ୍ର ହେଉଛନ୍ତି ବରିଷ୍ଠ ନେତା। ସେ ସପ୍ତମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ସେ ଦିଗପହଣ୍ଡି ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବିଧାନସଭାର ସବୁ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପଦ ପାଇଁ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏହାକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ।

ଏହି ପ୍ରସ୍ତାବ ଆସିବା ପରେ କାମଚଳା ବାଚସ୍ପତି ଅମର ପ୍ରସାଦ ଶତପଥୀ ଗୃହରେ ବାଚନିକ ଭୋଟ କରିଥିଲେ। ଗୃହରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରିଥିଲେ।

Comment