ଓଡ଼ିଶାଲାଇଭ ବ୍ୟୁରୋ

ରଥଯାତ୍ରା ଭଳି ଏକ ଅତି ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ କାର୍ଯ୍ୟକ୍ରମକୁ କ୍ରିକେଟ ଖେଳର ରାଇଟ୍ସ ଭଳି ବିକିବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା।

  • ଯେ କୌଣସି ଟିଭି ଚ୍ୟାନେଲ କରିପାରିବେନି ରଥଯାତ୍ରାର ସିଧାପ୍ରସାରଣ
  • ଆଇପିଏଲ୍ ଭଳି ପୁରୀ ରଥଯାତ୍ରା ସିଧାପ୍ରସାରଣ ରାଇଟ୍‌ସର ହେବ ନିଲାମ
  • ଯେଉଁ ବିଡର ଅଧିକ ଟଙ୍କା ଦେବେ ସେ ହିଁ ନେବେ ରାଇଟ୍‌ସ
  • ଯେଉଁ ବିଡର ରାଇଟ୍ସ ପାଇବ ସେ ଦୂରଦର୍ଶନକୁ ମାଗଣାରେ ସିଗ୍‌ନାଲ ଦେବାକୁ ବାଧ୍ୟ
  • ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତି ଘୋଷଣା
  • ସରକାରଙ୍କ ଏହି ଅଭୁତ ନିୟମକୁ ନେଇ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା

ଜୁଲାଇ ୪ ତାରିଖରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ରଥଯାତ୍ରାର ସିଧାପ୍ରସାରଣ କରିବାକୁ ବିଭିନ୍ନ ଟିଭି ଚ୍ୟାନେଲ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ସ୍ନାନ ପୂର୍ଣ୍ଣିମାର ମାତ୍ର ୧୦ ଦିନ ପୂର୍ବରୁ ସରକାର ଏକ ଅଭୁତ ନିୟମ ଆଣି ସିଧାପ୍ରସାରଣ ଉପରେ କଟକଣା ଲଗାଇଛନ୍ତି। ଫଳରେ ବିଭିନ୍ନ ମହଲରେ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ବିଭିନ୍ନ କମର୍ସିଆଲ ଇଭେଣ୍ଟ ଭଳି ଏବେ ରଥଯାତ୍ରାର ସିଧାପ୍ରସାରଣ ରାଇଟ୍‌ସ୍ ଲାଗି ଓଡ଼ିଶା ସରକାର ଟେଣ୍ଡର ଡାକିଛନ୍ତି। ୪ ଜୁନରେ ଜାରି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନର ଚିଠି ନମ୍ବର ୫୯୧୭ ଅନୁଯାୟୀ ବିଭିନ୍ନ ଟିଭି ଚ୍ୟାନେଲକୁ ଏହି ଟେଣ୍ଡରରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି।

ଏହି କଟକଣା ପାଇଁ କୌଣସି ଟିଭି ଚ୍ୟାନେଲ ଏବେ ସିଧାସଳଖ ଭାବେ ପୁରୀରେ ପ୍ରଡକ୍ସନ ସେଟ୍‌ଅପ୍‌ ଲଗାଇ ସିଧାପ୍ରସାରଣ କରିପାରିବେ ନାହିଁ।

ଆଗାମୀ ୧୦ ତାରିଖ ସୁଦ୍ଧା ଅପରାହ୍ଣ ୪ଟା୩୦ ସୁଦ୍ଧା ଆଗ୍ରହୀ ଚ୍ୟାନେଲମାନେ ଏହି ଟେଣ୍ଡର ଲାଗି ଆବେଦନ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଶ୍ରୀଜୀଉମାନଙ୍କ ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନା ବେଶ, ଅଧର ନୀତି ଏବଂ ନୀଳାଦ୍ରୀ ବିଜେ ନୀତି ପାଇଁ ଏହି ଟେଣ୍ଡର ମାଧ୍ୟମରେ ଉପଯୁକ୍ତ ପ୍ରସାରଣକାରୀଙ୍କୁ ଚୟନ କରାଯିବ।

ପ୍ରଥମ ଥର ପାଇଁ ରାଜ୍ୟ ସରକାର ରଥଯାତ୍ରା ସିଧାପ୍ରସାରଣ ଉପରେ ଏଭଳି କଟକଣା ଲଗାଇବା ନେଇ ଗଣମାଧ୍ୟମ, ସେବାୟତ ଏବଂ ବିଭିନ୍ନ ମହଲରେ ପ୍ରତିକ୍ରିୟ ଏବଂ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସରକାରଙ୍କ ଏହି ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ଏବେ ଯେଉଁ ଚ୍ୟାନେଲ ନିଲାମ ବେଳେ ଅଧିକ ଟଙ୍କା ଡାକିବେ ତାଙ୍କ ହାତକୁ ରଥଯାତ୍ରାର ଏକଚାଟିଆ ରାଇଟ୍ସ ଚାଲିଯିବ। ଅର୍ଥାତ ସେହି ସଂସ୍ଥା ଅନ୍ୟ ମିଡିଆଗୁଡ଼ିକୁ ସିଗ୍‌ନାଲ ଦେବା ବେଳେ ନିଜ ଇଚ୍ଛାରେ ଦେୟ ଦାବି କରିବେ। ଫଳରେ ପୂର୍ବ ବର୍ଷଗୁଡ଼ିକ ଭଳି ଏଥର ସବୁ ଛୋଟ ବଡ଼ ଚ୍ୟାନେଲ ଏପରିକି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ହୁଏତ ଆଉ ରଥଯାତ୍ରାର ସିଧାପ୍ରସାରଣ ଦେଖିବାକୁ ମିଳିବ ନାହିଁ।

ଏହି ଚିଠିରେ ଲାଇଭ୍ ଟେଲିକାଷ୍ଟ ରାଇଟ୍ସ ପାଇଁ ବିଭିନ୍ନ ସର୍ତ୍ତାବଳୀ ଦିଆଯାଇଛି। ଆବେଦନ କରୁଥିବା ଟିଭି ଚ୍ୟାନେଲ ଅନ୍ତତଃ ୫ ବର୍ଷର ପୁରୁଣା ହୋଇଥିବେ। ସେହିପରି ମନୋନିତ ହେବାକୁ ଥିବା ଟିଭି ଚ୍ୟାନେଲ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ କ୍ୟାମେରା, ଡିଏସ୍‌ଏନ୍‌ଜି ଏବଂ ଅନ୍ୟାନ୍ୟ ପ୍ରଡକ୍ସନ ଇକ୍ୟୁପମେଣ୍ଟ ରଖିବା ଲାଗି ଜିଲ୍ଲା ଓ ପୋଲିସ ପ୍ରଶାସନଠାରୁ ଅଲଗା ଅନୁମତି ନେବେ।

ରଥଯାତ୍ରା ସମୟରେ ପୁରୀ ସହରର କୌଣସି ସ୍ଥାନରେ ସଂପୃକ୍ତ ଚ୍ୟାନେଲ ପକ୍ଷରୁ ରଥଯାତ୍ରାର ସିଧାପ୍ରସାରଣ ଭିଡିଓ ପ୍ରଦର୍ଶନ ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଏହି ସର୍ତ୍ତାବଳୀ ଅନୁଯାୟୀ ସିଧାପ୍ରସାରଣ ରାଇଟ୍ସ ପାଇଥିବା ଚ୍ୟାନେଲ ଶ୍ରୀମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ଏକ କପି ଭିଡିଓ ଦେବାକୁ ପଡ଼ିବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଚ୍ୟାନେଲ ପ୍ରସାରଣ ପାଇଁ କ୍ଷମତାପ୍ରାପ୍ତ ହେଉ ପଛେ ଦୂରଦର୍ଶନରେ ରଥଯାତ୍ରାର ସିଧାପ୍ରସାରଣ ମାଗଣାରେ ସିଗନାଲ ଯୋଗାଇ ଦେବାକୁ ହେବ।

କେବଳ ସେତିକି ନୁହେଁ, ଯେ କୌଣସି ବ୍ୟବସାୟିକ ବା ସରକାରୀ ଟେଣ୍ଡର ଭଳି ଏଥିରେ ମଧ୍ୟ ଏକ ଟାଣୁଆ ସର୍ତ୍ତ ରଖାଯାଇଛି। ତାହା ହେଉଛି କୌଣସି ଚ୍ୟାନେଲ ସର୍ବାଧିକ ନିଲାମ ଡାକିଥିଲେ ମଧ୍ୟ ତାଙ୍କୁ ପ୍ରସାରଣ ରାଇଟ୍ସ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ନୁହନ୍ତି। ଅର୍ଥାତ ଚୂଡ଼ାନ୍ତ ମନୋନୟନ କ୍ଷମତା ଶ୍ରୀମନ୍ଦିର ପ୍ରଶାସକଙ୍କ ପାଖରେ ରହିବ।

ସ୍ନାନ ପୂର୍ଣ୍ଣିମା ଆଉ ମାତ୍ର ୧୦ ଦିନ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ଏଭଳି ଏକ ତରବରିଆ ନିଷ୍ପତ୍ତିକୁ ନେଇ ମିଡିଆ ତଥା ଶ୍ରୀମନ୍ଦିର ସହ ସଂପୃକ୍ତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଆରମ୍ଭ ହୋଇଛି।

ଜଗନ୍ନାଥ ସଂସ୍କୃତି ଏକ ଉଦାର ଏବଂ ମୁକ୍ତ ଧାରା ହୋଇଥିବା ବେଳେ ତଥା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ବିଭିନ୍ନ ଟେଲିଭିଜନ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦେଶ ବିଦେଶର କୋଟି କୋଟି ଲୋକ ଦେଖୁଥିବାରୁ ରାଜ୍ୟ ସରକାରଙ୍କର ଏହି ଅଭୁତ ନିଷ୍ପତ୍ତି କି ପ୍ରଭାବ ପକାଇବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସ୍ନାନ ପୂର୍ଣ୍ଣିମାର ଠିକ୍ ୧୦ ଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ଏହା ପୂର୍ବରୁ ଆଲୋଚନା ହୋଇଥିଲା କି? ଯଦି ଆଲୋଚନା ହୋଇଥିଲା ତାହାଲେ ଆଗରୁ କାହିଁକି ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ପ୍ରକାଶ କରି ନଥିଲା?

ନିକଟରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା। ଏହି ବୈଠକରେ ଶ୍ରୀମନ୍ଦିର ସଂସ୍କାର ପାଇଁ ଅନେକ ଆଲୋଚନା ହୋଇଥିଲା। ହେଲେ ରଥଯାତ୍ରା ସିଧାପ୍ରସାରଣର ନିଲାମ ସମ୍ପର୍କରେ ଆଲୋଚନା ହୋଇ ନଥିଲା କାହିଁକି? ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ସରକାର ଏ ସମ୍ପର୍କରେ ଛତିଶା ନିଯୋଗ ଏବଂ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଥିଲେ କି? ଏଭଳି ପ୍ରଶ୍ନ ଏବେ ବିଭିନ୍ନ ମହଲରେ ଉଙ୍କି ମାରୁଛି।

ରଥଯାତ୍ରା ଭଳି ଏକ ଅତି ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ କାର୍ଯ୍ୟକ୍ରମକୁ କ୍ରିକେଟ ଖେଳର ରାଇଟ୍ସ ଭଳି ବିକିବାକୁ ସରକାରଙ୍କର ଯେଉଁ ନିଷ୍ପତ୍ତି ଏହାକୁ ନେଇ ଆଗାମୀ ଦିନରେ ସାଧାରଣରେ ଭୟଙ୍କର ପ୍ରତିକ୍ରିୟା ସୃଷ୍ଟି ହେବାକୁ ଯାଉଛି। ଏପରିକି ଏହା ସରକାରଙ୍କ ପାଇଁ ବୁମେରାଂ ହୋଇପାରେ।

Comment