ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ୍‌ ବିଶ୍ୱକପ୍ ୨୦୧୯ରେ ବାଧକ ସାଜିଛି ବର୍ଷା। ଲଣ୍ଡନ ଏବଂ ୱେଲ୍‌ସରେ ଅନୁଷ୍ଠିତ ହୋଇଥିବା ଚଳିତ ବିଶ୍ୱକପ୍ ବର୍ଷା ପାଇଁ ପାଣିଚିଆ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ବର୍ଷା କାରଣରୁ ୩ଟି ମ୍ୟାଚ ବାତିଲ ହୋଇସାରିଛି।

ଜୁନ୍‌ ୭ରେ ପାକିସ୍ତାନ ଓ ଶ୍ରୀଲଙ୍କ ମଧ୍ୟରେ ବ୍ରିଷ୍ଟଲ୍‌ରେ ଖେଳାଯାଇଥିବା ମ୍ୟାଚ୍‌କୁ ବର୍ଷା ପାଇଁ ବାତିଲ କରାଯାଇଥିଲା। ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଏହା ପରେ ଜୁନ୍‌ ୧୦ରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଟିଙ୍ଘମରେ ଖେଳାଯାଇଥିବା ମ୍ୟାଚକୁ ବାତିଲ କରାଯାଇଥିଲା। ଫଳସ୍ୱରୂପ ଦୁଇ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା।

ସେହିପରି ଜୁନ୍‌ ୧୧ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ବ୍ରିଷ୍ଟଲରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ପାଇଁ ହୋଇପାରିନଥିଲା। ବର୍ଷା ପାଇଁ ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ ତିନୋଟି ମ୍ୟାଚ୍‌ ବାତିଲ ହୋଇସାରିଛି।

ଆଜି ନଟିଂହାମରେ ଭାରତ ଭେଟିବ ନ୍ୟୁଜିଲାଣ୍ଡକୁ। ତେବେ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ମ୍ୟାଚ୍‌ର ଟସ୍‌ ପଡ଼ିପାରିନାହିଁ। ଯଦି ଏହିଭଳି ବର୍ଷା ଲାଗିରହିବ ତେବେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ମଧ୍ୟ ବାତିଲ ହୋଇପାରେ।

Comment