ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ ଗୃହ ପରିଚାଳନା।

ଷୋଡ଼ଶ ବିଧାନସଭାର ନୂଆ ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ସେ ବିଧାନସଭାର ୨୨ ତମ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୂର୍ଯ୍ୟ ଜଣେ ଅଭିଜ୍ଞ ତଥା ବରିଷ୍ଠ ନେତା ହୋଇଥିବାରୁ ଗୃହ ପରିଚାଳନା ବାବଦରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି।

ହେଲେ ବାଚସ୍ପତି ଭାବେ ସେ କିପରି ବିରୋଧୀ ଏବଂ ଶାସକ ଦଳର ସଭ୍ୟମାନଙ୍କୁ ଏକାଠି କରି ସୁରୁଖୁରୁରେ ଗୃହ ପରିଚାଳନା କରିବେ ତା’ ଉପରେ ନଜର ରହିଛି।

ଏଥର ବିଧାନସଭାରେ ଶାସକ ବିଜେଡିର ୧୧୨ ଜଣ ବିଧାୟକ ରହିଥିବା ବେଳେ ବିରୋଧୀ ବିଜେପିର ୨୩ ଏବଂ କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି। ବିଜେପିର ୨୩ ବିଧାୟକଙ୍କ ଅପେକ୍ଷା କଂଗ୍ରେସର ୯ ବିଧାୟକ ଏଥର ବାଚସ୍ପତିଙ୍କ ପାଇଁ ଭାରି ପଡ଼ି ପାରନ୍ତି। ଏଣୁ ଗୃହ ପରିଚାଳନା ସୂର୍ଯ୍ୟଙ୍କ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି।

ଏଥର ବିଧାନସଭାକୁ କଂଗ୍ରେସର ନରସିଂହ ମିଶ୍ର, ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଇଂ ମହମ୍ମଦ ମୋକିମଙ୍କ ଭଳି ନେତା ନିର୍ବାଚିତ ହୋଇଛନ୍ତି। ଏମାନଙ୍କୁ ମନାଇ ବିଧାନସଭା ଅଧିବେଶନ ଚଲାଇବା ବାଚସ୍ପତିଙ୍କ ପାଇଁ ବଡ଼ କାଠିକର ପାଠ ହୋଇପାରେ।

ସେହିପରି ବିଜେପିରୁ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ, ପ୍ରଦୀପ୍ତ ନାୟକ, ମୋହନ ମାଝିଙ୍କ ଭଳି ନେତା ବିଧାନସଭାକୁ ଆସିଥିବାରୁ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଏମାନେ ଅକଳିଆରେ ପକାଇ ପାରନ୍ତି।

ତେବେ ବିଧାନସଭାକୁ ବାରମ୍ବାର ନିର୍ବାଚିତ ହୋଇଥିବା ଅଭିଜ୍ଞ ସୂର୍ଯ୍ୟ ଏଥର ବାଚସ୍ପତି ଆସନରେ ବସିଥିବାରୁ ସେ କିପରି ଗୃହ ପରିଚାଳନା କରିବେ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।

‘‘ବିଧାନସଭା ହେଉଛି ଗଣତନ୍ତ୍ରର ମନ୍ଦିର। ଗୃହ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମୁଁ ସବୁ ଦଳର ସଭ୍ୟଙ୍କୁ ଅନୁରୋଧ କରିଛି। ଓଡ଼ିଶାବାସୀ ବିଧାନସଭାକୁ ଯେଉଁ ଲକ୍ଷ୍ୟ ଏବଂ ସ୍ୱପ୍ନ ନେଇ ବିଧାନସଭାକୁ ବିଧାୟକମାନଙ୍କୁ ନିର୍ବାଚିତ କରିଛନ୍ତି ସେ ଲକ୍ଷ୍ୟ ପୂରଣ କରିବା ହେଉଛି ଆମର ପ୍ରଥମ କର୍ତ୍ତବ୍ୟ’’, କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୃହର ମର୍ଯ୍ୟାଦା ରକ୍ଷା କରିବେ ବୋଲି କହିଛନ୍ତି।

‘‘ଆମର ସଂଖ୍ୟା ନାହିଁ ସତ, ହେଲେ ବିଧାନସଭାରେ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ଭଳି କାମ କରିବ। ଏଥର ନୂଆ ବାଚସ୍ପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ଏଣୁ ଆଶା ରହିଛି ସେ ନିରପେକ୍ଷତାର ସହ ଗୃହ କାର୍ଯ୍ୟ ତୁଲାଇବେ ଏବଂ ବିରୋଧୀ ଦଳକୁ ସୁରକ୍ଷା ଦେବେ’’, କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର।

ସୂର୍ଯ୍ୟନାରାୟଣ ପାତ୍ର ୭ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେଣି। ଜନତା ଦଳରୁ ଦୁଇ ଥର ଏବଂ ବିଜୁ ଜନତା ଦଳରୁ ପାଞ୍ଚ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ ସେ। ଏଣୁ ଏଥର ସେ କିପରି ଗୃହ ପରିଚାଳନା କରୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର।

Comment