ଓଡ଼ିଶାଲାଇଭ ବ୍ୟୁରୋ

ଯଦି ଆପଣ ଭାବୁଛନ୍ତି ରାଜନୀତିକୁ କେବଳ ମୂର୍ଖ ଓ ଖରାପ ଲୋକ ଆସନ୍ତି, ସେହି ଧାରଣାକୁ ଆପଣଙ୍କୁ ଏବେ ବଦଳାଇବାକୁ ପଡ଼ିବ। ତା’ଛଡ଼ା ପାଠଶାଠ ପଢ଼ିଥିବା ଲୋକେ ରାଜନୀତିକୁ ଘୃଣା କରନ୍ତି ବୋଲି ଯେଉଁ ପ୍ରବାଦ ରହିଆସିଛି ସେଇଟିକୁ ମଧ୍ୟ ବଦଳାଇବାର ସମୟ ଆସିଛି।

ସଦ୍ୟ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଯେଉଁ ମାନେ ଜିତି ବିଧାୟକ ହୋଇଛନ୍ତି ସେଥିରୁ ଲାଗିବନି ଯେ ପେଶାଧାରୀମାନେ ରାଜନୀତିକୁ ପସନ୍ଦ କରୁନାହାନ୍ତି।

ଓଡ଼ିଶା ଏଲେକ୍ସନ ୱାଚ ଓ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରାଇଟ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଷୋଡ଼ଶ ବିଧାନସଭାକୁ ୨୯ଜଣ ବୃତ୍ତିଧାରୀ ଆସିଛନ୍ତି।

ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଆଇଆଇଟିବାଲା, ଜଣେ ଏନଆଇଟିବାଲା। ତା’ ଛଡା ଏଥର  ଯେଉଁମାନେ ବିଧାୟକ ହୋଇଛନ୍ତି ସେମାନଙ୍କ ଭିତରେ ୩୬ ଜଣ ସ୍ନାତକତ୍ତୋର ଓ ୪ ଜଣ ଡକ୍ଟରେଟବାଲା। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ୧୦୧ ବିଧାୟକ ଗ୍ରାଜୁଏଟ।

ଆଇଆଇଟି ଖଡ଼ଗପୁରରୁ ଆଇଟି ମନ୍ତ୍ରୀ ଓ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଆସିଥିବା ବେଳେ ଜଣେ ପାଇଲଟ ବି  ଅଛନ୍ତି। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯିଏ ଶକ୍ତି ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

ଚଳିତ ବିଧାନସଭାରେ ଆହୁରି ମଧ୍ୟ ନୂଆ ପୁରୁଣା ମିଶି ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇ ଜଣ ବିଧାୟକ ୨୫ରୁ ୩୦ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୩ ଜଣଙ୍କ ବୟସ ୪୦ ବର୍ଷ ମଧ୍ୟରେ। ୧୨୩ ବିଧାୟକଙ୍କ ବୟସ ୪୧ ରୁ ୭୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୮ ଜଣ ହେଉଛନ୍ତି ସତୁରୀ ପାର।

କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ସର୍ବକନିଷ୍ଠ ବିଧାୟକ ହୋଇଥିବା ବେଳେ ବୟୋଜ୍ୟେଷ୍ଠ ବିଧାୟକ ହେଉଛନ୍ତି ବଲାଙ୍ଗିରର ନରସିଂହ ମିଶ୍ର। ଏହି ବିଧାନସଭାରେ ମହିଳାଙ୍କ ସଂଖ୍ୟା କିନ୍ତୁ  ମାତ୍ର ଏଗାର।

Comment