ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଦେଢ଼ ବର୍ଷ ଭିତରେ ବିଜେପୁର ଦେଖିବ ତୃତୀୟ ନିର୍ବାଚନ।

ଦେଢ଼ ବର୍ଷ ଭିତରେ ଦୁଇ ଦୁଇଟି ନିର୍ବାଚନ ଦେଖିଥିବା ବିଜେପୁର ପୁଣି ଏକ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି। ଏହି ଆସନରୁ ୨୦୧୯ ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ହେବାକୁ ଥିବା ଉପ-ନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଆସନ୍ତା ଉପ-ନିର୍ବାଚନରେ ନବୀନ ରିତା ସାହୁଙ୍କୁ ପୁଣି ପ୍ରାର୍ଥୀ କରିବେ ନା ନୂଆ ମୁହଁକୁ ସୁଯୋଗ ଦେବେ ତା’ ଉପରେ ନଜର ରହିଛି।

‘‘ମତେ ଯଦି ନବୀନ ବାବୁ ଟିକେଟ ଦିଅନ୍ତି ତାହାଲେ ମୁଁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି। ବିଜେପୁର ପାଇଁ ମୋ’ ସ୍ୱାମୀ ଦେଖିଥିବା ସ୍ୱପ୍ନ ପୂରଣ କରିପାରିବି’’, ଏହା କହିଛନ୍ତି ରିତା ସାହୁ।

ରିତା ସାହୁ ହେଉଛନ୍ତି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ, ଯିଏ ୨୦୧୮ ଉପ-ନିର୍ବାଚନରେ ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ରିତା ମାତ୍ର ବର୍ଷେ ଯାଏଁ ବିଧାୟକ ରହିଥିଲେ। ୨୦୧୯ରେ ପୁଣି ଟିକେଟ ନେବାକୁ ଆଶାୟୀ ରହିଥିଲେ। କିନ୍ତୁ ନବୀନ ନିଜେ ବିଜେପୁରରେ ପ୍ରାର୍ଥୀ ହେବାରୁ ରିତା ବାଦ୍ ପଡ଼ିଥିଲେ। କିନ୍ତୁ ଏବେ  ନବୀନ ଇସ୍ତଫା ଦେବା ପରେ ଟିକେଟ ପାଇଁ ରିତା ପୁଣି ଅଙ୍କ କଷିଛନ୍ତି।

କେବେ ରାଜନୀତିର ଧାର ଧରି ନଥିବା ରିତା ୨୦୧୮ ଉପ-ନିର୍ବାଚନରେ ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ତାଙ୍କ ସ୍ୱାମୀ ସୁବଳ ସାହୁ କଂଗ୍ରେସ ଟିକେଟରେ ତିନି ତିନି ଥର ଏହି ଆସନରୁ ଲଢ଼ିଥିଲେ ମଧ୍ୟ କେବେ ରିତାଙ୍କୁ ପ୍ରଚାର ମଇଦାନରେ ଦେଖି ନଥିଲେ ଭୋଟର। ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ରିତା କଂଗ୍ରେସ ଛାଡ଼ି ବିଜେଡିକୁ ଆସିଥିଲେ। ଟିକେଟ ନେଇ ନିର୍ବାଚନ ଲଢ଼ିଥିଲେ। ତେବେ ନବୀନ ପୁଣିଥରେ ରିତାଙ୍କ ଉପରେ ଭରସା କରିବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିକୁ ଆସିଥିବା ବରଗଡ଼ ଅଞ୍ଚଳର ଜଣାଶୁଣା ଚେହେରା ସୁବାସ ଚୌହାନଙ୍କ ନାଁ ମଧ୍ୟ ବିଜେପୁର ପାଇଁ ଚର୍ଚ୍ଚା ହେଉଛି। ସେ ବିଜେଡିକୁ ଆସିଥିଲେ ମଧ୍ୟ ତାଙ୍କୁ ନବୀନ ଟିକେଟ କିମ୍ବା କୌଣସି ପଦ ପଦବୀରେ ରଖି ନାହାନ୍ତି। ଏଣୁ ସୁବାସଙ୍କ ନାଁ ଟିକେଟ ରେସ୍‌ରେ ରହିଛି।

‘‘ମୁଁ ଦଳରେ ଶୃଙ୍ଖଳିତ କର୍ମୀ ଭାବେ ରହିଛି। ଯାହା ଦାୟିତ୍ୱ ଦିଆଯାଇଛି ତାହା କରୁଛି। ଯଦି ଦଳ ବିଜେପୁର ପାଇଁ ମତେ ଉପଯୁକ୍ତ ଭାବି ଟିକେଟ ଦେବ ତାହାଲେ ମୁଁ ଲଢ଼ିବାକୁ ପ୍ରସ୍ତୁତ ଅଛି’’, କହିଛନ୍ତି ସୁବାସ ଚୌହାନ।

ସୁବାସ ଚୌହାନ ୨୦୧୪ରେ ବରଗଡ଼ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିଲେ। ହେଲେ ବିଜେଡିର ପ୍ରଭାସ ସିଂଙ୍କଠାରୁ ପରାଜିତ ହୋଇଥିଲେ। କିନ୍ତୁ ୨୦୧୯ରେ ବିଜେପି ସୁବାସଙ୍କୁ ଟିକେଟ ନଦେଇ ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ଅସନ୍ତୁଷ୍ଟ ହୋଇ ସୁବାସ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ।

Comment