ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱକପ୍‌ ୨୦୧୯ରେ ଗୁରୁବାର ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍‌। ସାଉଥମ୍ପଟନ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ୮ ୱିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୨୧୨ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ଇଂଲଣ୍ଡ ୨ ୱିକେଟ୍‌ ବିନିମୟରେ ଏହି ସହଜ ବିଜୟ ଲାଭ କରିଛି।

ଟସ୍‌ ଜିତି ଆୟୋଜକ ଇଂଲଣ୍ଡ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ମ୍ୟାଚ୍‌ ଆରମ୍ଭରୁ ଇଣ୍ଡିଜ୍‌ ଦଳର ବ୍ୟାଟିଂରେ ବିପର୍ଯ୍ୟୟ ଘଟିଥିଲା।

କ୍ରିସ୍‌ ଗେଲ୍‌ ଏବଂ ଏଭିନ୍‌ ଲୁଇସ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ଓପନିଂ କରିଥିବା ବେଳେ ମାତ୍ର ୨ ଓଭର ଖେଳି ଲୁଇସ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ଏହାପରେ କ୍ରିସ୍‌ ଗେଲ୍‌ ୩୬ (୪୧) ରନ୍‌ କରି ପ୍ଲଙ୍କେଟ୍‌ଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଏହାପରେ ଟିମ୍‌ ଧିରେ ଧିରେ ସମସ୍ତ ୱିକେଟ୍‌ ହରାଇଥିଲା। ତେବେ ନିକୋଲାସ ପୁରନ୍‌ଙ୍କ ୬୩(୭୮) ରନ୍‌ ବଳରେ ୪୪.୪ ଓଭରରେ ୨୧୨ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା।

ଜବାବରେ ଇଂଲଣ୍ଡ ଟିମ୍‌ ମାତ୍ର ୨ ୱିକେଟ୍‌ ହରାଇ ଏହି ସହଜ ବିଜୟ ଲାଭ କରିଛି। ଜୋଏ ରୁଟ୍‌ଙ୍କ ଦମ୍‌ଦାର ଶତକ ବଳରେ ଇଣ୍ଡିଜ୍‌କୁ ଧୂଳି ଚଟାଇଛି ଘରୋଇ ଇଂଲଣ୍ଡ ଟିମ୍‌। ଅନ୍ୟପକ୍ଷରେ ଇଂଲଣ୍ଡ ଟିମ୍‌ର ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଜୋଫ୍ରା ଆର୍ଚେର ଏବଂ ମାର୍କ ହୁଡ୍‌ଙ୍କ ବଲ୍‌ରେ ଘାଇଲା ହୋଇଥିଲା ୱେଷ୍ଟଇଣ୍ଡିଜ୍‌ ଟିମ୍‌। ଆର୍ଚେର ଏବଂ ହୁଡ୍‌ ୩ଟି ଲେଖାଏଁ ୱିକେଟ୍‌ ସଂଗ୍ରହ କରିଥିବା ବେଳେ ଜୋଏ ରୁଟ୍‌ଙ୍କୁ ମିଳିଛି ୨ଟି ୱିକେଟ୍‌।

Comment