ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ କାହିଁକି ଗିରଫ କରୁନି ପୋଲିସ? ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା।

ବିଚ୍ ରାସ୍ତାରେ ପିଡବ୍ଲ୍ୟୁଡିର ଜୁନିୟର ଇଞ୍ଜିନିଅର ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍‌ କରି ବିବାଦୀୟ ହୋଇ ଯାଇଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ଏହି ଘଟଣାକୁ ନେଇ ଗତ ତିନି ଦିନ ହେଲା ଓଡ଼ିଶା ଉଠୁଛି ପଡୁଛି।

ପାଟଣାଗଡ଼ ଥାନାରେ ମଧ୍ୟ ବିଧାୟକଙ୍କ ବିରୋଧରେ ଏତଲା ଦିଆଯାଇଛି। ପୋଲିସ ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଥିଲେ ମଧ୍ୟ ଏଯାଏଁ ବିଧାୟକ ଗିରଫ ହୋଇ ନାହାନ୍ତି। ବିଧାୟକଙ୍କୁ ଗିରଫ କରିବା ପାଇଁ ପୋଲିସ କାହିଁକି ବିଳମ୍ବ କରୁଛି ବୋଲି ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଧାୟକଙ୍କୁ ପୋଲିସ ଜାଣିଶୁଣି ସୁରକ୍ଷା ଦେଉଛି ନା ବିଧାୟକ ଆଉ କେଉଁ ବରିଷ୍ଠ ନେତାଙ୍କ ଛତ୍ରଛାୟା ତଳେ ରହିଛନ୍ତି ତାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି।

ପାଟଣାଗଡ଼ ବିଧାୟକଙ୍କ ବିରୋଧରେ ପୋଲିସ ଆଇପିସି ଧାରା ୩୪୧, ୩୬୩, ୨୯୪, ୩୨୩, ୩୫୩, ୩୫୫ ଏବଂ ଏସ୍‌ସି/ଏସ୍‌ଟି ଆକ୍ଟର ସେକ୍ସନ ୩ ଅନୁଯାୟୀ ମାମଲା ରୁଜୁ ହୋଇଛି।

ବିଧାୟକଙ୍କ ବିରୋଧରେ ତେଜିଲା ସ୍ୱର

ପାଟଣାଗଡ଼ ବିଧାୟକଙ୍କ ଗିରଫ ଦାବିରେ ବିରୋଧୀଙ୍କ ସ୍ୱର ଜୋରଦାର ହୋଇଛି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଧାୟକଙ୍କ ଗିରଫ ଦାବି କରିଛି। ସେହିପରି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ସେ ମଧ୍ୟ ବିଧାୟକଙ୍କ ଗିରଫ ଦାବି କରିଛନ୍ତି। ଏପଟେ ଡିପ୍ଲୋମା, ଇଞ୍ଜିନିୟର୍ସ ଆସୋସିଏସନ ମଧ୍ୟ ଜୟକାନ୍ତଙ୍କ ସପକ୍ଷରେ ବାହାରିଛି। ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସଂଘ ଚେତାବନୀ ଦେଇଛି।

କ’ଣ ଥିଲା ପୂରା ଘଟଣା?

ପାଟଣାଗଡ଼ ଅଞ୍ଚଳର ମଣ୍ଡନରୁ ବେଲପଡ଼ାକୁ ନିର୍ମାଣ ହେଉଥିବା ପିଡବ୍ଲ୍ୟୁଡି ରାସ୍ତାରେ ଅନିୟମିତତା ଅଭିଯୋଗ ଆସିଥିଲା। ବିଧାୟକ ରାସ୍ତା ନିର୍ମାଣ ଦେଖିବାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ବେଲପଡ଼ା ପିଡବ୍ଲ୍ୟୁଡିର ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ସମସ୍ତଙ୍କ ସାମ୍ନାରେ ଦଣ୍ଡ ଦେଇଥିଲେ।

ସହକାରୀ ଯନ୍ତ୍ରୀଙ୍କୁ କାନ ଧରି ୧୦୦ ଥର ଉଠବସ୍ ହେବାକୁ ବିଧାୟକ କହିଥିଲେ। ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ କଥା ମାନି ଉଠବସ୍‌ ହୋଇଥିଲେ। ହେଲେ ସହକାରୀ ଯନ୍ତ୍ରୀ ଜଣକ ତାଙ୍କୁ ଛାଡ଼ିଦେବା ପାଇଁ ବିଧାୟକଙ୍କୁ ହାତ ଯୋଡ଼ି ନେହୁରା ହୋଇଥିଲେ ହେଁ ବିଧାୟକ ତାଙ୍କୁ ଛାଡ଼ି ନଥିଲେ। ଉଠବସ୍‌ ନହେଲେ ଲୋକେ ପିଟିବେ ବୋଲି ଯନ୍ତ୍ରୀଙ୍କୁ କହିଥିଲେ ବିଧାୟକ।

ବିଧାୟକଙ୍କର ଏହି ଦବଙ୍ଗଗିରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ତେବେ ଜଣେ ଜନପ୍ରତିନିଧି ଲୋକଙ୍କ ସାମ୍ନାରେ ଜଣେ ସହକାରୀ ଅଧିକାରୀଙ୍କୁ ଦଣ୍ଡ ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଏହି ଘଟଣା ପରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ।

ସୋସିଆଲ ମିଡିଆରେ ଏହି ଭିଡିଓ ଘୂରିବା ପରେ ବିଧାୟକ ଦୁଃଖ ପ୍ରକାଶ କରିଥିଲେ। କହିଥିଲେ ଯେ ପରିସ୍ଥିତି ମତେ ବାଧ୍ୟ କରିଥିଲା ଇଞ୍ଜିନିୟରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ପାଇଁ।

ବିଧାୟକ କହିଥିଲେ, ‘‘ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବା ଲୋକେ ଅଭିଯୋଗ କରିଥିଲେ। ମୁଁ ଘଟଣାସ୍ଥଳକୁ ଯାଇଥିଲି। ସେଠାକାର ପରିସ୍ଥିତି ଜେଇଙ୍କୁ ଦଣ୍ଡ ଦେବାକୁ ବାଧ୍ୟ କରିଥିଲା। ଯଦି ମୁଁ ଏପରି କରି ନଥାନ୍ତି ତାହାଲେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାନ୍ତା।’’

ଇଞ୍ଜିନିଅରଙ୍କ ସ୍ତ୍ରୀ ଦେଲେ ଏତଲା

ମିଡିଆରେ ଏହି ଚର୍ଚ୍ଚା ଜୋର୍ ଧରିବା ପରେ ଇଞ୍ଜିନିଅର ଜୟକାନ୍ତ ଶବରଙ୍କ ସ୍ତ୍ରୀ ଗତ ୬ ତାରିଖରେ ପ୍ରବୀଣା ରାଜହଂସ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ସ୍ୱାମୀ ଦୁଇ ଦିନ ହେଲା ଘରକୁ ଫେରି ନଥିବା ଏତଲାରେ ଦର୍ଶାଇଥିଲେ। ପୋଲିସ ୭ ତାରିଖରେ ଜୟକାନ୍ତଙ୍କୁ ଉଦ୍ଧାର କରିଥିଲା। ଜୟକାନ୍ତ ଗଣମାଧ୍ୟମରେ ଯାହା କହିଥିଲେ ତାହା ଶୁଣିବା ପରେ ବିଧାୟକଙ୍କ ବିରୋଧରେ ସ୍ୱର ତେଜିଥିଲା।

ଜୟକାନ୍ତ କହିଥିଲେ ଯେ, ‘‘ଲୋକଙ୍କ ଆଗରେ ବିଧାୟକ ମତେ କେବଳ ଉଠ୍‌ବସ୍‌ କରି ନଥିଲେ, ନିର୍ବାହୀ ଯନ୍ତ୍ରୀଙ୍କୁ କହି ମତେ ମାଡ଼ ମାରିଥିଲେ। ବିଧାୟକଙ୍କ କଥାରେ ନିର୍ବାହୀ ଯନ୍ତ୍ରୀ ମତେ ଚାପୁଡ଼ା ମାରିଥିଲେ।’’

ଏହି ମନ୍ତବ୍ୟ ଦେବା ବେଳେ କାନ୍ଦି ପକାଇଥିଲେ ଇଞ୍ଜିନିଅର ଜୟକାନ୍ତ।

ଅଡୁଆରେ ନିର୍ବାହୀ ଯନ୍ତ୍ରୀ

ଜୟକାନ୍ତ ଶବରଙ୍କ ମନ୍ତବ୍ୟ ଆସିବା ପରେ ଅଡୁଆରେ ପଡ଼ିଛନ୍ତି ବେଲପଡ଼ା ପିଡବ୍ଲ୍ୟୁଡିର ନିର୍ବାହୀ ଯନ୍ତ୍ରୀ। ନିଜ ସହକର୍ମୀଙ୍କୁ ବିଧାୟକ ଉଠ୍‌ବସ୍‌ ହେବା ପାଇଁ ବିଧାୟକ କହୁଥିବା ବେଳେ ନିର୍ବାହୀ ଯନ୍ତ୍ରୀ ଚୁପ୍ ରହିବା ଏବଂ ବିଧାୟକଙ୍କ କଥାରେ ତାଙ୍କୁ ମାଡ଼ ମାରିବା ଘଟଣା ନିର୍ବାହୀ ଯନ୍ତ୍ରୀଙ୍କୁ ସନ୍ଦେହଘେରକୁ ଆଣିଛି। ବିଧାୟକଙ୍କ ସହ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

କିଏ ଏହି ସରୋଜ ମେହେର?

ସରୋଜ ମେହେର ହେଉଛନ୍ତି ପାଟଣାଗଡ଼ ବିଧାୟକ। ୨୦୧୯ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେଡିର ପ୍ରାର୍ଥୀ ହୋଇଥିଲେ। ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କୁ ପରାଜିତ କରି ସରୋଜ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି। ହେଲେ ନୂଆ ବିଧାୟକ ହେଉ ହେଉ ସରୋଜ ଦବଙ୍ଗଗିରି ଦେଖାଇଛନ୍ତି। ଜଣେ ସରକାରୀ ଅଧିକାରୀଙ୍କୁ ବିଚ୍ ରାସ୍ତାରେ ଉଠ୍‌ବସ୍‌ କରି ପାଟଣାଗଡ଼ ବିଧାୟକ ଅଡୁଆରେ ପଡ଼ିଛନ୍ତି।

ଦିନ ଯେତିକି ଗଡୁଛି ବିଧାୟକଙ୍କ ପାଇଁ ଅଡୁଆ ମଧ୍ୟ ସେତିକି ବଢୁଛି। ବିଧାୟକଙ୍କ ବିରୋଧରେ ଦୁଇ ଦିନ ହେଲା ଏତଲା ଦିଆଗଲାଣି। ପୋଲିସ ମାମଲା ମଧ୍ୟ ରଜୁ କଲାଣି। ଚାରିଆଡ଼େ ବିଭିନ୍ନ ସଙ୍ଗଠନ ପାଟଣାଗଡ଼ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରୁଛନ୍ତି। ହେଲେ ପୋଲିସ ବିଧାୟକଙ୍କୁ ଗିରଫ କରିବାରେ ବିଳମ୍ବ କାହିଁକି କରୁଛି ବୋଲି ପ୍ରଶ୍ନବାଚୀ ଉଠିଛି।

ଆହୁରି ପଢ଼ନ୍ତୁ :

ରଥଯାତ୍ରା ସିଧାପ୍ରସାରଣ ଉପରେ ଲାଗିଲା କଟକଣା, ଟେଲିଭିଜନ ରାଇଟ୍‌ସ ନିଲାମ ଡାକିଲେ ସରକାର

Comment